‘ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ପାଳିତ
ବାଲେଶ୍ୱର (ସରୋଜ କୁମାର ପଣ୍ଡା): ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଓଡ଼ିଆ ଭାଷା ଓ ସଂସ୍କୃତିରେ ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ବିଦ୍ୟାଳୟଗୁଡ଼ିକରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଓଡ଼ିଆ ଭାଷାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷାଗତ ଶିକ୍ଷଣ ଓ ବିକାଶର ପରିବେଶ ସୃଷ୍ଟି କରିବା ଦିଗରେ ଏହି ଦିବସଟିକୁ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଛି । ଏଠାରେ ସୂଚନା ଥାଉ କି, ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ବର୍ଣ୍ଣବୋଧ ପୁସ୍ତକଗୁଡିକ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ବଣ୍ଟନ କରାଯାଇଥିଲା।


