ସ୍ୱର୍ଗତ ସାକୁରା ବେହେରାଙ୍କ ଶ୍ରାଦ୍ଧ ବାର୍ଷିକୀ
ଛତ୍ରପୁର,(ଓ୍ବାଇଏନଏସ): ନିଜର ଆପ୍ରାଣ ଓ ସ୍ମରଣୀୟ ବନ୍ଧୁ ସ୍ୱର୍ଗତ ସାକୁରା ବେହେରାଙ୍କ ୧୨ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସ୍ଥାନୀୟ ଦିବ୍ୟାଙ୍ଗ ଅନୁଷ୍ଠାନ ‘ସମର୍ଥ’ ପରିସରରେ ପହଞ୍ଚି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ସ୍ନେହ ଆଦରର ସହ ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ମହତ୍ ପୂଣ୍ୟ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଅନ୍ୟତମ ସମାଜସେବୀ ଦେବାଶିଷ ପଟ୍ଟନାୟକ, ଚିଙ୍କାରା ବେହେରା, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ପଦ୍ମ ଚରଣ ସାହୁ, ଶଙ୍କର ରେଡ୍ଡୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ସାକୁରା ବେହେରାଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ଆପଣାଛାଏଁ ନିଜ ପ୍ରିୟ ବିଧାୟକଙ୍କୁ ନିଜ ଗହଣରେ ପାଇ ‘ସମର୍ଥ’ ଅନୁଷ୍ଠାନର ଦିବ୍ୟାଙ୍ଗ ଅନ୍ତେବାସୀଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ସାକ୍ଷାତକାର ସମୟରେ ବିଧାୟକ ଶ୍ରୀ ନାୟକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରି ଆଶ୍ରମର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ସବିଶେଷ ପଚାରି ବୁଝିଥିଲେ। ଅନୁଷ୍ଠାନର ପ୍ରମୁଖ ସମସ୍ୟାଗୁଡ଼ିକୁ ଆଗାମୀ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ, ଯାହା ଅନୁଷ୍ଠାନର ଅନ୍ତେବାସୀ ଓ ପରିଚାଳକଙ୍କ ମଧ୍ୟରେ ଆଶାର ସଞ୍ଚାର କରିଛି।


