ବନ୍ଧା ହେଲେ ଜିମ୍‌ ଟ୍ରେନ୍‌ର

କଟକ,(ଓ୍ବାଇଏନଏସ): ଜଣେ ଜିମ୍ ଟ୍ରେନର ବିବାହର ଲୋଭ ଦେଖାଇ ଜଣେ ଯୁବତୀଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । କଟକର ବିଭିନ୍ନ ହୋଟେଲରେ ଯୁବତୀଙ୍କୁ ନେଇ ଦୁଷ୍କର୍ମ କରିଛି । ଏନେଇ ପୀଡ଼ିତା ବାଦାମବାଡ଼ି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଟ୍ରେନ୍‌ର ହେଉଛି ଜଗତପୁର ନିମପୁରରେ ରହୁଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରର ତୋଫାନ ବେହେରା (୨୭) । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।ମିଳିଥିବା ସୂଚନା ଅନୁସାରେ, ବାଦାମବାଡ଼ି ଅଞ୍ଚଳର ଜଣେ ୨୨ ବର୍ଷୀୟା ଯୁବତୀ ଜଗତପୁରରେ ଥିବା ଏକ ଜିମକୁ ୨୦୨୫ରେ ତାଲିମ ନେବାକୁ ଯାଉଥିଲେ । ସେଠାରେ ଟ୍ରେନର ତୋଫାନ ସହିତ ତାଙ୍କର ପରିଚୟ ହୋଇଥିଲା । ତୋଫାନ ଏହି ଯୁବତୀଙ୍କ ସହିତ ପ୍ରଥମେ ପ୍ରେମ ସମ୍ପର୍କ ଯୋଡ଼ିଥିଲେ । ପରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଏହାପରେ ତୋଫାନ ବିବାହର ପ୍ରସ୍ତାବ ଦେଇଥିଲେ । ଏଥିରେ ଯୁବତୀ ଜଣକ ରାଜି ମଧ୍ୟ ହୋଇଥିଲେ । ତେବେ ଏହି ବିବାହ ପ୍ରତିଶ୍ରୁତିର ଆଳରେ ଟ୍ରେନ୍‌ ତୋଫାନ ଉକ୍ତ ଯୁବତୀଙ୍କୁ କଟକର ବିଭିନ୍ନ ହୋଟେଲକୁ ନେଇ ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିଲା । ମାତ୍ର ପରବର୍ତ୍ତୀ ସମୟରେ ତୋଫାନ ବିବାହ କରିବାକୁ ମନା କରିଥିଲା । ଏପରିକି ପୀଡ଼ିତାଙ୍କୁ ଆଉ ଧରାଛୁଆଁ ଦେଇନଥିଲା । ଫଳରେ ବାଧ୍ୟ ହୋଇ ପୀଡ଼ିତା ଏନେଇ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ । ଏହିକ୍ରମରେ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତୋଫାନକୁ ଆଜି ଗିରଫ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ