ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା ; ବିସ୍ଫୋରଣରେ ଯୁବକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ ବୋମା ଚକୁଡ଼ି ଦେବାରୁ ବିସ୍ଫୋରଣ ରେ ଘୁଷୁରୀ ଚରାଇବାକୁ ଯାଇଥିବା ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି।ମୃତକ ଜଣକ ହେଲେ ନୂଆ ମଳାଭଞ୍ଜା ଗ୍ରାମ ମେନ୍ ରୋଡ଼ ବନ୍ଧସାହି ର ଜି.ରାଜା(୨୮)।ସୋମବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଅପରାହ୍ନ ରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।ଗତ ରବିବାର ସକାଳ ପ୍ରାୟ ୧୦ ଟାରେ ଜି.ରାଜା ତାଙ୍କ ଘୁଷୁରୀ ପଲ କୁ ଚରାଇବାକୁ ମଥୁରା ଗାଁ ନିକଟ ପୋଖରୀ ସଂଲଗ୍ନ ଚାଷଜମି କୁ ଯାଇଥିଲେ।ସେଠାରେ ସେ ଘୁଷୁରୀ ଚରାଉଥିବା ବେଳେ ଜମିରେ ପଡ଼ିଥିବା ବୋମା କୁ ଚକୁଡି ଦେବାରୁ ବିସ୍ଫୋରଣ ହୋଇଥିଲା।ରାଜା ଙ୍କ ଗୋଡ଼,ଜଙ୍ଘ ଓ ଅଣ୍ଟା ତଳ କୁ ଭୀଷଣ ଆଘାତ ହୋଇଥିଲା।ଖବର ପାଇ ପରିବାର ଲୋକେ ସ୍ଥାନୀୟ କିଛି ବ୍ୟକ୍ତି ଙ୍କ ସହାୟତା ରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ନ ପ୍ରାୟ ୪ ଟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।ରାଜା ଙ୍କ ବାପା ଜି.କ୍ରିଷ୍ଣା ସୋମବାର ସକାଳେ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଛନ୍ତି।ଦିଗପହଣ୍ଡି ବନାଞ୍ଚଳ ରେ ଦିନକୁ ଦିନ ଅବାଧ ବନ୍ୟଜନ୍ତୁ ଶିକାର ବଢ଼ି ବଢ଼ି ଚାଲିଛି। ଗତ ୨୦୨୪ ଅଗଷ୍ଟ ୮ ତାରିଖ ରେ ବନ ବିଭାଗ କର୍ମଚାରୀ ମାନେ ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ନିକଟ ନୁଆଗୁମ୍ମା ଗ୍ରାମରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀ ଅମିର ଦାସ ଙ୍କୁ ଗିରଫ କରି ତାଙ୍କ ନିକଟରୁ ପ୍ରାୟ ୫ କିଲୋ ବାରହା ମାଂସ ଏବଂ ଶିକାର ରେ ବ୍ୟବହୃତ ଫାସ ଜବତ କରିଥିଲେ।ବନ ବିଭାଗ ମାମଲା ନଂ.୮୦/୨୪-୨୫ ଅନୁଯାୟୀ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି କୋର୍ଟ କୁ ଚାଲାଣ କରାଯାଇଥିଲା।ସେହିପରି ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଦ୍ଵାରା ଗତ ଜାନୁୟାରୀ ୨ ଓ ୩୦ ତାରିଖରେ ଢେପାଗୁଡ଼ା ଗ୍ରାମ ଓ ଭୀମନଗର ଗ୍ରାମ ନିକଟ ଜଙ୍ଗଲରେ ୨ ହାତୀ ଙ୍କ ମୃତ୍ୟୁ ହୋଇଥିଲା । ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏନେଇ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କୁ ପଚାରିବାରୁ ଏହି ବୋମା ବିସ୍ଫୋରଣ ଘଟଣା ରେ ଯୁବକଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବନ କର୍ମଚାରୀ ମାନଙ୍କ ପକ୍ଷରୁ ନିୟମିତ ଭାବେ ପାଟ୍ରୋଲିଂ କରାଯାଉଛି।ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସାଙ୍ଗକୁ ବନ୍ୟପ୍ରାଣୀ ଶିକାର ଏକ ଧର୍ତ୍ତବ୍ୟ ଅପରାଧ ବୋଲି ସଚେତନତା ସଭା ମଧ୍ୟ କରାଯାଉଛି। ତେଣୁ ଏନେଇ ସ୍ଥାନୀୟ ଜନସାଧାରଣ ଅଧିକ ସଚେତନ ହେବା ସହ ବନ୍ୟପ୍ରାଣୀ ଶିକାର କରୁଥିବା ଦୁର୍ବୃତ୍ତ ମାନଙ୍କ ସମ୍ପର୍କରେ ଲୋକେ ବନବିଭାଗ କର୍ମଚାରୀ ମାନଙ୍କୁ ଗୁପ୍ତ ସୂଚନା ଦେବାକୁ ସେ ନିବେଦନ କରିଛନ୍ତି।


