ପୋତି ହୋଇପଡୁଛି ଜଳ ନିଷ୍କାସନ ପଥ : ଲକ୍ଷ୍ମୀବଜାର ଓ ବିନାୟକ ବଜାର ଜଳାର୍ଣ୍ଣବ ସମ୍ଭାବନା!
ଆସିକା (ୱାଇଏନ୍ଏସ୍) : ଆସିକା ଏନ୍ଏସି ଅଧୀନସ୍ଥ ଲକ୍ଷ୍ମୀବଜାର ଓ ବିନାୟକ ବଜାର ଅଞ୍ଚଳରେ ଥିବା ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ଧିଷ୍ଟ ପଥ ଗୁଡିକ ଦିନକୁ ଦିନ ସଂକୁଚିତ ହେବା ସହ ନାନା ପ୍ରକାର ଗଛ ଲଟାରେ ପୋତି ହୋଇପଡୁଥିବା ଯୋଗୁଁ ଉପର ମୁଣ୍ଡରେ ଯଦି ଆଗାମୀ କିଛି ଦିନ ପରେ ମୌସୁମୀ ବର୍ଷା ହୁଏ ତେବେ ଉକ୍ତ ବର୍ଷାଜଳ ନିଷ୍କାସନ ପଥଦେଇ ବର୍ଷାଜଳ ନିଷ୍କାସିତ ହୋଇନପାରି ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ ଥିବା ଆସିକା ଏନ୍ଏସିର ଲକ୍ଷ୍ମୀବଜାର ଓ ବିନାୟକ ବଜାର ଅଞ୍ଚଳ ଜଳାର୍ଣ୍ଣବ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି କେତେକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏ ସଂପର୍କରେ ଖବର ନେବାରେ ଜଣାଯାଏ ଆସିକା ସହରର ଦୁଇ ପାଶ୍ୱର୍ରେ ଋଷିକୂଲ୍ୟା ଓ ବଡନଦୀ ପ୍ରବାହିତ ହେଉଥିବା ବେଳେ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ବ୍ରିଟିଶ୍ ଶାସନ ସମୟରୁ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପଥ ନିର୍ମାଣ କରାଯାଇଥିଲା । ବର୍ଷା ଋତୁରେ ଉପର ମୁଣ୍ଡରେ ମୃଷଳ ଧାରାରେ ବର୍ଷା ହେଲେ ଜଳ ନିଷ୍କାସନ ପଥ ଗୁଡିକ ଦେଇ ବର୍ଷାଜଳ ପ୍ରବାହିତ ହୋଇ ଋଷିକୂଲ୍ୟା ନଦୀରେ ପଡୁଥିଲା । ତେବେ ବିଗତ କିଛି ବର୍ଷ ହେଲା ଆସିକା ଅଞ୍ଚଳର ବହୁ ପ୍ରଭାବଶାଳୀ ବ୍ୟକ୍ତି ପ୍ରଶାସନର କେତେକ ପଦାଧିକାରୀ ବ୍ୟକ୍ତିଙ୍କୁ କୌଣସି ଉପାୟରେ ପ୍ରଲୋଭିତ କରି ଅଧିକାଂଶ ଜଳ ନିଷ୍କାସନ ପଥ ଉପରେ ବିରାଟ ବିରାଟ ଅଟାଳିକା ମାନ ନିର୍ମାଣ କରିଥିବା କେତେକ ମହଲରେ ଅଭିଯୋଗ ହେଉଥିବା ବେଳେ ଯେଉଁ କେତୋଟି ହାତ ଗଣତି ଜଳ ନିଷ୍କାସନ ପଥ ରହିଛି ସେଥି ମଧ୍ୟରୁ ସହରର ଲକ୍ଷ୍ମୀବଜାର ଓ ବିନାୟକ ବଜାରକୁ ସଂଯୋଗ କରୁଥିବା ଜଳ ନିଷ୍କାସନ ପଥ ଅନ୍ୟତମ । ଅପର ପକ୍ଷରେ ଜଳ ନିଷ୍କାସନ ପଥ ସଂଲଗ୍ନ ଜମିର ପଟା ମଧ୍ୟ କେତେକ ବ୍ୟକ୍ତି ପାଇଥିବା ମତ ପ୍ରକାଶ ପାଉଛି । ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବର୍ଷର ବର୍ଷା ଋତୁ ଆସିବା ପୂର୍ବରୁ ମୁକୁଳା ହୋଇ ପଡିଥିବା ନଦୀ ବନ୍ଧଠାରୁ ଆରମ୍ଭ କରି ପଙ୍କ ଉଦ୍ଧାର ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ବହୁବିଧ ପଦକ୍ଷେପ ମାନ ଗ୍ରହଣ କରାଯାଉଥିଲା ବେଳେ ଚଳିତ ବର୍ଷ କିନ୍ତୁ ଆସିକାର କେତେକ ଅଞ୍ଚଳରେ ଜଳ ନିଷ୍କାସନ ପଥ ଗୁଡିକରୁ ଲଟାବୁଦା ସଫା କରାଯାଇନଥିବା ଦେଖିବାକୁ ମିଳୁଛି । ବର୍ଷାଜଳ ନିଷ୍କାସନ ପଥ ଦିନକୁ ଦିନ ସଂକୁଚିତ ହୋଇ ଯାଉଥିବା ଯୋଗୁଁ ବର୍ଷା ଦିନରେ ଉଦ୍ବୃତ୍ତ ବର୍ଷାଜଳ ନିଷ୍କାସିତ ହୋଇନପାରି ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଅତୀତରେ ୧୯୭୯ ଓ ୧୯୯୦ ମସିହା ବନ୍ୟା, ୧୯୯୯ ମସିହା ମହାବାତ୍ୟା, ୨୦୧୩ ମସିହା ସାମୁଦ୍ରିକ ଝଡ ଫାଇଲିନ୍ ଜନିତ ପ୍ରଳୟଙ୍କରୀ ବନ୍ୟା, ୨୦୧୮ ମସିହା ଅକ୍ଟୋବର ମାସରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ତିତିଲିରେ ଆସିକା ଅଞ୍ଚଳ ବିଶେଷଭାବେ ପ୍ରଭାବିତ ହୋଇଥିଲା ବେଳେ ଜଳ ନିଷ୍କାସନ ପଥ ସଂକୁଚିତ ଯୋଗୁଁ ବିଭିନ୍ନ ସମୟରେ ବନ୍ୟାଜଳ ନିଷ୍କାସିତ ହୋଇନପାରି ଆସିକା ଏନ୍ଏସିର ଲକ୍ଷ୍ମୀବଜାର ଓ ବିନାୟକ ବଜାର ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ପ୍ରଭୁତ କ୍ଷତିର ସମ୍ମୁଖୀନ ହୋଇଥିବା ନଜିର ରହିଛି । ଆଉମାତ୍ର କିଛି ଦିନ ପରେ ମୌସୁମୀ ବର୍ଷ ଆରମ୍ଭ ହେବାର ସମ୍ଭାବନା ଥିବାରୁ ଲକ୍ଷ୍ମୀବଜାର-ବିନାୟକବଜାରର ଜଳ ନିଷ୍କାସନ ପଥରୁ ଲଟାବୁଦା ଯଦି ଯୁଦ୍ଧକାଳୀନ ଭିତ୍ତିରେ ସଫା କରାନଯାଏ ତେବେ ଉଦ୍ବୃତ ବର୍ଷାଜଳ ନିଷ୍କାସିତ ହୋଇନପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଲକ୍ଷ୍ମୀବଜାର ଓ ବିନାୟକ ବଜାର ଅଞ୍ଚଳର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଜଳ ନିଷ୍କାସନ ପଥ ଗୁଡିକରେ ଯେପରି ବର୍ଷାଜଳ କୌଣସି ପ୍ରତିରୋଧର ସମ୍ମୁଖୀନ ନହୋଇ ବର୍ଷାଜଳ ନିଷ୍କାସିତ ହୋଇ ପାରିବ ସେଥିପାଇଁ ପୋତି ହୋଇ ପଡିଥିବା ଜଳ ନିଷ୍କାସନ ପଥ ଗୁଡିକରୁ ଲଟା ବୁଦା ଗୁଡିକୁ ସଫା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


