ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଇତିହାସରେ ପ୍ରଥମ ଘଟଣା : ମୃତ ଆଉଟସୋର୍ସିଂ କର୍ମଚାରୀଙ୍କ ସଂପର୍କୀୟଙ୍କୁ ନିଯୁକ୍ତିକୁ ନେଇ ଅସନ୍ତୋଷ

ଆସିକା (ୱାଇଏନ୍‍ଏସ୍‍) : ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ୧୯୧୮ ମସିହାରେ ସ୍ଥାପିତ ହୋଇଥିଲା ବେଳେ ଦୀର୍ଘ ୧୦୦ ବର୍ଷର ଇତିହାସରେ ଏକ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ବିଗତ କିଛି ବର୍ଷ ହେଲା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଘରୋଇ ଠିକାଦାରଙ୍କ ଜରିଆରେ ଆଉଟସୋର୍ସିଂ ପଦ୍ଧତିରେ କେତେକ ଯୁବକଙ୍କୁ ନିଯୁକ୍ତି ଦିଆଯାଇ ଦୈନନ୍ଦିନ କାର୍ଯ୍ୟ ସମାପ୍ତ କରାଯାଉଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଘରୋଇ ଠିକାଦାରଙ୍କ ଜରିଆରେ କାର୍ଯ୍ୟରତ ଥିବା ଜନୈକ ଆଉଟସୋର୍ସିଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମୃତ୍ୟୁବରଣ କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଅତି ତରବରିଆ ଭାବେ ତାଙ୍କର ଜଣେ ସଂପର୍କୀୟଙ୍କୁ ନିଯୁକ୍ତି ଦେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କର ଇତିହାସରେ ଆଉଟସୋର୍ସିଂ କର୍ମଚାରୀଙ୍କ ସଂପର୍କୀୟଙ୍କୁ ନିଯୁକ୍ତି ଦେବା ପ୍ରଥମ ଘଟଣା ହୋଇଥିଲା ବେଳେ ଆଗାମୀ ଦିନରେ ବି ଯଦି ଅନ୍ୟ କୌଣସି ଆଉଟସୋର୍ସିଂ କର୍ମଚାରୀଙ୍କ ଦୁର୍ଭାଗ୍ୟବଶତଃ ମୃତ୍ୟୁ ହୁଏ ସେମାନଙ୍କ ସଂପର୍କୀୟ ବି ଚାକିରୀ ଦାବୀ କରିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କରେ ମୃତ ଆଉଟସୋର୍ସିଂ କର୍ମଚାରୀଙ୍କ ସଂପର୍କୀୟଙ୍କୁ ନିଯୁକ୍ତି ଦିଆଯିବା ଘଟଣା ସଂକ୍ରାନ୍ତରେ ସମବାୟ ସମିତି ସମୂହ ବ୍ରହ୍ମପୁର ଉପଖଣ୍ଡର ଭାରପ୍ରାପ୍ତ ଉପନିବନ୍ଧକ ଯୋଗମାୟା ସାବତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅଭିଯୋଗ ଆସିଲେ ନିଶ୍ଚିତ ଭାବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପର ପକ୍ଷରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସମୟରେ ବହୁ ସ୍ଥାୟୀ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଉଥିଲା ବେଳେ ବର୍ଷ ବର୍ଷ ଧରି କୋଳି ଖାଇ ମଞ୍ଜି ପୋତିଥିବା ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବଦଳି କରାନଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଏପରିକି ସଂପୃକ୍ତ ଚତୁର୍ଥ ଶ୍ରେଣୀ ସ୍ଥାୟୀ କର୍ମଚାରୀଙ୍କ ସଞ୍ଚୟ ଜମାଖାତାକୁ ଗତ ୨୦୨୫-୨୬ ଆର୍ଥିକ ବର୍ଷର ଶେଷ ତାରିଖ ଅର୍ଥାତ୍‍ ୨୦୨୬ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ କେତେ ଟଙ୍କା କେଉଁ ବାବଦକୁ ଟ୍ରାନ୍ସଫର୍‍ ହୋଇଛି ଏବଂ ବର୍ଷତମାମ କେଉଁ ସମୟରେ କେଉଁ ଉଦ୍ଦେଶ୍ୟରେ କେତେ ଟଙ୍କା ଟ୍ରାନ୍‍ସଫର୍‍ ହୋଇଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ବହୁ ଗୁମର କଥା ଲୋକଲୋଚନକୁ ଆସିପାରିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କରେ ଘରୋଇ ଠିକାଦାରଙ୍କ ଜରିଆରେ ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟରତ ଥିବା ଧରାକୋଟ ଅଞ୍ଚଳର ଜନୈକ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇବା ସମୟରେ ଦାଖଲ କରିଥିବା ସମସ୍ତ ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ କେତେକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସମବାୟ ଚିନିଶିଳ୍ପରେ ଘରୋଇ ଠିକାଦାରଙ୍କ ଜରିଆରେ ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟ କରି ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ସଂପର୍କୀୟଙ୍କୁ ନିଯୁକ୍ତି ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ