ଖରିଫ୍ ଧାନ କ୍ରୟ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଆରମ୍ଭ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ସମବାୟ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ୍ରମେ ୨୦୨୬-୨୭ ଖରିଫ ଋତୁରେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି, ବରଗାଁ, ଧନିଜା, ହରିଡାପଦର, ମଙ୍ଗଳପୁର, ବାଲିସିରା, ଗହଙ୍ଗୁ, କାଳଷଣ୍ଢପୁର, ଘଟକୁରି, ଆସିକା, ମୁନିଗାଡି, ନିମିନା, ଜଗଦଳପୁର, ନୂଆଗାଁ, ପାଣ୍ଡିଆପଥର, ଦେବଭୂମୀ, ଗୁଣ୍ଠପଡା, ବେଣାପାଟ, ନଳବଣ୍ଟା, ରାମେଶ୍ୱର ସେବା ସମବାୟ ସମିତି ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ଜଣାପଡିଛି। ଚଳିତ ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଚାଷୀ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ପ୍ରାଥମିକ ସେବା ସମବାୟ ସ୍ତରରେ ଆରମ୍ଭ ହୋଇସାରିଥିଲା ବେଳେ ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଆସନ୍ତା ନଭେମ୍ବର ମାସ ପହିଲାରୁ ଧାନସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୭ ମସିହା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଚଳିତବର୍ଷ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଚାଷୀଙ୍କ ଠାରୁ ଧାନ କ୍ରୟ ପ୍ରକ୍ରିୟା ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି । ନିର୍ଦ୍ଦିଷ୍ଟ ତଥା ଧାର୍ଯ୍ୟ ସମୟସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମପଞ୍ଜିକରଣ ତାଲିକା ଯେପରି ପ୍ରସ୍ତୁତ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ଉପ-ସହକାରୀ ନିବନ୍ଧକ ନୃସିଂହ ପ୍ରସାଦ ପଣ୍ଡା, କମଳ କୁମାର ଆଚାର୍ଯ୍ୟ, ଶ୍ରୀମତୀ ଜ୍ୟୋତିର୍ମୟୀ ପ୍ରଧାନ, ଶ୍ରୀମତୀ ସୁମନ ବେହେରା, ସୁଶ୍ରୀ ତୁଳସୀରାଣୀ ପଣ୍ଡା, ସୁଶ୍ରୀ ବିନୋଦା ନାହାକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର ୨୦ଟି ସେବା ସମବାୟ ସମିତି ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଚାଷୀ ପଞ୍ଜିକରଣରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଚଳିତବର୍ଷ ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ଖରିଫ୍ ଋତୁରେ ଧାନକିଣା ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ଯେଉଁ ଚାଷୀମାନେ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିବାକୁ ଚାହୁଁଥିବେ ସେମାନେ ଆଧାର କାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ଏବଂ ଜମିର ପଟା ସମେତ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରି ନିଜ ନାମ ସ୍ଥାନୀୟ ସୋସାଇଟିରେ ପଞ୍ଜିକରଣ କରିପାରିବେ ବୋଲି ଜଣାପଡିଛି । କିନ୍ତୁ ଚଳିତବର୍ଷ ପ୍ରଥମଥର ଲାଗି କୃଷକ କାର୍ଡ ବା ଏଗ୍ରିଷ୍ଟାକ୍ ଆଇଡି ନମ୍ବର ସହ ଧାନବିକ୍ରୀ କରାଯାଉଥିବା ନାମ ପଞ୍ଜିକରଣ ନମ୍ବରରେ ଯୋଡାଯିବ ବୋଲି ଜଣାପଡିଛି । ଏହାଦ୍ୱାରା ଜଣେ ଚାଷୀଙ୍କର ପ୍ରକୃତରେ କେତେ ଜମି ରହିଛି ତାହା ଧରାପଡିଯିବ । ଯଦି କେହି ଚାଷୀ ପଞ୍ଜିକରଣ ସମୟରେ ସେମାନଙ୍କ କୃଷକ ଆଇଡି ନମ୍ବର ନ ଦିଅନ୍ତି ତାଙ୍କୁ ୩ ମାସ ସମୟ ଦିଆଯିବ । ତଥାପି ଉକ୍ତ ସମୟ ମଧ୍ୟରେ ଯଦି ସେ କୃଷକ ଆଇଡି ନମ୍ବର ଦେଇ ନପାରନ୍ତି ତେବେ ଧାନବିକ୍ରୀ ପାଇଁ ଟୋକେନ୍ ମିଳିପାରିବ ନାହିଁ ବୋଲି ଜଣାପଡିଛି ଓ ସେ ଧାନବିକ୍ରୀରୁ ବଞ୍ଚିତ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ଗତବର୍ଷ ଆସିକା ବ୍ଳକ ଓ ପୌର ପରିଷଦ ଅନ୍ତର୍ଭୁକ୍ତ ଅଞ୍ଚଳରେ ୭୯୪୨ ଜଣ ଚାଷୀ ଧାନବିକ୍ରୀ କରିବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ଚଳିତବର୍ଷ ମଧ୍ୟ ପ୍ରାୟ ସେହି ସମାନ ସଂଖ୍ୟକ ଚାଷୀ ଧାନବିକ୍ରୀ ପାଇଁ ନାମ ପଞ୍ଜିକରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଧାନବିକ୍ରୀ ପୂର୍ବରୁ ଚାଲିଥିବା ଏହି ପଞ୍ଜିକରଣରେ କିପରି ସ୍ୱଚ୍ଛତା ରହିବ ସେଥିପାଇଁ ପ୍ରଶାସନ ଗୁରୁତ୍ୱ ଦେଉଥିବା ଜଣାପଡିଛି । ଚାଷୀମାନେ ଇ-କେୱାସି ଆଧାରରେ ନିଜ ନାମ ପଞ୍ଜିକରଣ କରିବେ ଅର୍ଥାତ୍ ପ୍ରତ୍ୟେକ ଚାଷୀଙ୍କ ଆଖି ସ୍କାନ୍ କରାଯିବ । ତେବେ ଭାଗଚାଷୀଙ୍କ ପାଇଁ ଚଳିତବର୍ଷ ସରକାରଙ୍କ ପକ୍ଷରୁ ନିୟମକୁ କଡାକଡି କରାଯାଇଥିବା ଜଣାପଡିଛି । ପୂର୍ବରୁ ଜଣେ ଭାଗଚାଷୀ ଜମିର ପଟା ସହ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଲେ ତାଙ୍କ ଖାତାକୁ ଧାନବିକ୍ରୀର ଅର୍ଥ ଉପଲବ୍ଧ ହୋଇପାରୁଥିଲା । କିନ୍ତୁ ଚଳିତବର୍ଷ ଧାନ ପଞ୍ଜିକରଣ ବେଳେ ଭାଗଚାଷୀଙ୍କ ସହ ଜମିର ପ୍ରକୃତ ମାଲିକଙ୍କ ମଧ୍ୟ ଇ-କେୱାସି କରାଯିବାର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଭାଗଚାଷୀମାନେ ପୂର୍ବପରି ମନମୁଖୀ ଭାବେ ଅନ୍ୟ କାହାର ଜମିର ପଟା ଆଣି ଆଉ ଧାନ ବିକ୍ରୀ କରିପାରିବେ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୃଷି ବିଭାଗ ପକ୍ଷରୁ ସମସ୍ତ ଚାଷୀଙ୍କର ଏକ ସର୍ଭେ କରାଯାଇସାରିଛି । ଜଣେ ଚାଷୀଙ୍କର କେତେ ଜମି ରହିଛି ତାହାର ସବିଶେଷ ତଥ୍ୟ କୃଷି ବିଭାଗ ପାଖରେ ରହିଛି । ଏଥିପାଇଁ ପ୍ରତ୍ୟେକ ଚାଷୀଙ୍କ କୃଷି ବିଭାଗ ପକ୍ଷରୁ ଗୋଟିଏ କୃଷକ ଆଇଡି ନମ୍ବର ବା ଏଗ୍ରିଷ୍ଟାକ୍ ନମ୍ବର ଦିଆଯାଇଥିବା ବେଳେ ଏହି ନମ୍ବରକୁ ଚାଷୀ ପଞ୍ଜିକରଣ ବେଳଏ ଟ୍ୟାଗ୍ କରାଯିବ ଓ ଜଣେ ଚାଷୀଙ୍କର ପ୍ରକୃତ ତଥ୍ୟ ଉପଲବ୍ଧ ହୋଇପାରିବ ବୋଲି ଜଣାପଡିଛି । ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ଅଧୀନସ୍ଥ ସଦର ଶାଖାର ୨୦ଟି ସେବା ସମବାୟ ସମିତି ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି ।


