ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ବିପର୍ଯ୍ୟସ୍ତ, ଯାତାୟାତରେ ବାଧା

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ରାସ୍ତା ଗୁଡିକର ପୁନଃ ନିର୍ମାଣ ଓ ପ୍ରଶସ୍ତୀକରଣ କରାଯାଉଛି। କିନ୍ତୁ ଠିକାଦାରଙ୍କ ମନମାନୀ ଯୋଗୁ ରାସ୍ତା ନର୍ମାଣ କାର୍ଯ୍ୟର ଅବଧି ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରାଯାଇନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତମାନ ଲଗାଣ ବର୍ଷା ଲାଗି ରହିଥିବା ବେଳେ ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଜନସାଧାରଣ ଯିବା ଆସିବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଏହି ରାସ୍ତା ମଧ୍ୟରେ ନାଉଗାଁ-ଡାବର,ତିରୁଣା-ଦେଓପଡା ଏବଂ ନରଣପୁର-ଚକୁଳିପଡାର ରାସ୍ତା ରହିଛି। ନାଉଗାଁ ବଜାରରୁ-ଡାବରକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରତ୍ୟେହ ତିରୁଣା,ଡାବର,କୋରୁଅ,ଡେରିକି ଆଦି ପଂଚାୟତ ସମେତ ବାଲିକୁଦା ବ୍ଳକର ଜନସାଧାରଣମାନେ ଏହି ରାସ୍ତା ଦେଇ ନାଉଗାଁକୁ ଆସିଥାନ୍ତି। ବିଶେଷକରି ଏହି ରାସ୍ତାର ତିହୁଡା ଠାରେ ମା’ଜାଗୁଳାଇ ମନ୍ଦିର, ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସଙ୍କ ଆଶ୍ରମ,ଦହିପାଳ ବେଲକନ୍ଦା ଠାରେ ବ୍ଳକର ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି। ପ୍ରତ୍ୟେହ ଜିଲା ତଥା ଜିଲା ବାହାରୁ ମା’ଜାଗୁଳାଇ ପୀଠ ଓ ଆଶ୍ରମକୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ସେହିପରି ଆଦର୍ଶ ବିଦ୍ୟାଳୟକୁ ବିଭିନ୍ନ ପଂଚାୟତର ପିଲାମାନେ ମୁଖ୍ୟମନ୍ତ୍ରୀ ବସ କିମ୍ବା ଅନ୍ୟାନ୍ୟ ଯାତ୍ରୀବାହୀ ଗାଡିରେ ବିଦ୍ୟାଳୟକୁ ଯାଇଥାନ୍ତି। ନାଉଗାଁ ବଜାରରୁ କାନୁନଗୋସାହି ପର୍ଯ୍ୟନ୍ତ ଉକ୍ତ ରାସ୍ତାକୁ ବର୍ଷେ ତଳେ କଂକ୍ରିଟ କରାଯାଇଥିବା ବେଳେ ବର୍ତମାନ ଉକ୍ତ କଂକ୍ରିଟ ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇଥିବା ବେଳେ ତିହୁଡା ଠାରେ ରାସ୍ତାଟି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ମା’ଜାଗୁଳାଇଙ୍କ ମନ୍ଦିର ପାଶ୍ୱର୍ରେ ଆଂଠୁଏ ଖାଲ ହୋଇଥିବା ବେଳେ ବୁଧବାର ବିଭାଗ ପକ୍ଷରୁ ନିଯୁକ୍ତ ଠିକାଦାରଙ୍କ ଦ୍ୱାରା କିଛି ଡଷ୍ଟ ବିଛାଇ ଯାଇଥିବା ଦେଖିବାକୁ ମିଳିଛି। ବିଛା ଯାଇଥିବା ଡଷ୍ଟ ନିମ୍ନମାନର ହୋଇଥିବା ବେଳେ ପାଣିରେ ପଡି ତାହା କାଦୁଅରେ ପରିଣତ ହୋଇଛି। ଯାହାଫଳରେ ଏହି ରାସ୍ତା ଦେଇ ଯିବା ଆସିବା ଏକ ପ୍ରକାର ଠପ କହିଲେ ଚଳେ। ସେହିପରି ତିରୁଣା-ଦେଓପଡା ରାସ୍ତାର ଦେଓପଡା ନିକଟରେ ୨ଟି କଲଭର୍ଟ ନିର୍ମାଣ ପାଇଁ ମାସେ ହେବ ରାସ୍ତା ଟିକୁ ଖୋଳାଯାଇଛି। ଯାହାଫଳରେ ଏହି ରାସ୍ତା ଦେଇ ଗାଡି ଚଳାଚଳ ସମେତ ଜନସାଧାରଣମାନେ ଯିବା ଆସିବା କରି ପାରୁ ନାହାନ୍ତି। ଏହି ରାସ୍ତା ଦେଇ ଉକ୍ତ ବ୍ଳକର ଜନସାଧାରଣମାନେ ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଆଦିକୁ ପ୍ରତ୍ୟେହ ବିଭିନ୍ନ କାର୍ଯ୍ୟ ପାଇଁ ଯାଇଥାନ୍ତି। ରାସ୍ତାଟି ଖୋଳା ହୋଇ ପଡିବାରୁ ତିରୁଣା,କୋରୁଅ,ଡେରିକି,ଡାବର,ଶିଖର,ଓଷକଣା ଆଦି ପଂଚାୟତର ଲୋକମାନେ ଅଧିକ ବାଟ ବୁଲି ବାଲିକୁଦା ଯାଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଖୋଳାଯାଇଥିବା ୨ଟି କଲଭର୍ଟ ପାଇଁ ରାସ୍ତାର ତଳ ପାଶ୍ୱର୍ରେ ଯାତାୟତ କରିବା ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି। ଯାହାଫଳରେ ଉପର ମୁଣ୍ଡରେ ବର୍ଷା ହେଲେ ବାଉଁଶଜୋରୀକୁ ଜଳ ନିଷ୍କାସନ ହୋଇପାରୁନାହିଁ। ଯଦି ଠିକ ସମୟରେ କାର୍ଯ୍ୟ ଶେଷ କରା ନଯାଏ ତେବେ ତିରୁଣା, ଦହିପାଳ, ଅରିଓଦା,ଜାମୁଗାଁ, ଛତିଆନା,ନରଣପୁର,କୁରିକି ଆଦି ଗ୍ରାମର ଶହ ଶହ ଏକର ଚାଷ ଜମିରୁ ଉଦବୃତ ବର୍ଷାଜଳ ନିଷ୍କାସନ ହୋଇ ପାରିବ ନାହିଁ। ସେହିପରି ନରଣପୁର-ଚକୁଳିପଡା ରାସ୍ତା କାର୍ଯ୍ୟ ଶେଷ ହୋଇପାରିନାହିଁ। ରାସ୍ତା କାର୍ଯ୍ୟ ବିଳମ୍ବ ହେଉଥିବା ହେତୁ ନରଣପୁର ଓ ଇଛାପୁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବିଷୟରେ ବିଭାଗୀୟ ଏସଡିଓ ମଂଜୁଲତା ଟୁଡୁଙ୍କୁ ପଚାରିବାରେ ଖୁବଶୀଘ୍ର କଲଭର୍ଟ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ। ସେହିପରି ନାଉଗାଁ-ଡାବର ରାସ୍ତା ବିଷୟରେ ସହକାରୀ ଯନ୍ତ୍ରୀ ସଂଜୟ ସ୍ୱାଇଁଙ୍କୁ ପଚାରିବାରେ ଠିକଦାରଙ୍କ ଦ୍ୱାରା ରାସ୍ତାରେ ଆବଶ୍ୟକ ଅନୁଯାୟୀ ଡଷ୍ଟ ପକା ନଯାଇ ପତଳା ଭାବେ ଡଷ୍ଟ ପଡିଥିବାରୁ ରାସ୍ତା ଖରାପ ହୋଇଛି। ଠିକାଦାରକୁ ପୁନଃର୍ବାର ଅଧିକ କରି ଡଷ୍ଟ ପକାଇବାକୁ କୁହାଯାଇଛି ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ