ସମସ୍ୟାରେ ଦଲିକି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ହାଟଡିହି,(ଓ୍ବାଇଏନଏସ): ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରି ସେମାନଙ୍କୁ କିପରି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବ ସେନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ କିଛି ଆଦିବାସୀ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ଅନୁପାତ ଅନୁଯାୟୀ ଶିକ୍ଷକ ନିଯୁକ୍ତି ଦିଆ ଯାଉ ନଥିବା ଯୋଗୁଁ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ଦେବା ଏକ ପ୍ରକାର ପ୍ରହସନ ପାଲଟିଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ହାଟଡିହି ବ୍ଲକ ଆଦିବାସୀ ବହୁଳ ହଦଗଡ ପଞ୍ଚାୟତର ଦଲିକି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ୮ଟି ଶ୍ରେଣୀ ନିମନ୍ତେ ମାତ୍ର ଦୁଇଜଣ ଶିକ୍ଷକ ଥିବାରୁ ଏଠାରେ ପାଠପଢ଼ା କିପରି ଚାଲିଥିବ ସହଜେ ଅନୁମେୟ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨ ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ଦୁଇଜଣ ଶିକ୍ଷକ କିଭଳି ଶିକ୍ଷାଦାନ କରୁଥିବେ ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନ ଶିକ୍ଷକ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଫିସ ଯାଉଥିବା ବେଳେ ଆଉଜଣେ ଶିକ୍ଷକ କେବଳ ବିଦ୍ୟାଳୟକୁ ଜଗିବା ଓ ମଧ୍ୟାହ୍ନ ଭୋଜନ ଦେବା ସାର ହେଉଛି। ଏକଦା ଏହି ବିଦ୍ୟାଳୟରେ ଦୁଇ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ଜଣ ଶିକ୍ଷକ ନିଯୁକ୍ତି ଥିଲେ। ପର୍ଯ୍ୟାୟ କ୍ରମେ ଜଣେ ପରେ ଜଣେ ଶିକ୍ଷକଙ୍କୁ ସେଠାରୁ ବଦଳି କରାଯାଉ ଥିବା ବେଳେ ଆଉ ଶିକ୍ଷକ ନିଯୁକ୍ତି ଦିଆ ଯାଉନି। ଫଳରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ହ୍ରାସ ପାଉଛି। ଏପରିକି ଆଦିବାସୀ ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସେହି ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯିବାକୁ ଦାବି କରାଯାଉଥିବା ବେଳେ ଶିକ୍ଷକ ଅଭାବକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗ୍ରାମଟି ଏକ ଅପହଞ୍ଚ ଇଲାକା ଭାବେ ଜଣାଶୁଣା ହୋଇଥିବା ବେଳେ ଜଙ୍ଗଲ ପାହାଡ ଘେରା ମଧ୍ୟରେ ବିଦ୍ୟାଳୟଟି ରହିଛି। ଏହି ବିଦ୍ୟାଳୟଟି ପୂର୍ବରୁ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବେଳେ ଏବେ ବିଭାଗୀୟ ଅବହେଳା ଯୋଗୁଁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହି ଆଦିବାସୀ ବହୁଳ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ବେଳେ ବ୍ଲକ ଶିକ୍ଷାଧୂକାରୀଙ୍କ ଦୃଷ୍ଟି ନପଡିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଜିଲା ଶିକ୍ଷାଧିକାରୀ ଏଥୂପ୍ରତି ଦୃଷ୍ଟିଦେଇ ଉକ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିବାକୁ ଦାବି ହେଉଛି। ଏହାକୁ ନେଇ ବ୍ଲକ ଶିକ୍ଷାଧୂକାରୀ ରାଜୀବ ଦଳେଇଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅତିଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବାର ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି।


