ଚାନ୍ଦି ମେଢ଼ରୁ ସୁନା ମେଢ଼: ୬୦ କିଲୋ ସୁନାରେ ଝଲସିଲେ ମା’ ଦୁର୍ଗା
କଟକ, (ଓ୍ବାଇଏନଏସ): ସୁନାର ଚମକରେ ଝଲସୁଛି କଟକର ଦୁର୍ଗାପୂଜା। ମା’ଙ୍କ ମୁଖମଣ୍ଡଳରେ ହସ, ଦେହସାରା ସୁନାର ଆଭୂଷଣ ଏବଂ ମେଢ଼ରେ ସୁନାର କାରୁକାର୍ଯ୍ୟ ଭକ୍ତଙ୍କୁ ଆକର୍ଷିତ କରୁଛି। ଚୌଧୁରୀ ବଜାର ପୂଜା ମଣ୍ଡପରେ ପ୍ରାୟ ୬୦ କିଲୋ ସୁନାରେ ମା’ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀଙ୍କୁ ସଜ୍ଜିତ କରାଯାଇଥିବା ବେଳେ ମେଢ଼ର ୧୧ଟି କଳିକାରେ ମଧ୍ୟ ସୁନାର ଆବରଣ ଦିଆଯାଇଛି। ଏହି ଆକର୍ଷଣୀୟ ସାଜସଜ୍ଜା ଚୌଧୁରୀ ବଜାରର ଦୁର୍ଗାପୂଜାକୁ ସ୍ୱତନ୍ତ୍ର ପରିଚୟ ଦେଇଛି। କଟକର ଦୁର୍ଗାପୂଜା କହିଲେ ଚାନ୍ଦି ମେଢ଼ ଓ ସୁନାର ଅଳଙ୍କାର କଥା ମନକୁ ଆସେ। ସହରର ତାରକସି କାରୁକାର୍ଯ୍ୟର ସମୃଦ୍ଧ ପରମ୍ପରା ଏହି ପୂଜାକୁ ଆହୁରି ଆକର୍ଷଣୀୟ କରିଥାଏ।ଏହି ପରମ୍ପରାକୁ ଆଗକୁ ନେଇ ଚୌଧୁରୀ ବଜାର ପୂଜା କମିଟି ୧୯୫୬ ମସିହାରେ ପ୍ରଥମେ ମା’ଙ୍କ ପାଇଁ ଚାନ୍ଦି ମେଢ଼ ନିର୍ମାଣ କରିଥିଲା। ପରବର୍ତ୍ତୀ ସମୟରେ ମା’ଙ୍କ ପାଇଁ ପର୍ଯ୍ୟାୟକ୍ରମେ ସୁନାର ଅଳଙ୍କାର ତିଆରି କରାଯିବା ସହ ମେଢ଼ର କିଛି ଅଂଶକୁ ମଧ୍ୟ ସୁନାରେ ସଜ୍ଜିତ କରାଯାଇଥିଲା। ଏହିପରି ଭାବେ ଚାନ୍ଦି ମେଢ଼ରୁ ସୁନା ମେଢ଼ ଆଡ଼କୁ ଅଗ୍ରସର ହୋଇଛି ଚୌଧୁରୀ ବଜାରର ଦୁର୍ଗାପୂଜା ପରମ୍ପରା। ପ୍ରାରମ୍ଭରେ ପ୍ରାୟ ୨.୫ କ୍ୱିଣ୍ଟାଲ ଚାନ୍ଦିରେ ମେଢ଼ ନିର୍ମାଣ କରାଯାଇଥିଲା। ପରେ ମା’ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀଙ୍କ ଅଳଙ୍କାର ସହ ମେଢ଼ର ବିଭିନ୍ନ ଅଂଶରେ ସୁନାର ବ୍ୟବହାର କରାଯାଇଥିଲା। ବର୍ତ୍ତମାନ ମା’ଙ୍କ ସୁନା ଆଭୂଷଣ ଓ ମେଢ଼ର ଚମକ ଭକ୍ତଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି। ଆଗାମୀ ଦିନରେ ମେଢ଼କୁ ସମ୍ପୂର୍ଣ୍ଣ ସୁନାରେ ସଜ୍ଜିତ କରିବା ପାଇଁ ପୂଜା କମିଟି ଯୋଜନା ରଖିଛି। କଟକରେ ବର୍ତ୍ତମାନ ୩୮ଟି ଚାନ୍ଦି ମେଢ଼ ରହିଥିବା ବେଳେ ଚୌଧୁରୀ ବଜାରର ସୁନା ମେଢ଼ ଏହି ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ମା’ଙ୍କ ଏହି ମନୋରମ ରୂପ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ପାରମ୍ପରିକ କାରୁକାର୍ଯ୍ୟ, ଭକ୍ତି ଓ ଆକର୍ଷଣୀୟ ସୁନା ସାଜସଜ୍ଜାର ସମନ୍ୱୟ ଚୌଧୁରୀ ବଜାରର ଦୁର୍ଗାପୂଜାକୁ କଟକର ପ୍ରମୁଖ ପୂଜା ମଣ୍ଡପଗୁଡ଼ିକ ମଧ୍ୟରେ ଅନ୍ୟତମ କରିଛି।


