ଗାତରେ ପଡି ଶିଶୁ ମୃତ୍ୟୁ ଘଟଣା: ତିନି ଲକ୍ଷ ଟଙ୍କାର ସହାୟତା ଦେଲା ଏନ.ସି.ସି କମ୍ପାନୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଝଣଝଣା ଗ୍ରାମରେ ଏକ ଗାତରେ ପଡି ୨ବର୍ଷୀୟ ନିଷ୍ପାପ ଶିଶୁର ଜୀବନ ଯିବା ଘଟଣାରେ ଆଜି ଠିକା ସଂସ୍ଥା ଏନ. ସି. ସି ପକ୍ଷରୁ ସହାୟତା ଯୋଗାଇ ଦିଆ ଯାଇଛି। ଆଜି ସକାଳେ ଏନ ସି ସି କମ୍ପାନୀର ପ୍ରମୋଦ କୁମାର ଚୌଧୁରୀ, ମାନସ ପ୍ରିୟ ରଞ୍ଜନ ବିଶ୍ୱାଳ, ରଞ୍ଜିତ ସା ପ୍ରମୁଖ ମୃତ ଶିଶୁର ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ସେମାନଙ୍କୁ ବୁଝା ସୁଝା କରି ତିନିଲକ୍ଷ ଟଙ୍କାର ସହାୟତା ରାଶି ବାପା ଅରୁଣ ଖଣ୍ଡେଇ, ମା ଯମୁନା ନାଇକଙ୍କୁ ପ୍ରଦାନ କରିଥିଲେ। ସହାୟତା ପ୍ରଦାନ ବେଳେ ପଞ୍ଚାୟତର ବିଜେପି କର୍ମକର୍ତ୍ତା ମନୋଜ ପଣ୍ଡା, କନକ ଲତା ଜେନାଙ୍କ ସମେତ ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ  ଗତ ୫ବର୍ଷ ପୂର୍ବେ ଗାଁଭିତରେ  ଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ଲିକ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ପାଇପ ଲିକେଜ ମରାମତି ପାଇଁ ରାସ୍ତା ମଝିରେ ଏକ ୫/୬ ଫୁଟ ଗଭୀରର ଏକ ଗାତ ଖୋଳିଦେଲେ। ସେହି ଗାତଟି ପାଣିରେ ଭରପୁର ରହିବାରୁ ଗାଁ ଲୋକ ମାନେ ଗାଧୁଆ ପାଧୁଆ କଲେ। କମ୍ପାନୀ କର୍ତ୍ତୃପକ୍ଷ ଖାଲ ପୋତିବାକୁ ଯିବାରୁ ଗ୍ରାମର କିଛି ଲୋକ ଆଉ ଖାଲ ପୋତାଇ ଦେଲେନି। ରବିବାର ଅପରାହ୍ନରେ ଗ୍ରାମର ଅରୁଣ ଖଣ୍ଡେଇଙ୍କ ଦୁଇ ବର୍ଷର ପୁଅ ଅନିଲ ଖେଳୁ ଥିବା ବେଳେ ଅସାବଧାନତାରୁ ଏହି ଖାଲରେ ପଡିଯାଇ ମୃତ୍ୟୁ ବରଣ କଲେ। କିଛି ମାସ ପୂର୍ବରୁ ମୃତ ଶିଶୁର ବାପା ଅରୁଣ ମଧ୍ୟ ସେହି ଖାଲରେ ପଡି ଗୁରୁତର ଆହତ ହେବା ସହ ମାନସିକ ଭାରସାମ୍ୟ ହରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ