ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତିଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୋଷଣ ପକ୍ଷ ପାଳନର ଆଭିମୁଖ୍ୟ ସମ୍ପର୍କ ରେ ଉପସ୍ଥାପନ କରିବା ସହ ଜିଲ୍ଳାର ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ
ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ତା’ଙ୍କ ବକ୍ତବ୍ୟ ରେ କହିଥିଲେ କି ସମୃଦ୍ଧ ଓଡିଶା ଗଠନ ପାଇଁ ରାଜ୍ୟକୁ କୁପୋଷଣ ମୁକ୍ତ କରିବା ପାଇଁ ସରକାରଙ୍କ ପ୍ରାଥମିକତା ରହିଥିବାରୁ ଏଥିପାଇଁ ବିଭିନ୍ନ ଫଳପ୍ରଦ ଯୋଜନା କରାଯାଇଛି। ଏହି ଯୋଜନା ଗୁଡିକ ଫଳପ୍ରଦ କରାଇବା ପାଇଁ ସାମୁହିକ ସଚେତନତାର ଆବଶ୍ୟକତା ରହିଛି। ଏକ ସୁସ୍ଥ ଶିଶୁ ହିଁ ଉତ୍ତମ ଛାତ୍ର ଓ ଭବିଷ୍ୟତରେ ଏକ ସୁନାଗରିକ ହୋଇପାରିବ। ଶୈଶବ ଅବସ୍ଥାରେ ଉପଯୁକ୍ତ ପୋଷଣ ପାଇଲେ ଶିଶୁଟିର ସ୍ୱାସ୍ଥ୍ୟର ଉନ୍ନତି ହେବା ସହିତ ତା’ର ସାମଗ୍ରିକ ବିକାଶ ଘଟିଥାଏ। ମାତ୍ର ଘରେ ପ୍ରସ୍ତୁତ ହେଉଥିବା ପାରମ୍ପରିକ ଉତ୍ତମ ଖାଦ୍ୟ ବଦଳରେ ଆଜିକାଲି ବଜାର ରେ ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ଖାଇବା ହେତୁ ପିଲାମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ମେଦବହୁଳତା ଇତ୍ୟାଦି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ଅସ୍ୱାଭାବିକତା ଦେଖାଯାଉଛି। ଶିଶୁର ସ୍ୱାସ୍ଥ୍ୟ ରକ୍ଷା ଓ ଉନ୍ନତି ପାଇଁ ମାଆ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନ୍ମ ଠାରୁ ପରବର୍ତୀ ୧୦୦୦ ଦିନ ଶିଶୁ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାଆ ମାନେ ସେମାନଙ୍କ ପିଲାମାନଙ୍କୁ ଶୈଶବ ଅବସ୍ଥାରୁ ଉପଯୁକ୍ତ ଯତ୍ନ ନେବା ସହିତ ପୋଷଣଯୁକ୍ତ ଘରୁଆ ଖାଦ୍ୟ ଖୁଆଇବା ଅଭ୍ୟାସ କରାଇବା ଉଚିତ ଯଦ୍ୱାରା ଶିଶୁଟି ଆସ୍ତେ ଆସ୍ତେ ବଡ ହେବାପରେ ବଜାରରେ ମିଳୁଥିବା ଜଙ୍କ ଫୁଡ ପ୍ରତି ଆଗ୍ରହୀ ହେବ ନାହିଁ। ସେହିପରି ପିଲାମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅଙ୍ଗନବାଡି କେନ୍ଦ୍ର ରେ ପିଲାମାନଙ୍କୁ ମୌଳିକ ଶିକ୍ଷା ଦାନ କରୁଥିବା ଅଙ୍ଗନବାଡି କର୍ମୀଙ୍କର ମଧ୍ୟ ଅନୁରୂପ ଦାୟିତ୍ୱ ରହିଛି। ସାମୁହିକ ଭାବେ ପୋଷଣ ଅଭିଯାନକୁ ସଫଳ କରିପାରିଲେ ଏବଂ ସୁସ୍ଥ ଜୀବନ ଶୈଳୀ ମାଧ୍ୟମରେ ଭବିଷ୍ୟତରେ ଆମେ ଏକ ସୁସ୍ଥ ମାନବ ସମ୍ବଳ ପାଇ ପାରିବା। ତେଣୁ ପ୍ରତ୍ୟେକ ସି ଡି ପି ଓ, ସୁପର ଭାଇଜର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ସେମାନଙ୍କ ନିଜ ନିଜ କାର୍ଯ୍ୟକ୍ଷେତ୍ର ଅଂଚଳର ସମସ୍ତ ମା ଓ ଶିଶୁ ମାନଙ୍କୁ ପଞ୍ଜିକୃତ କରିବା ସହିତ ପ୍ରତ୍ୟେକ ଯେମିତି ଛତୁଆ, ଅଣ୍ଡା ପାଇବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଜିଲ୍ଲାକୁ ପୋଷଣ କ୍ଷେତ୍ରରେ ପ୍ରଥମ ଭାବେ ପରିଚିତ କରିବା ପାଇଁ ଉତ୍ସାହିତ କରିଥିଲେ। ନିଜର ଦାୟିତ୍ୱ କୁ ନିଜର ବୋଝ ବୋଲି ନଭାବି ଲୋକଙ୍କ ସେବା କରିବା ପାଇଁ ଏକ ସୁଯୋଗ ମିଳିଛି ବୋଲି ଭାବି ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଡ଼. ପରିଡା ତାଙ୍କ ଅଭିଭାଷଣରେ ପୋଷଣଯୁକ୍ତ ଖାଦ୍ୟ ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି ଅଙ୍ଗନବାଡି କେନ୍ଦ୍ରକୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ ଏବଂ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିଲେ। କୁପୋଷଣ ର ଶିକାର ନହେବା ଏବଂ କଣ କଣ ଖାଦ୍ୟ ଖାଇବା ଦ୍ୱାରା ଉପଯୁକ୍ତ ପୋଷଣ ମିଳିବ ତାହାକୁ ନେଇ ଏକ ବାର୍ତ୍ତା ସମ୍ବଳିତ ନୃତ୍ୟ ସଂଗୀତ ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ବ୍ଲକର ସି ଡି ପି ଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ