ତେଲ ସଙ୍କଟ ପରେ ଭାଙ୍ଗିଲା ସରକାରଙ୍କ ନିଦ, ପଞ୍ଜୀକରଣ ହେଲାଣି ଅଢ଼େଇ ଲକ୍ଷ ଇଭି
କଟକ, (ଓ୍ବାଇଏନଏସ): ୨୦୨୧ରୁ ଇଲେକ୍ଟ୍ରିକ୍ ଭେଇକିଲ୍(ଇଭି) ନୀତି ହେଲାଣି । ଇତିମଧ୍ୟରେ ରାଜ୍ୟରେ ଅଢ଼େଇ ଲକ୍ଷ ଇଭି ଗାଡ଼ି ପଞ୍ଜୀକରଣ ହୋଇସାରିଲାଣି । ନୀତିକୁ ପାଞ୍ଚ ବର୍ଷ ବିତିଯାଇଥିଲେ ବି ଏଥିପାଇଁ ସରକାରଙ୍କ ଭିତ୍ତିଭୂମି ନାହିଁ କହିଲେ ଚଳେ । କାଁ ଭାଁ କେଉଁଠି ଗୋଟେ ଦୁଇଟି ଇଭି ଚାଜି ର୍ଂ ଷ୍ଟେସନ୍ରେ କାମ ସରିଯାଇଥିଲା । ଏବେ ତେଲ ସଙ୍କଟ ପରେ ସରକାରଙ୍କ ନିଦ ଭାଙ୍ଗିଛି । ବିଭିନ୍ନ ଯୋଜନାରେ ପ୍ରତ୍ୟେକ ବ୍ଲକ୍ ଠାରୁ ଆରମ୍ଭ କରି ସମସ୍ତ ସହରରେ ଏହି ଇଭି ଚାର୍ଜିଂ ଷ୍ଟେସନ୍ କରିବା ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଇଭି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଚାର୍ଜିଂ ଷ୍ଟେସନ୍ । ଯେତେବେଳେ କେହି ବ୍ୟକ୍ତି ଇଭି ଧରି ଘରୁ ବାହାରି ଆସୁଛନ୍ତି ଏବଂ ରାସ୍ତାରେ କୌଣସି କାରଣରୁ ଚାର୍ଜିଂ ଶେଷ ହୋଇଯାଏ ତାହେଲେ ଏହାହିଁ ଗାଡ଼ି ପାଇଁ ସବୁଠାରୁ ବଡ଼ ସମସ୍ୟା । ଏଥିପାଇଁ ଇଭି ଷ୍ଟେସନ୍ ପ୍ରତିଷ୍ଠା କରିବାର ନିହାତି ଆବଶ୍ୟକତା ରହିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏକ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିନଥିଲା । କିନ୍ତୁ ଏବେ ତେଲ ସଙ୍କଟ ପରେ ଇଭି ଗାଡ଼ି କିଣିବା ଲାଗି ଆଗ୍ରହ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩୨୭ଟି ଅଟଳ ବସ୍ଷ୍ଟାଣ୍ଡ୍ରେ ଇଭି ଚାର୍ଜିଂ ଷ୍ଟେସନ୍ କାମ ଆରମ୍ଭ କରିଛନ୍ତି । ଅଳ୍ପ କିଛି ମାସ ମଧ୍ୟରେ ଏହି ଷ୍ଟେସନ୍ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ଏବେ ରାଜ୍ୟର ପ୍ରତ୍ୟେକ ବଡ଼ବଡ଼ ବସ୍ ଟର୍ମିନାଲ୍ରେ ମଧ୍ୟ ଇଭି ଚାର୍ଜିଂ ଷ୍ଟେସନ୍ କରାଯିବାକୁ ଯୋଜନା ହୋଇଛି । ଏଥିସହ ଟ୍ରକ୍ ଟର୍ମିନାଲ୍ରେ ମଧ୍ୟ କରାଯିବ । ବିଭିନ୍ନ ତେଲ ଟାଙ୍କିକୁ ସରକାର ଏବେ ପ୍ରାଥମିକତା ଭିତ୍ତିରେ ରଖିଛନ୍ତି । ବର୍ତ୍ତମାନ ବିଭିନ୍ନ ତେଲ ଟାଙ୍କିରେ ୧୦୧୪ଟି ଇଭି ଚାର୍ଜିଂ ଷ୍ଟେସନ୍ ରହିଛି । ଏହିସବୁ ଚାର୍ଜିଂ ଷ୍ଟେସନ୍ ବିଭିନ୍ନ ଇଭି କମ୍ପାନୀ ପକ୍ଷରୁ କରାଯାଇଛି । ଅନ୍ୟ ଯେଉଁ ଟାଙ୍କି ଗୁଡ଼ିକରେ ନାହିଁ ତୁରନ୍ତ ସେହିସବୁ ଟାଙ୍କିରେ ଇଭି ଚାର୍ଜିଂ ଷ୍ଟେସନ୍ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଏବେ ପିଏମ୍ ଇ- ଡ୍ରାଇଭ୍ ଯୋଜନାରେ ଓଡ଼ିଶାର ୬ଟି ପ୍ରମୁଖ ସହରରେ ୧୯୦ଟି ଇଭି ଚାଜି ର୍ଂ ଷ୍ଟେସନ୍ ବସାଇବାକୁ ଯୋଜନା କରିଛନ୍ତି । ଭୁବନେଶ୍ୱର, କଟକ, ପୁରୀ, ଯାଜପୁରର କଳିଙ୍ଗନଗର, ବାଲେଶ୍ୱର, ଅନୁଗୁଳ ସହରରେ ଏହି ଇଭି ଷ୍ଟେସନ୍ ବସାଯିବ । ଇଭି ଚାର୍ଜିଂ ଷ୍ଟେସନ୍ ପାଇଁ ରାଜ୍ୟ ସରକାର ଏବେ ତିନୋଟି ବର୍ଗରେ ବିଭକ୍ତ କରିଛନ୍ତି । ଯେଉଁ ଜିଲ୍ଲାରେ ଅଧିକ ଇଭି କିଣାଯିବ ତାହାକୁ ‘ଏ’ ପର୍ଯ୍ୟାୟଭୁକ୍ତ କରାଯାଇଛି । ଅର୍ଥାତ ଏହି ଏ କାଟାଗୋରୀ ଭିତରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଅଧିକରୁ ଅଧିକ କିପରି ଇଭି ଚାର୍ଜିଂ ଷ୍ଟେସନ୍ କରାଯିବ ସେଥିପାଇଁ ମଧ୍ୟ ଯୋଜନା କରାଯାଉଛି । ଏସ୍ଟିଏ ପକ୍ଷରୁ ଏବେ ଇଭି ଚାର୍ଜିଂ ଷ୍ଟେସନ୍ ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି । ପ୍ରତ୍ୟେକ ଆର୍ଟିଓ ନିକଟରେ ଏକ ଚାର୍ଜିଂ ଷ୍ଟେସନ୍ କରାଯିବ । ଏଥିସହ ସହରର ଗୁରୁତ୍ୱପୂର୍ଣ୍ଣ ତଥା ଗହଳି ସ୍ଥାନମାନଙ୍କରେ ଏହି ଷ୍ଟେସନ୍ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି । ଯେମିତିକି ଭୁବନେଶ୍ୱରର ନନ୍ଦନକାନନ, ଫରେଷ୍ଟ୍ପାର୍କ, ରୂପାଲି ଛକ ଏବଂ ଅନ୍ୟ କେତେକ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଏହି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଛି । ଅନ୍ୟାନ୍ୟ ସହର ପାଇଁ ମଧ୍ୟ ଏହିଭଳି ଯୋଜନା ଚାଲିଛି ବୋଲି ଏସ୍ଟିଏର ଯୁଗ୍ମ କମିସନର ସମରେନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଛନ୍ତି । ପ୍ରାୟ ବର୍ଷକ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଚାର୍ଜିଂ ଷ୍ଟେସନ୍ ଉପଲବ୍ଧ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।


