୧୮ ରୁ କଟକ ଆନ୍ତର୍ଜାତିକ ବାଣିଜ୍ୟମେଳା: ଭାଗ ନେବେ ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ
କଟକ, (ଓ୍ବାଇଏନଏସ) : କଟକର ଐତିହାସିକ ବାଲିଯାତ୍ରା ତଳ ପଡ଼ିଆରେ ଚଳିତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି କଟକ-ଆନ୍ତର୍ଜାତିକ ବାଣିଜ୍ୟମେଳା। ଏହା ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଆକର୍ଷଣୀୟ ଏସି ପ୍ୟାଭେଲିୟନରେ ଆୟୋଜିତ ଏହି ବାଣିଜ୍ୟମେଳାରେ ଦେଶ ବିଦେଶରୁ ବହୁ ଉଦ୍ୟୋଗୀ ଓ କାରିଗର ସେମାନଙ୍କର ସାମଗ୍ରୀ ବିକ୍ରିବଟା କରିବେ ଏବଂ ଏମଏସଏମଇ ବିଭାଗ ପକ୍ଷରୁ ସାରା ଭାରତର ବହୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ମଧ୍ୟ ଯୋଗଦେବେ। ଓଡ଼ିଶା ସମେତ ୨୨ ଟି ରାଜ୍ୟର ଅନେକ ପ୍ରତିଷ୍ଠିତ ଉଦ୍ୟୋଗୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ୧୧ ଦିନର ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ୫ଲକ୍ଷରୁ ଅଧିକ ପରିଦର୍ଶକ ଯୋଗଦେବେ ବୋଲି ଆଶା କରାଯାଉଛି। ଏହା ପ୍ରତିଦିନ ଅପରାହ୍ନ ୩ଟାରୁ ରାତ୍ରି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ। ଓଡ଼ିଶାର ବିଭିନ୍ନ ପାରମ୍ପାରିକ ଖାଦ୍ୟ ମୁଢ଼ିମାଂସ, କର୍ଣ୍ଣାଟକର ଦୋସା, ବରା, ଇଡ୍ଲି, ବିରିୟାନୀ, କଟକର ପ୍ରସିଦ୍ଧ ଦହିବରା, ରାଜସ୍ଥାନୀ ଖାଦ୍ୟ ସହିତ ମୁଖ୍ୟ ଆକର୍ଷଣ ହେବ ଚମ୍ପାରନ୍ ମଟନ୍। ଆୟୋଜକ କଟକ ବୈଶାଖୀ ବାଣିଜ୍ୟ ମେଳା କମିଟି ଓ ଗୁପ୍ତା ଇଭେଂଟ ମ୍ୟାନେଜମେଂଟ ପ୍ରା. ଲିମିଟେଡ଼ ପକ୍ଷରୁ ବୁଧବାର ଦିନ ବାରବାଟୀ ଗେଷ୍ଟହାଉସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ବାଣିଜ୍ୟମେଳାରେ କାଶ୍ମୀରିର ବିଭିନ୍ନ ସୌଖୀନ ଓ ଘରକରଣା ସାମଗ୍ରୀ, ଆଫଗାନିସ୍ତାନର ପ୍ରାୟ ୧୦୦ ପ୍ରକାରର ଶୁଖିଲାଫଳ, ବାଂଲାଦେଶର ଜାମଦାନୀ ଶାଢ଼ି, ଇରାନର ସୁସ୍ବାଦୁ ଖଜୁର, ଅଳଙ୍କାର, ସୁନ୍ଦର କାର୍ପେଟ୍, ଦୁବାଇର ଅତର ଓ ପୋଷାକ, ଆୟର୍ଲାଣ୍ଡର ଅଳଙ୍କାର ଓ ପୋଷାକ, କୋରିଆର ମହିଳାମାନଙ୍କ ସାମଗ୍ରୀ, ମ୍ୟାଲେସିଆ ଓ ସିଙ୍ଗାପୁରର ଫାର୍ନିଚର ଏହି ଏସି ହ୍ୟାଙ୍ଗର ସ୍ଥଳରେ ସ୍ଥାନ ପାଇବ। ସେହିପରି ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପୀମାନଙ୍କ ବିଭିନ୍ନ ସାମଗ୍ରୀ, ଭାଗଲପୁର, ପଞ୍ଜାବ, ବନାରସ ଓ ଜୟପୁରର ବିଭିନ୍ନ ପାରମ୍ପାରିକ ପୋଷାକ ଓ ଶାଢ଼ି, ପଥର ଓ ମେଟାଲର ଅଳଙ୍କାର, ମାର୍ବଲ ମୂର୍ତ୍ତି, ଖଦିର ପୋଷାକ, ଚମଡ଼ା ପ୍ରସ୍ତୁତ ସାମଗ୍ରୀ ଓ ପୁରାତନ ସାମଗ୍ରୀ ସହିତ ଦିଲ୍ଲୀ, ଉ ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମ୍ମୁକାଶ୍ମୀର ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କ କୁଶଳୀ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ବିକ୍ରୟ କରିବେ। ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳା ପରିସରରେ ଥିବା ମଂଚରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ। କଟକ ଜିଲ୍ଲା ପ୍ରଶାସନ, କମିଶନରେଟ ପୋଲିସ, ଅଗ୍ନିଶମ ବାହିନୀ, କଟକ ମହାନଗର ନିଗମ, ଟାଟା ପାୱାର ଓ ୱାଟକୋ ସହଯୋଗରେ ଏହା ଆୟୋଜନ କରାଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି।
ଆୟୋଜକ ସାମ୍ବାଦିକ ସମ୍ମିଳନୀରେ କଟକ ବୈଶାଖୀ ବାଣିଜ୍ୟମେଳାର ସଂଯୋଜକ ଦେବପ୍ରସାଦ ଦାଶ, ସଂଗ୍ରାମ ବେହେରା, ସାମ୍ବାଦିକ ଶୁଭ୍ରେନ୍ଦୁ କୁମାର ରଥ, କୋଷାଧ୍ୟକ୍ଷ ଦିଲୀପ ସାହୁ, ରମେଶ ଚନ୍ଦ୍ର ସାହୁ, ଗୁପ୍ତା ଇଭେଂଟ ମ୍ୟାନେଜମେଂଟର ପରିଚାଳନା ନିର୍ଦ୍ଦେଶକ ସୁଜିତ୍ ଗୁପ୍ତା, ପାୟଲ ଆଚାର୍ଯ୍ୟ ଗୁପ୍ତା, ପ୍ରମୁଖ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ।


