ବିଏସଏଫ ଯବାନଙ୍କ ମୃତ୍ୟୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗାଁ ବାସିନ୍ଦା ବି. ନାରସିଙ୍ଗୁଲୁ ପାତ୍ର ଙ୍କ ପୁଅ ବିଏସଏଫ୍ ର ସିନିୟର ହାବିଲଦାର ବି .କାନା (୫୩) ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ଏଏସଆଇ ମନୋଜ ସିଂ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରୁ ତାଙ୍କ ମୃତଦେହ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ.୪୩/୨୬ ଅନୁଯାୟୀ ଜବତ କରିଥିଲେ।ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ ଟାରେ ସେ ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ।ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ନିଆଯାଇଥିଲା। ସନ୍ଧ୍ୟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ଥାନାରେ ଏନେଇ ଏତଲା ହେବାପରେ ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ଖବରପାଇ ମଙ୍ଗଳବାର ମଧ୍ୟାହ୍ନ ରେ ବିଏସଏଫ୍ ଅଧିକାରୀ ଓ କିଛି ଯବାନ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚିବା ପରେ ତାଙ୍କ ଶବାଧାର ରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ପରିବାର ଲୋକଙ୍କ ଉପସ୍ଥିତିରେ ବିଏସଏଫ୍ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଳମ୍ବିତ ସନ୍ଧ୍ୟାରେ ପୁରୀ ସ୍ବର୍ଗଦ୍ବାର ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ସେ ଅବିବାହିତ ଥିଲେ।ତାଙ୍କ ପୁତୁରା ବି. ସଚ୍ଚିନ କୁମାର ପ୍ରଧାନ ମୁଖାଗ୍ନି ଦେଇଥିଲେ। ବି. କାନା ଜମ୍ମୁ କାଶ୍ମୀର ର ୧୫୮ ବିଏସଏଫ୍ ବାଟାଲିଆନ୍ ରେ ସିନିୟର୍ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ।ସେ ଗତ ୨ ମାସ ହେଲା ଗାଁ କୁ ଛୁଟି ରେ ଆସିଥିଲେ। ସେ ଜଣେ ମେଳାପି ବନ୍ଧୁ ବତ୍ସଳ ଥିଲେ। ବହୁ ସଂଖ୍ୟକ ସହପାଠୀ ଏବଂ ଗ୍ରାମବାସୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।


