ଅଦାଲତ ଅବମାନନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦରମା ଉଠାଇ ପାରିବେ ନାହିଁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବ

କଟକ, (ଓ୍ବାଇଏନଏସ): କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ସଂପୂର୍ଣ୍ଣ କାର୍ଯ୍ୟକାରୀ ନ କରିବା ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। କର୍ମଚାରୀଙ୍କୁ ଅର୍ଥ ପ୍ରଦାନ ସଂପର୍କିତ ପୂର୍ବ ନିର୍ଦ୍ଦେଶ ପାଳନ ନ ହେବା ପର୍ଯ୍ୟନ୍ତ ଅଦାଲତ ଅବମାନନା ମାମଲାର ପ୍ରତିପକ୍ଷ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବ ସେମାନଙ୍କ ଦରମା ଉଠାଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଆବେଦନକାରୀ କର୍ମଚାରୀଙ୍କୁ ଏ ବାବଦ ଅର୍ଥ ପ୍ରଦାନ କରାଯାଏ, ତେବେ ପ୍ରତିପକ୍ଷ ଆଇନ ଅନୁସାରେ ସେମାନଙ୍କ ଦରମା ଉଠାଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନନ୍ତ କୁମାର ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୭ରେ ଚାକିରିରେ ଯୋଗଦେବା ଦିନଠାରୁ ଆବେଦନକାରୀଙ୍କୁ ନିୟମିତ କରିବା ପାଇଁ ହାଇକୋର୍ଟ ରାୟ ଦେଇଥିଲେ। ଏଥି ସହିତ ଆବେଦନକାରୀଙ୍କୁ ନିର୍ଦ୍ଦିଷ୍ଟ ତାରିଖରୁ ଆର୍ଥିକ ସୁବିଧା ପ୍ରଦାନ ପାଇଁ ହାଇକୋର୍ଟ କହିଥିଲେ। ୨୦୨୫ ସେପ୍ଟେମ୍ବର ୧୦ର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ କରି ଆବେଦନକାରୀ ୨୦୨୬ରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଆଂଶିକ କାର୍ଯ୍ୟକାରୀ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୨୦୨୫ ସେପ୍ଟେମ୍ବର ୧୦ର ନିର୍ଦ୍ଦେଶ ସରଳ ଇଂରାଜୀରେ ଥିବା ବେଳେ ଜଣେ ମାଟ୍ରିକ୍‌ ପାସ୍‌ କରି ନଥିବା ବ୍ୟକ୍ତି ଏହାକୁ ବୁଝି ପାରିବ। ନିର୍ଦ୍ଦେଶର ଅର୍ଥ କଣ ତାକୁ ନେଇ କିଛି ବିବାଦ ନାହିଁ। ତଥାପି ସେହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନାହଁ। ଆଂଶିକ ନିର୍ଦ୍ଦେଶ ପାଳନ କରାଯାଇଛି ବୋଲି ରିପୋର୍ଟ କରାଯାଇଛି। ଆଂଶିକ ଅନୁପାଳନ, ନିର୍ଦ୍ଦେଶ ଅନୁପାଳନ ହୋଇ ନଥିବା ସହିତ ସମାନ ବୋଲି ହାଇକୋର୍ଟ କହିଥିଲେ। ଏଭଳି ସ୍ଥିତିରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଦର୍ଶାଯାଇଥିଲା ଯେ, ଅର୍ଥ ପ୍ରଦାନ ସଂପର୍କିତ ନିର୍ଦ୍ଦେଶ ତିନି ସପ୍ତାହ ଭିତରେ ପାଳନ କରାଯିବ। ଏଭଳି ସ୍ଥିତିରେ ହାଇକୋର୍ଟ ଅଦାଲତ ଅବମାନନା ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି। ଯଦି ଦେଇଥିବା ପ୍ରତିଶ୍ରୁତି ପାଳନ କରିବା କ୍ଷେତ୍ରରେ ବିଫଳ ହୁଅନ୍ତି ତେବେ ପ୍ରତିପକ୍ଷ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହେବେ। ଦେଇଥିବା ଭରସା ଅନୁସାରେ ଅର୍ଥ ପ୍ରଦାନ ପର୍ଯ୍ୟନ୍ତ କୁଳପତି ଓ କୁଳସଚିବ ଦରମା ଉଠାଇ ପାରିବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଯଦି ଆବେଦନକାରୀଙ୍କୁ ଅର୍ଥ ପ୍ରଦାନ କରାଯାଏ ତେବେ ପ୍ରତିପକ୍ଷ ନିୟମିତ ଦରମା ଉଠାଇବାରେ କିଛି ଅସୁବିଧା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସଞ୍ଜୀବ ମହାନ୍ତି ମାମଲା ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ