ଦିବଂଗତ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଆଶୁତୋଷ ଦାସଙ୍କ ପରଲୋକ
ବାଲେଶ୍ୱର,(ଓ୍ବାଇଏନଏସ): ରାଣୀପାଟଣା ବ୍ୟାଙ୍କ କଲୋନୀ ନିବାସୀ ସମସ୍ତଙ୍କ ପ୍ରିୟ ହଳଦୀପଦା ଅଗ୍ରୱାଲା ବିଦ୍ୟାପୀଠର ଭୀଷ୍ମ ପିତାମହ ଦିବଂଗତ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଆଶୁତୋଷ ଦାସଙ୍କ ଗତ ରାତି ୧୦ଟା ସମୟରେ ପବିତ୍ର ସ୍ନାନପୂର୍ଣ୍ଣିମାରେ ୮୩ ବର୍ଷ ବୟସରେ ପରଲୋକ ଗମନ ହୋଇଛି। ସେ ବିଭିନ୍ନ ହାଇସ୍କୁଲ୍ରୁ ପ୍ରଧାନଶିକ୍ଷକ ରୂପେ ସୁଚାରୁ ରୂପେ କାର୍ଯ୍ୟ କରି ୨୦୦୧ରେ ଅବସର ଗ୍ରହଣ କରି ରାଣୀପାଟଣାରେ ନିଜ ଘର କରି ରହିଆସୁଥିଲେ। ତାଙ୍କର ତିନି ପୁତ୍ର ଓ ଏକମାତ୍ର କନ୍ୟା ଅଛନ୍ତି। ସ୍ୱର୍ଗତ ଦାସ କେବଳ ଜଣେ ଅଭିଜ୍ଞ ବିଜ୍ଞାନ ଓ ଗଣିତ ଶିକ୍ଷକ ନଥିଲେ ବରଂ ଅତ୍ୟନ୍ତ ସ୍ନେହୀ ଓ ଦୟାଳୁ ମଣିଷ ଥିଲେ। ସବୁ ଛାତ୍ରଛାତ୍ରୀମାନଙ୍କୁ ପୁତ୍ରକନ୍ୟା ଭଳି ଆଦର କରୁଥିଲେ। ସେ ଅଗ୍ରୱାଲା ବିଦ୍ୟାପୀଠ, ହଳଦୀପଦାରେ ତା ୧୫-୦୭-୧୯୭୧ରିଖରୁ ତା୧୫-୦୬-୨୦୦୦ରିଖ ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ନିଜର କାର୍ଯ୍ୟଦକ୍ଷତା ପ୍ରମାଣ କରିଥିଲେ। ଗତ ଜାନୁଆରୀ ମାସରେ ଅଗ୍ରୱାଲା ବିଦ୍ୟାପୀଠ, ହଳଦୀପଦାରେ ପାଳିତ ହୋଇଥିବା ହୀରକ ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି ସମସ୍ତ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ, ଶିିକ୍ଷକ ଶିକ୍ଷୟିତ୍ରୀମାନଙ୍କ ହୃଦୟରେ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲେ। ତାଙ୍କ ନିକଟରୁ ଶିକ୍ଷାଲାଭ କରି ଓଡ଼ିଶା ଓ ଓଡ଼ିଶା ବାହାରେ ତଥା ବିଦେଶରେ ବିଭିନ୍ନ ପଦପଦବୀରେ ରହି ଛାତ୍ରାଛାତ୍ରୀମାନେ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ଆଜି ସକାଳେ ବାଲେଶ୍ୱରର ଶିଳ୍ପପତି ତଥା ସମାଜସେବୀ ଦିଲ୍ଲୀପ କୁମାର ସାହୁ, ହଳଦୀପଦା ପୁରାତନ ଛାତ୍ରସଂସଦର ସଭାପତି ଉପେନ୍ଦ୍ରନାଥ ସାହୁ, ସଂପାଦକ କ୍ଷିତୀଶ ଚନ୍ଦ୍ର ଜେନା, ବରିଷ୍ଠ ଛାତ୍ର ତଥା ଉପଦେଷ୍ଟା ତାପସ କୁମାର ନନ୍ଦ, ଅକ୍ଷୟ କୁମାର ତ୍ରିପାଠୀ, ପୁରାତନ ଅବସରପ୍ରାପ୍ତ ଶିକ୍ଷକ ଡ. କୁମାର ଚନ୍ଦ୍ର ମିଶ୍ର, ଛାତ୍ର ଅକ୍ଷୟ କୁମାର ଦାସ, ସ୍ନେହଲତା ପତି ଏବଂ ବହୁ ଛାତ୍ରଛାତ୍ରୀ, ସମାଜସେବୀ, ବୁଦ୍ଧିଜୀବୀ, ପଡ଼ୋଶୀ, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ରହି ଶେଷଦର୍ଶନ କରିଥିଲେ। ଇତ୍ୟବସରରେ ତାଙ୍କର ପ୍ରଥମ କର୍ମସ୍ଥଳୀ ହଳଦୀପଦା ଅଗ୍ରୱାଲା ବିଦ୍ୟାପୀଠରେ ବର୍ତ୍ତମାନ ପ୍ରଧାନଶିକ୍ଷକଙ୍କ ସଭାପତିତ୍ୱରେ ସ୍ୱର୍ଗତ ପ୍ରିୟ ସାର୍ଙ୍କ ବିୟୋଗରେ ସବୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ଦାସଙ୍କର ଧର୍ମପତ୍ନୀ, ତିନିପୁତ୍ର ଓ ଏକମାତ୍ର କନ୍ୟା ଆସିବା ପରେ ତାଙ୍କୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା।


