ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ତିନି ଠିକାଦାର ଗିରଫ
କଟକ, (ଓ୍ବାଇଏନଏସ): ବହୁ ଚର୍ଚ୍ଚିତ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲାରେ ଆଜି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଟିମ୍ ନୟାଗଡ଼, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ତିନି ଜିଲ୍ଲାରୁ ଉକ୍ତ ବିଦ୍ୟୁତକରଣ କାର୍ଯ୍ୟର ଠିକା ନେଇଥିବା ତିନି ଠିକାଦାରଙ୍କୁ ଗିରଫ କରିଛି। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ମୟୂରଭଞ୍ଜଜିଲ୍ଲା ବାରିପଦା ଏମ୍/ଏସ୍ ଟ୍ରାନ୍ସପାୱାରର ମାଲିକ ଗିରିଜା ଶଙ୍କର ଦାଶ, ଯାଜପୁର ଜିଲ୍ଲା ଦେବୀ ଦ୍ବାରର ଏମ୍/ଏସ୍ ବିରଜା ଇଲେକ୍ଟ୍ରିକାଲ୍ ଆଣ୍ଡ୍ କନ୍ଷ୍ଟ୍ରକ୍ସନସର ମାଲିକ ଧରଣୀଧର ସାହୁ, ଭୁବନେଶ୍ବର ଖଣ୍ଡଗିରି ଠାରେ ଥିବା ଏମ୍/ଏସ୍ ଯୋଗମାୟା ଟ୍ରେଡେର୍ସ ପ୍ରୋର ମାଲିକ ବିଭୂତି ରଞ୍ଜନ ବିଶ୍ବାଳଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ତୁରନ୍ତ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ଏହି ଦୁର୍ନୀତି ଘଟଣାରେ ଭିଜିଲାନ୍ସ, ଦୁର୍ନୀତି ନିବାରଣ ଆଇନ ୧୯୮୮ ଓ ଆଇପିସିର ବିଭିନ୍ନ ଧାରାରେ ୫,୬,୭/୨୦୨୬ରେ ତିନିଟି ପୃଥକ ମାମଲା ରଜୁକରିଛି। ତଦନ୍ତରେ ଉକ୍ତ ତିନି ଠିକାଦାରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଓ ଦୁର୍ନୀତିର ପ୍ରମାଣ ମିଳିଛି। ସେମାନଙ୍କୁ ତିନି ଜିଲ୍ଲାରେ ରାସ୍ତାକଡ଼ ବିଦ୍ୟୁତକରଣ ନିମନ୍ତେ ଠିକା ଦିଆଯାଇଥିଲା। ୫ତମ ରାଜ୍ୟ ଅର୍ଥ ଆୟୋଗର ଇଭୋଲ୍ୟୁସନ୍ ଗ୍ରାଣ୍ଟ୍ରୁ ୨୦୨୧ରୁ ୨୦୨୩ ମଧ୍ୟରେ ଅନୁଦାନ ମିଳିଥିଲା। ତିନିଟି ଜିଲ୍ଲାରେ ୧୦୦୦ଟି କ୍ଲଷ୍ଟରରେ ଏହି ଦୁର୍ନୀତି ହୋଇଛି। ପ୍ରତି କ୍ଲଷ୍ଟରରେ ୧୦ଟି ଏଲ୍ଇଡି ଲାଇଟ୍ ରହିଥାଏ। ପ୍ରାଥମିକ ଆକଳନରେ ପ୍ରାୟ ୩ କୋଟି ଟଙ୍କା ହଡ଼ପ ହୋଇଥିବା ଜଣାଯାଇଛି। ସମସ୍ତ କ୍ଲଷ୍ଟରର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ହେରଫେର ଓ ହଡ଼ପ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିରେ ଜଡ଼ିତ ନଥିପତ୍ରଗୁଡ଼ିକ ଜବତ ହୋଇଛି। ମାମଲାର ତଦନ୍ତ ଜାରି ରହିଛି। ଟଙ୍କା ଆବଣ୍ଟନ ଓ କାର୍ଯ୍ୟାନ୍ବୟନ ଏବଂ ଏଥିରେ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ସମ୍ପର୍କରେ ମଧ୍ୟ ଅନୁସନ୍ଧାନ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।


