କେନାଲ ରୁ ମିଳିଲା ନିଖୋଜ ଯୁବକ ଙ୍କ ମୃତଦେହ
ନିଗପହଣ୍ଡି (ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ(୫୪) ଗଙ୍ଗାପୁର ଗାଁ ର ମିଟୁ ଗୌଡ଼ ଙ୍କ ଘରେ ରହି ହଳିଆ କାମ କରୁଥିଲେ। ମଙ୍ଗଳବାର ସକାଳେ ସେ ମଇଁଷି ଚରାଇବା ପାଇଁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ନଫେରିବାରୁ ମିଟୁ କେତେକ ଗ୍ରାମବାସୀ ଙ୍କ ସହଯୋଗ ରେ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କୁ ପାଇନଥିଲେ। ଗ୍ରାମ ନିକଟ କୋରଡ଼ା ନାଳ ନିକଟରେ ତାଙ୍କ ତଲାରି ଓ ସାର୍ଟ ପିନ୍ଧା ଲୁଗା ମିଳିଥିଲା। ବୁଧବାର ସକାଳେ ଗଙ୍ଗାପୁର – ଜିଉରା ଗ୍ରାମ ମଧ୍ୟବର୍ତ୍ତୀ କୋରଡ଼ା କେନାଲ ପାଣି ରେ ତାଙ୍କ ମୃତଦେହ ଭାସୁଥିବା ଜଣାପଡିଥିଲା।ଏନେଇ ଦମକଳ କେନ୍ଦ୍ରକୁ କୁ ଖବର ଦିଆଯିବା ପରେ ଅଗ୍ନିଶମ ବାହିନୀ କେନାଲ ରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ଗଙ୍ଗାପୁର ଗ୍ରାମର ମିଟୁ ଗୌଡ଼ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ଅପମୃତ୍ୟୁ ମାମଲା ନଂ.୧୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ଥାନା ଏସ.ଆଇ ଶ୍ରୀନିବାସ ଦାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ମଙ୍ଗଳବାର ସନ୍ଧ୍ୟାରେ ସେ କେନାଲ ରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ପାଣି ରେ ବୁଡ଼ି ଯାଇଥିବା ପୋଲିସ ର ପ୍ରାଥମିକ ଅନୁସନ୍ଧାନ ରୁ ଜଣାପଡ଼ିଛି।ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।


