ବୈଷୟିକ ତ୍ରୁଟି ଯୋଗୁଁ 3 ମାସ ହେଲା ମିଳୁନି ଭତ୍ତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ବୈଷୟିକ ତ୍ରୁଟି ଯୋଗୁଁ ଗଜପତି ଜିଲ୍ଲାରେ ମଧୁବାବୁ ପେନସନ ଯୋଜନା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଯୋଜନାରେ ୨୮,୬୪୧ ଜଣ ହିତାଧିକାରୀମାନେ ଗତ ତିନିମାସ ହେଲା ଉପରୋକ୍ତ ଭତ୍ତା ନ ପାଇ ବହୁ ଦୁଃଖ କଷ୍ଟରେ ରହିଥିବା ଅଭିଯୋଗ ହୋଇଛି. ହିତାଧିକାରୀମାନେ ଔଷଧ କିଣିବା ଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀ ଯୋଗାଡ଼ କରିବା ସହ ଦୈନନ୍ଦିନ ଆବଶ୍ୟକ ଖର୍ଚ୍ଚ ବହନ କରିବାରେ ଜଟିଳ ସମସ୍ୟା ଦେଇ ଗତି କରୁଛନ୍ତି. ଏହି ହିତାଧିକାରୀମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଭତ୍ତା ଟଙ୍କା ସେମାନଙ୍କ ପାଇଁ ଏକମାତ୍ର ଆର୍ଥିକ ସମ୍ବଳ. ତେଣୁ ବାରମ୍ବାର ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଭତ୍ତା ପାଇଁ ନିବେଦନ କରିଥିଲେ ସୁଦ୍ଧା ଭତ୍ତା ଦିଆ ଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି. ଏହି ଘଟଣା ନେଇ ଅନୁଧ୍ୟାନ କରିବାରେ ଜଣା ପଡିଛି ଯେ, କିଛି ବୈଷୟିକ ତ୍ରୁଟି ଯୋଗୁଁ ଅନ୍ଲାଇନ୍ ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଇ ପାରୁନାହିଁ।


