ଫୁଟପାଥ ଉପରେ ଚେକ୍ପୋଷ୍ଟ ନିର୍ମାଣ : ଉଛେଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆ ଠାରେ ୫୩ନମ୍ବର ଜାତୀୟ ରାଜପଥ କ୍ରସ କରୁଥିବାରୁ ସେଠାରେ ଓଭରବ୍ରିଜ ନିର୍ମାଣ ହୋଇଛି। ସେହି ଓଭର ବ୍ରିଜ ତଳେ ଏବଂ କଟକ-ଚାନ୍ଦବାଲି ରାସ୍ତାର ବାମପାଶ୍ୱର୍ରେ ଥିବା ଫୁଟପାଥ ଉପରେ ଏକ ପୋଲିସ ଚେକ ପୋଷ୍ଟ ବେଆଇନ ଭାବରେ ନିର୍ମାଣ କରାଯାଇଥିବାରୁ ତୁରନ୍ତ ସେହି ଚେକ୍ପୋଷ୍ଟକୁ ଉଛେଦ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା କୃଷକ ବିକାଶ ପରିଷଦ ସଭାପତି ବରିଷ୍ଠ ଆଇନଜୀବୀ ବିଜୟ କୁମାର ପରିଡା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ସେହି ଫୁଟପାଥ ଉପରେ ପରିବା, ଫଳ ଓ ଛତୁ ଦୋକାନ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଲୋକମାନଙ୍କୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଉଛେଦ କରାଯାଇଥିବା ବେଳେ ସେହି ସ୍ଥାନକୁ ଜୋରଜବରଦସ୍ତ ଦଖଲ କରି ପୋଲିସ ଚେକପୋଷ୍ଟ କରାଯିବା ଅତ୍ୟନ୍ତ ବେଆଇନ ଓ ଜନସ୍ୱାର୍ଥ ବିରୋଧୀ ବୋଲି ବିକାଶ ପରିଷଦ ସଭାପତି ଶ୍ରୀ ପରିଡା ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରି ଦାବି କରିଛନ୍ତି।ସେହି ସ୍ଥାନରେ ଯାତ୍ରୀମାନେ କଟକ, ଭୁବନେଶ୍ୱରକୁ ଏବଂ ଚଣ୍ଡିଖୋଲକୁ ବସରେ ଯିବା ପାଇଁ ଅପେକ୍ଷା କରୁଥିବା ବେଳେ ଯାତ୍ରୀମାନଙ୍କ ସ୍ୱାର୍ଥ ବିରୋଧରେ ଯାଇ ସେଠାରେ ପୋଲିସ ଚେକ୍ପୋଷ୍ଟ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଜନସ୍ୱାର୍ଥ ବିରୋଧୀ ବୋଲି ଶ୍ରୀ ପରିଡା କହିଛନ୍ତି। ଏହାଦ୍ୱାରା ସେହିସବୁ ଅଞ୍ଚଳକୁ ବସରେ ଯିବା ପାଇଁ ଅପେକ୍ଷାରତ ଲୋକମାନେ ରାସ୍ତା ଉପରେ ଛିଡା ହେବାକୁ ବାଧ୍ୟ ହେବେ ଏବଂ ଦୂର୍ଘଟଣାର ଶୀକାର ହୋଇ ବହୁ ମୂଲ୍ୟବାନ ଧନଜୀବନର କ୍ଷୟକ୍ଷତି ହେବ ବୋଲି ଶ୍ରୀ ପରିଡା ଅଭିଯୋଗ କରିଛନ୍ତି। ସେହିସ୍ଥାନରୁ ତୁରନ୍ତ ପୋଲିସ ଚେକପୋଷ୍ଟ ହଟାନଗଲେ ବାଧ୍ୟ ହୋଇ ଲୋକମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କୃଷକ ବିକାଶ ପରିଷଦ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ପରିଡା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।


