କବିବରଙ୍କ ୧୧୭ତମ ଶ୍ରାଦ୍ଧୋତ୍ସବ ପାଳିତ
ବାଲେଶ୍ୱର (ସରୋଜ ପଣ୍ଡା): କବିବରଙ୍କ ୧୧୭ତମ ଶ୍ରାଦ୍ଧବାର୍ଷିକୀ କବିବରଙ୍କ ବାସସ୍ଥଳୀ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ‘ରାଧାନାଥ ସାହିତ୍ୟ ପରିଷଦ’, ବାଲେଶ୍ୱର ପକ୍ଷରୁ ମନସ୍ୱିନୀ ଦେବୀଙ୍କ ସଭାପତିତ୍ୱରେ ଗତକାଲି ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ଡ. ରମାକାନ୍ତ ବେହେରା କହିଥିଲେ, “ବିତର୍କର ବଳୟ ସତ୍ତ୍ୱେ ରାଧାନାଥଙ୍କ ପ୍ରତିଭା ଥିଲା କାଳଜୟୀ”। ରାଧାନାଥଙ୍କର ବହୁ କାବ୍ୟର ଉଦାହରଣ ଦେଇ ଭାରତବର୍ଷରେ ସେ ଜଣେ ଗର୍ବ ଓ ଗୌରବର ସାରସ୍ୱତ ସ୍ରଷ୍ଟା ବୋଲି ଅଭିହିତ କରିଥିଲେ । ମୁଖ୍ୟବକ୍ତା ଡ. ହରିଶ୍ଚନ୍ଦ୍ର ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ, ରାଧାନାଥଙ୍କ ସହ ଉପଧା ମିଳନ ଓ ଅମିତ୍ରାକ୍ଷର ଛନ୍ଦ ପ୍ରୟୋଗରେ କେହି ସମକକ୍ଷ ହୋଇପାରି ନାହାନ୍ତିି । ପାଶ୍ଚାତୀୟ ଚିନ୍ତାଧାରା ଓ ଓଡ଼ିଆ ଜାତୀୟ ଅସ୍ମିତାର ସୁରକ୍ଷାରେ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ବିଶିଷ୍ଟ ବକ୍ତା କବି ବିମଳ ଜେନା କହିଥିଲେ ଜାତୀୟ ଦୁର୍ଦ୍ଦିନରେ ରାଧାନାଥଙ୍କ ନୂତନ ଆଧୁନିକ ଯୁଗର ସୃଷ୍ଟି ଓଡ଼ିଆ ପ୍ରାଣରେ ଉନ୍ମାଦନା ଭରି ଦେଇଥିଲା । ଶ୍ରୀ ଜେନା ରାଧାନାଥଙ୍କ ବହୁ କାବ୍ୟର ଅପୂର୍ବ ଛନ୍ଦ ବିନ୍ୟାସର ଉଦାହରଣ ଦେଇଥିଲେ । ସଂପାଦକ ଅଧ୍ୟାପକ କମଳାକାନ୍ତ ଦାଶ ରାଧାନାଥଙ୍କୁ ମହାକବି ଭାବେ ଫକୀରମୋହନ ଓ କୁନ୍ତଳା କୁମାରୀ ଆଖ୍ୟାୟିତ କରିଥିବାରୁ ତାହାର ଯଥାର୍ଥତା ପ୍ରତିପାଦନ କରିଥିଲେ । ଉପ ସଭାପତି ଡ. ହୃଷିକେଶ ସାହୁଙ୍କ ମଂଚ ଆହ୍ୱାନ ପରେ ଯୁଗ୍ମ ସଂପାଦକ ପଣ୍ଡିତ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ତଥା ଅଧ୍ୟକ୍ଷ ଡ.ନିରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିଲେ । ପଣ୍ଡିତ ଭାସ୍କର ମିଶ୍ର, ଡ. ଶରତ ମିଶ୍ର ଓ ପ୍ରଫୁଲ୍ଲ ଦାସ ପ୍ରମୁଖ ସହାୟତା କରିଥିଲେ ।