ଦ୍ୱିତୀୟ ପର୍ଯ୍ୟାୟରେ ଡିଏଭି ପବ୍ଲିକ ସ୍କୁଲର ବନ୍ୟା ସହାୟତା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବନ୍ୟା ବିପନ୍ନଙ୍କ ନିକଟରେ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଡିଏଭି ପବ୍ଲିକ୍ ସ୍କୁଲ, କେନ୍ଦ୍ରାପଡ଼ା ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ତରଡିପାଳ ଗ୍ରାମପଞ୍ଚାୟତ ଓ ପେଣ୍ଠପାଳ ଗ୍ରାମପଞ୍ଚାୟତର ବନ୍ୟା ପ୍ଲାବିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟର ବନ୍ୟା ସହାୟତା ଅଭିଯାନ ଚାଲିଛି। ବନ୍ୟା ପାଣି ଘେରି ରହିଥିବା ଅଞ୍ଚଳରେ ସେବାଦଳ ଡଙ୍ଗା ଯୋଗେ ଘରକୁ ଘର ବୁଲି ବିପନ୍ନ ପରିବାରଙ୍କ ନିକଟରେ ସହାୟତା ପହଞ୍ଚାଇଥିଲେ। ଏହି ସମୟରେ ଶୁଖିଲା ଖାଦ୍ୟ, ପିଇବା ପାଣି ଓ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା।ଏହି ମାନବିକ ସେବା ଅଭିଯାନରେ ବରିଷ୍ଠ ସମାଜସେବୀ ମହମ୍ମଦ ଜାହିଦ ଖାନ ଓ ପ୍ରେମାନନ୍ଦ ବିଶ୍ୱାଳ ଯୋଗଦେଇ ବନ୍ୟା ବିପନ୍ନଙ୍କୁ ସହାୟତା ପହଞ୍ଚାଇବାରେ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏହି ରିଲିଫ୍ ଅଭିଯାନ ପରିଚାଳିତ ହୋଇଥିଲା। ଦୁଇଟି ଗ୍ରାମପଞ୍ଚାୟତର ବନ୍ୟା ପ୍ରଭାବିତ ଲୋକଙ୍କ ଦ୍ୱାରଦେଶରେ ଡଙ୍ଗା ଯୋଗେ ପହଞ୍ଚି ଆବଶ୍ୟକ ସାମଗ୍ରୀ ଯୋଗାଇବାର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।


