କାଳବୈଶାଖୀର ତାଣ୍ଡବଗଛ ପଡ଼ି ଜାତୀୟ ରାଜପଥ ଅବରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ରାୟଗଡା ବ୍ଲକରେ ଆଜି ଶୁକ୍ରବାର ଅପରାହ୍ନରେ ହଠାତ୍ କାଳବୈଶାଖୀ ପ୍ରଭାବରେ ସାଧାରଣ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଥିଲେ । କିନ୍ତୁ ଅନେକ ସ୍ଥାନରେ କ୍ଷୟକ୍ଷତି ମଧ୍ଯ ଘଟିଥିବା ଜଣାପଡ଼ଛି I କଇଠପଦର ଛକ ନିକଟରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ି ଜାତୀୟ ରାଜପଥ ୩୨୬(A) ଅବରୋଧ ହୋଇଛି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ରାୟଗଡ଼ ବ୍ଲକ ଅଞ୍ଚଳରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଥିବାବେଳେ ତାତିରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ରହିବାକୁ ଚେଷ୍ଟା କରୁଥିବାବେଳେ ବିଦ୍ୟୁତ୍ ବିଭାଗର ‘ଲୁଚକାଳି’ ଖେଳ ସେମାନଙ୍କ ଦୁର୍ଦ୍ଦଶାକୁ ଦୁଇ ଗୁଣିତ କରିଛି । ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଏହି ପରିସ୍ଥିତି ମଧ୍ୟରେ ଆଜି ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା । ପ୍ରବଳ ବେଗରେ ପବନ ସହ କାଳବୈଶାଖୀ ମାଡ଼ି ଆସିବାରୁ କଇଠପଦର ଛକ ନିକଟରେ ଥିବା ଏକ ବୃହତ ଗଛ ଉପୁଡ଼ି ଜାତୀୟ ରାଜପଥ ଉପରେ ପଡ଼ିଯାଇଥିଲା। ଫଳରେ ମୋହନା ଓ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ଏହି ବ୍ୟସ୍ତ ବହୁଳ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଦଶ ଚକିଆ ଟ୍ରକ୍ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍ ଏବଂ ଶତାଧିକ ବାଇକ୍ ଅଟକି ରହିଛି । ଗଛ ପଡ଼ିବା ଯୋଗୁଁ ବିଦ୍ୟୁତ୍ ତାର ମଧ୍ଯ ଛିଣ୍ଡି ଯାଇଥିବା ସୂଚନା ମିଳିଛି । ଯାହା ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧାରରେ ରହିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ୍ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ