ମା’ ଗୌରୀ ଆମ୍ମାଙ୍କ ପ୍ରଥମ ନଗର ଭ୍ରମଣ

 ପୋଲସରା(ଅନୀଲ କୁମାର ମହାରଣା): ପୋଲସରା ସହରରେ ଐତିହ୍ୟ ଓ ବହୁ ପୁରାତନ ମା’ ଗୌରୀ ଆମ୍ମାଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିବା ବେଳେ ୨୮ ତାରିଖ ଦିନ ମା’ଙ୍କ  ଆବାହନ ୩୦ ତାରିଖରେ ଅସ୍ଥାୟୀ ମଣ୍ଡପରେ ବିରାଜମାନ ହୋଇ ଭକ୍ତଙ୍କୁ ପ୍ରଥମ ଦର୍ଶନ ଦେଇଥିଲେ। ସେହିପରି ଭାବେ ୧/୧୧/୨୬ ଦିନ ମା’ ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ମାନସିକ ଧାରିଙ୍କ ଦ୍ବାରା ବିଭିନ୍ନ ସାହି ପକ୍ଷରୁ ଦେବାଦେବୀ ଓ ସାମାଜିକ ବାର୍ତ୍ତାକୁ ନେଇ ସୁସଜ୍ଜିତ ରଥରେ ପଟୁଆରରେ ବାହାରୀ ପ୍ରଥମ ନଗର ଭ୍ରମଣ କରିଥିଲେ। ଓଡ଼ିଆ ସାହି, ମଠ ସାହି, ଖଣ୍ଡିଆ ସାହି, ବାନାର୍ଜୀ କଲୋନୀ, ପାଟଣାପଦର, ବୁଢୀ ଠାକୁରାଣୀ, ରାଣୀପଡା, କୋଙ୍କରଡା ରୋଡ଼, ବାଲୁଙ୍କେଶ୍ୱର ସାହି, କମଳାପାଟଣା ସାହି, ବିଶ୍ବନାଥ ନଗର, ବିଦ୍ୟାଳୟ ସାହି, ଫରେଷ୍ଟ କଲୋନୀ, ସୂର୍ଯ୍ୟନଗର, ଦେଉଳପେଢୀ, ଖଣ୍ଡିଆ ସାହି ଛକଠାରୁ ଜଗନ୍ନାଥ ସାହି ଦେଇ ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସ୍ଥାନେ ସ୍ଥାନେ ମା’ଙ୍କ ପାଦ ଧୋଇବା ସହିତ ଆଳତି ଓ ପୂଜା ଅର୍ଚ୍ଚନା କରାଯାଇଥିଲା। ସାହି ଭ୍ରମଣରେ ମା’ ଗୌରୀ ଆମ୍ମାଙ୍କ ଦିବ୍ଯ ଦର୍ଶନ ନିଜ ନିଜ ଘର ସାମ୍ନାରେ ପାଇ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳିବା ସହ ସମସ୍ତ ସହର ଉତ୍ସବ ମୁଖର ହୋଇଉଠିଥିଲା। ପୋଲସରା ଯାତ୍ରା କମିଟିର ସମସ୍ତ ସଦସ୍ୟ, ଦେବାଙ୍ଗୁଳ ତଥା ଡେରା ସମ୍ପ୍ରଦାୟ ପରିବାରର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଏହି ଭ୍ରମଣ କାର୍ଯ୍ଯରେ ସାମିଲ ହୋଇ ଯାତ୍ରାର ସମସ୍ତ ନୀତିକାନ୍ତିରେ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏକ ମାସ ଧରି ଠାକୁରାଣୀଙ୍କ ଯାତ୍ରା ହେବାକୁ ଥିବା ବେଳେ ସହରର ସମସ୍ତ ସାହି ଭ୍ରମଣ କରିବେ। ପ୍ରଥମ ନଗର ଭ୍ରମଣରେ ପୋଲସରା ସହିତ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ଭିଡ଼ ଓ ଟ୍ରାଫିକ ସମସ୍ୟା ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷାର ବ୍ୟବସ୍ଥା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ