ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ
ଛତ୍ରପୁର, ୨୦/୯: ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ପ୍ରାଥମିକତାଭିତ୍ତିକ ଉନ୍ନୟନ କାର୍ଯ୍ୟକ୍ରମ ନେଇ ନବଗଠିତ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକରେ ୧୧ଟି ବିଭାଗର ବିଭିନ୍ନ ଯୋଜନା, ଚାଲୁଥିବା ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।
ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲା ବାର୍ଷିକ ଯୋଜନାରେ ମୋଟ ୮,୦୧୧.୮୯ କୋଟି ଟଙ୍କାର ପ୍ରସ୍ତାବ ରହିଥିବା ସୂଚନା ଦିଆଯାଇଥିଲା। ୨୦୨୫-୨୬ରେ ଏହି ଆଉଟଲେ ୬,୨୫୨.୨୦ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ୧,୭୫୯.୬୯ କୋଟି ଟଙ୍କା ବୃଦ୍ଧି, ଅର୍ଥାତ୍ ପ୍ରାୟ ୨୮.୧୪ ପ୍ରତିଶତ ବୃଦ୍ଧିର ପ୍ରସ୍ତାବ ରହିଛି। କ୍ଷେତ୍ରଭିତ୍ତିକ ଭାବେ ପରିବହନ କ୍ଷେତ୍ର ପାଇଁ ସର୍ବାଧିକ ୨,୯୪୯.୦୧ କୋଟି ଟଙ୍କା, ସାମାଜିକ ସେବା ପାଇଁ ୨,୨୭୬.୧୨ କୋଟି, ଗ୍ରାମୀଣ ବିକାଶ ପାଇଁ ୧,୧୦୧.୫୦ କୋଟି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୭୬୫.୨୩ କୋଟି ଏବଂ ସହରାଞ୍ଚଳ ବିକାଶ ପାଇଁ ୫୩୨.୨୮ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏହାବ୍ୟତୀତ ଶକ୍ତି, ଶିଳ୍ପ ଓ ଖଣିଜ, ବିଜ୍ଞାନ-ପ୍ରଯୁକ୍ତି-ପରିବେଶ, ସାଧାରଣ ଆର୍ଥିକ ସେବା ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ମଧ୍ୟ ଅର୍ଥ ବିନିଯୋଗର ପ୍ରସ୍ତାବ ରହିଛି। ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜନପ୍ରତିନିଧି, ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ରାସ୍ତାଘାଟ ସମସ୍ୟା, ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କ ନିୟନ୍ତ୍ରଣ, ଗୋଶାଳାର ଆବଶ୍ୟକତା, ଗୃହପାଳିତ ପଶୁସମ୍ପଦର ସୁରକ୍ଷା ପାଇଁ ଜିଲ୍ଲାସ୍ତରୀୟ ଯୋଜନା, ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଗ୍ରାମୀଣ ବିକାଶ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସଦସ୍ୟମାନେ ଆଲୋଚନା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଉପସ୍ଥିତ ଜନପ୍ରତିନିଧି ଓ କମିଟି ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ। ‘ପ୍ରଗତି ପଥେ ଗଞ୍ଜାମ’ ଲକ୍ଷ୍ୟରେ ଜିଲ୍ଲାର ସମତୁଲିତ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ଚଳିତ ବର୍ଷର ଜିଲ୍ଲା ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ମଧ୍ୟ ସେ କମିଟିକୁ ଅବଗତ କରାଇଥିଲେ। ବୈଠକରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଶୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ )ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସିଇଓ ସମୀର କୁମାର ଜେନା, ଡିଏଫଓ ସୋନ୍ନି ଖୋଖରଙ୍କ ସମେତ କମିଟିର ସଦସ୍ୟସଦସ୍ୟା ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଅଶୋକ କୁମାର ଦାସ ଓ ସହକାରୀ ନିର୍ଦ୍ଦେଶକ ଜଗନ୍ନାଥ ବିଶ୍ୱାଳ ବୈଠକର ସଂଯୋଜନା କରିଥିଲେ। ବୈଠକ ଆରମ୍ଭରେ ଜିଲ୍ଲାପାଳ ମଞ୍ଚାସୀନ ଅତିଥି ଓ କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


