ଜେଲରୁ ମୁକୁଳିଲେ ବ୍ଲକ ଉପାଧ୍ୟକ୍ଷ: ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ଜେଲରୁ ମୁକୁଳିଲେ ବିଜେଡିର ରାଜ୍ୟ ସମ୍ପାଦକ ତଥା ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ । ଅପରେସନ ବୈତରଣୀ ନାଁରେ ତାଙ୍କୁ ଉଦେଶ୍ୟମୂଳକ ଭାବେ ଗିରଫ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଯିଏ ଉଦେଶ୍ୟମୂଳକ ଭାବେ ଫସାଇଛନ୍ତି ସେ ଭବିଷ୍ୟତରେ ତାର ପରିଣାମ ଭୋଗିବେ ବୋଲି ପ୍ରକାଶ କରିଛନ୍ତି। ତାଙ୍କର କୌଣସି ବାଲିଘାଟ ନଥିବା ବେଳେ, ତାଙ୍କର କୌଣସି ଟ୍ରକ କି ହାଇୱା ମଧ୍ୟ ନାହିଁ। ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ଅପରେସନ ବୈତରଣୀ ନାଁରେ ତାଙ୍କୁ ଗିରଫ କରାଯାଇ ଅନେକ ସଂଗୀନ ଦଫା ଯୋଡ଼ା ଯାଇଥିଲା ବୋଲି ସେ କହିଛନ୍ତି । ଦୀର୍ଘ ୧୬ ଦିନ ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି। ସେ ଜଣେ ପରୋପକାରୀ, ସ୍ନେହୀ, ଓ ଦକ୍ଷ ସଂଗଠକ ଭାବେ ଜଣାଶୁଣା ହୋଇଥିବାରୁ ଆଜି ସେ ଜେଲରୁ ମୁକୁଳିବା ବେଳେ ଶହଶହ ଲୋକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବିଜେଡି ନେତା ବିମଳ କିଶୋର ଜେନା, ଧୁଶାସନ ସାହୁ, ସୁଧାଂଶୁ ରାଉତ, ମୁକେଶ ରାଉତ ସନାତନ ଓଝା,ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ ଜଣାଇ ଥିଲେ। ଏପରିକି ସମର୍ଥକ ମାନେ ତାଙ୍କୁ ସ୍ୱାଗତ ଜଣାଇ ବାଇକ ରାଲି ମାଧ୍ୟମରେ ଆନନ୍ଦପୁର ଠାରୁ ବଞ୍ଚୋ ଗାଁ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଏପରିକି ଅନେକ ସ୍ଥାନରେ ମହିଳାମାନେ ତାଙ୍କୁ ଧୂପ ଦ୍ୱୀପ ମାଧ୍ୟମରେ ବନ୍ଦାପନା କରି ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ଭାବମୂର୍ତ୍ତିରେ କଳଙ୍କ ବୋଲିବାକୁ ଏହା ସରକାରୀ ଦଳର ଏକ ହୀନ ଉଦ୍ୟମ ଓ ସତ୍ୟର ସବୁବେଳେ ଜୟ ହେବ ବୋଲି ଅନେକ ଗ୍ରାମବାସୀ ମତ ଦେଇଛନ୍ତି।


