ଗଜପତିର ଶ୍ରମିକ ନିଖୋଜ, ଖୋଜିବା ପାଇଁ ଚେନ୍ନାଇ ଗଲେ ବୃଦ୍ଧ ପିତା ମାତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ବୃଦ୍ଧ ପିତା ମାତାଙ୍କୁ ପରିପୋଷଣ କରିବା ପାଇଁ ଗଜପତି ଜିଲ୍ଲାରୁ ନିଜ ଭିଟା ମାଟି ଛାଡି ଦାଦନ ଶ୍ରମିକ ଭାବେ ଚେନ୍ନାଇ ଯାଇଥିବା ଶ୍ରମିକ ନିଖୋଜ ଅଛନ୍ତି. ସେ ଦୀର୍ଘ 2 ମାସ ଧରି ନିଖୋଜ ଥିବା ସହ ତାର କୌଣସି ଖବର ନ ପାଇ ବୃଦ୍ଧ ପିତାମାତା ତାକୁ ଖୋଜିବା ସହ ଗଜପତି ଫେରାଇ ଆଣିବା ପାଇଁ ଚେନ୍ନାଇ ଯାତ୍ରା କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କିରାଆମ୍ବ ଗ୍ରାମର ଜିତୁ ନାୟକ ନିଜ ବୃଦ୍ଧ ପିତା ମାତାଙ୍କୁ ପରିପୋଷଣ କରିବା ପାଇଁ ନିଜ ଘର ଦ୍ୱାର ଛାଡି ବିଗତ 6 ବର୍ଷ ତଳେ ଚେନ୍ନାଇ ଯାଇଥିଲେ. ଚେନ୍ନାଇରେ ଜିତୁ ଏକ ହୋଟେଲରେ ଶ୍ରମିକ ଭାବେ କାମ କରି ପ୍ରତେକ ମାସରେ ତାର ଦରମାରୁ ଅଧା ଟଙ୍କା ନିଜ ବୃଦ୍ଧ ପିତାମାତାଙ୍କୁ ପ୍ରତେକ ମାସରେ ପଠାଉ ଥିଲା. ସେହି ଟଙ୍କାରେ ଜିତୁର ବୃଦ୍ଧ ପିତାମାତା ଗଜପତିର କିରାଆମ୍ବ ଗ୍ରାମରେ ଚଳି ଆସୁଥିଲେ. ହେଲେ ଗତ 2 ମାସରୁ ଉର୍ଦ୍ଧ ସମୟ ହେଲା ଜିତୁ ଠାରୁ କୌଣସି ଫୋନ କଲ ତାର ବୃଦ୍ଧ ପିତାମାତାଙ୍କ ନିକଟକୁ ଆସିନାହିଁ କିମ୍ବା 2 ମାସ ହେଲା ସେ ପଠାଉ ଥିବା ଟଙ୍କା ମଧ୍ୟ ଆସିନାହିଁ. ଗଜପତିରୁ ଜିତୁର ପିତାମାତା ମୋବାଇଲ କଲ କଲେ ଜିତୁର ମୋବାଇଲ ନଂ ରେ ଅନ୍ୟ ଜଣେ କଲ ରିସିଭ କରି ସେଠାରେ ଜିତୁ ନଥିବା ହିନ୍ଦୀରେ କହି କାଟି ଦେଉଥିବା ଅଭିଯୋଗ ହୋଇଛି. ଘଟଣା ନେଇ ଜିତୁର ବୃଦ୍ଧ ପିତା ମାତା ଅତ୍ୟନ୍ତ ଭୟଭୀତ ହୋଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗ ନିବେଦନ କରିଛନ୍ତି. ଜିତୁକୁ ଫେରାଇ ଆଣିବା ପାଇଁ ଆଜି ତାର ବୃଦ୍ଧ ପିତାମାତା ଗଜପତିରୁ ବାହାରି ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ସମ୍ପୃକ୍ତ ଘଟଣା ନେଇ ଉଦବେଗ ପ୍ରକାଶ ପାଇଛି. ଘଟଣା ନେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ