ହାଟଡିହି ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ
ହାଟଡିହି ,(ଓ୍ବାଇଏନଏସ) : ହାଟଡିହି ବ୍ଲକ ଅଞ୍ଚଳରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ରାଜନୈତିକ ଇଛା ଶକ୍ତିର ଅଭାବରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉପଯୁକ୍ତ ସ୍ବାସ୍ଥ୍ୟସେବା ନପାଇ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ଅଭାବକୁ ଆଳ କରି ରୋଗୀଙ୍କୁ ସେବା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ସ୍ବାସ୍ଥ୍ୟସେବା ଏକ ରକମର ଭୁଶୁଡ଼ି ପଡ଼ିଛି କହିଲେ ଅତ୍ୟୁକ୍ତି ହେବନି। ବର୍ହିବିଭାଗରେ ଜଣେ ଡାକ୍ତର ବସୁଥିବା ବେଳେ ଡାକ୍ତରଙ୍କୁ ଦେଖାଇବାକୁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି । ବୃଦ୍ଧବୃଦ୍ଧା ଓ ଅତି ରୋଗଗ୍ରସ୍ତ ବ୍ୟକ୍ତିଙ୍କ ନିମନ୍ତେ ସେମାନଙ୍କ ସମ୍ପର୍କୀୟ ଧାଡ଼ିରେ ଠିଆ ହୋଇ ପାଳିକୁ ଅପେକ୍ଷା କରୁଥିବା ଦେଖୁବାକୁ ମିଳୁଛି। ଏଠାରେ ୨୧ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୭ଜଣ ଡାକ୍ତର ରହିଥିବାରୁ ଓ ବିଶେଷଜ୍ଞ ଡାକ୍ତର ପଦବୀ ଗୁଡିକ ଖାଲି ପଡିଥିବାରୁ ରୋଗୀମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଠାରେ ସର୍ଜରୀ, ଶିଶୁରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ପଦବୀ ଖାଲି ପଡି ଥିବାରୁ ରୋଗୀମାନେ ଦୂର ଦୁରାନ୍ତ ଡାକ୍ତରଖାନା କୁ ଯିବାକୁ ବାଧ୍ୟ ହେଉଛନ୍ତି। ଖାଲି ସେତିକି ନୁହେଁ ଏଠାରେ ୧୦ଜଣ ଷ୍ଟାଫ ନର୍ସ ରହିବା ସ୍ଥଳେ ମାତ୍ର ୨ ଜଣ ଅଛନ୍ତି। ୨ ଜଣ ଫାର୍ମାସିଷ୍ଟ ବଦଳରେ ଜଣେ ଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ନିଯୁକ୍ତି ପାଇଁ ଦାବି ହେଉଥିଲେ ମଧ୍ୟ ପୂର୍ବ ସରକାର କି ବର୍ତମାନ ର ସରକାର ଏହାକୁ କର୍ଣ୍ଣପାତ କରୁ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେହିପରି ଓରାଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ନା ଡାକ୍ତର ଅଛନ୍ତି, ନା ଫାର୍ମାସିଷ୍ଟ। ନିୟମିତ ୪୦ /୫୦ ରୋଗୀ, ଡାକ୍ତରଖାନା ଆସି ଫେରିକି ଯାଉଛନ୍ତି। ସେହିପରି ସୁନ୍ଦରାପାଳ ଡାକ୍ତରଖାନା ଉପରେ ଜମ୍ଭୀରା, ସଢା, ପନ୍ଦାଡୋ ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବା ବେଳେ ଡାକ୍ତର ଓ ଫାର୍ମାସିଷ୍ଟ ନଥିବାରୁ କେବଳ କୋଠା ଘରକୁ ଦେଖି ଦେଖି ରୋଗୀମାନେ ନିରାଶ ହୋଇ ଫେରୁଛନ୍ତି। ସେହିପରି ସୋସୋ ଡାକ୍ତରଖାନାରେ ବର୍ଷେ ହେଲା ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅନେକ ଦାବିପରେ ହଦଗଡ଼ ଡାକ୍ତରଖାନାର ଡାକ୍ତରଙ୍କୁ ଏଠାରେ ୨ ଦିନ ଡ୍ୟୁଟି କରିବାକୁ ନିର୍ଦେଶ ଦିଆ ଯାଇଛି। କିନ୍ତୁ ପ୍ରତିଦିନ ଶହ ଶହ ରୋଗୀ ଆସୁଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ବାଧ୍ୟ ହୋଇ ଆଗରପଡା କିମ୍ବା ଭଦ୍ରକ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, କେନ୍ଦୁଝର ଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାର ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟଜ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


