ବିଲୁପ୍ତର ଦ୍ୱାର ଦେଶରେ କୋରାପୁଟର ଚନ୍ଦନ ବଣ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତା ପାଇଁ ପରିଚିତ କୋରାପୁଟ ଜିଲ୍ଲାର ସୁଗନ୍ଧିତ ଚନ୍ଦନ ବନ ଏବେ ବିଲୁପ୍ତି ମୁହାଁରେ ପହଞ୍ଚିଛି। ଏକ ସମୟରେ ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳ ଓ ସଂରକ୍ଷିତ ଜଙ୍ଗଲରେ ପ୍ରଚୁର ପରିମାଣରେ ଚନ୍ଦନ ଗଛ ଦେଖିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ଚୋରା ଚାଲାଣ, ଅବୈଧ କାଠ କଟା, ବନ ଧ୍ୱଂସ ଓ ସଚେତନତାର ଅଭାବ ଯୋଗୁଁ ଏହି ମୂଲ୍ୟବାନ ବୃକ୍ଷ ପ୍ରଜାତି ଧୀରେ ଧୀରେ ଅଦୃଶ୍ୟ ହେବାକୁ ବସିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, କୋରାପୁଟର ଲମତାପୁଟ, ପଟ୍ଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର ଏବଂ ଦଶମନ୍ତପୁର ଅଞ୍ଚଳର ଜଙ୍ଗଲରେ ପୂର୍ବରୁ ଚନ୍ଦନ ଗଛ ବହୁ ପରିମାଣରେ ଥିଲା। ଚନ୍ଦନ କାଠର ବଜାର ମୂଲ୍ୟ ଅଧିକ ଥିବାରୁ ଅସାଧୁ ବନ କର୍ମଚାରୀ ଙ୍କ ଦ୍ୱାରା ଅବୈଧ ଭାବେ ଗଛ କାଟି ଚୋରାଚାଲାଣ କରାଯାଇଥିବା ଅଭିଯୋଗ ହୋଇଆସୁଛି। ଏହା ସହିତ ବନାଞ୍ଚଳ ସଂକୋଚନ ଓ ଅନିୟନ୍ତ୍ରିତ ମାନବ ହସ୍ତକ୍ଷେପ ମଧ୍ୟ ଚନ୍ଦନ ବନର ଅବକ୍ଷୟର ଏକ ପ୍ରମୁଖ କାରଣ ହୋଇଛି। ପରିବେଶବିତ୍ମାନଙ୍କ ମତରେ, ଚନ୍ଦନ କେବଳ ଏକ ମୂଲ୍ୟବାନ ବୃକ୍ଷ ନୁହେଁ, ଏହା ଜଙ୍ଗଲର ଜୈବ ବିବିଧତା ରକ୍ଷାରେ ମଧ୍ୟ ସହାୟକ ଭୂମିକା ଗ୍ରହଣ କରେ। ଏହାର ସଂରକ୍ଷଣ ପାଇଁ ବ୍ୟାପକ ବୃକ୍ଷରୋପଣ, କଠୋର ନଜରଦାରୀ ଓ ସ୍ଥାନୀୟ ଲୋକଙ୍କ ସହଭାଗିତା ଅତ୍ୟାବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ବନ ବିଭାଗ ଚନ୍ଦନ ଚାଷକୁ ପ୍ରୋତ୍ସାହନ ଦେବା ସହ ନୂତନ ଚାରା ରୋପଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଦାବି ହେଉଛି। ସମୟ ଥାଉ ଥାଉ ଯଦି ଏହି ଦିଗରେ ଠୋସ୍ ପଦକ୍ଷେପ ନିଆ ଯାଇନଥାଏ । ତେବେ ଆଗାମୀ ପିଢ଼ି କୋରାପୁଟର ସୁଗନ୍ଧିତ ଚନ୍ଦନ ବନକୁ କେବଳ ଇତିହାସର ପୃଷ୍ଠାରେ ହିଁ ଦେଖିବାକୁ ପାଇବେ।


