ରେଳରୋକ ନିମନ୍ତେ ପ୍ରସ୍ତୁତି ବୈଠକ

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ରେଳ ବିଭାଗ ତରଫରୁ ବିଭିନ୍ନ ସମୟରେ ଉଦାସୀନତା ଓ ମିଛ ପ୍ରତିଶୃତିକୁ ନେଇ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ଆଗାମୀ ଜୁଲାଇ ୫/୭/୨୦୨୬ ତାରିଖରେ ହେବକୁଥିବା ରେଳରୋକ ନିମନ୍ତେ ସ୍ଥାନୀୟ ସାହୀନ ହୋଟେଲ ପରିସରରେ ମଞ୍ଚର ସଭାପତି ସିଏଚ. ଗଣେଶ୍ୱର ରାଓଙ୍କ ସଭାପତିତ୍ବ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁନିଗୁଡ଼ା ପ୍ରଗତି ମଞ୍ଚ ରେଳ ବିଭାଗର ପାତରଅନ୍ତର ନୀତି ବିରୁଦ୍ଧରେ ଚରମ ନିଷ୍ପତ୍ତି ନେବା ସହ ବୈଠକରେ ସର୍ବ ସମ୍ମତିକ୍ରମେ ରେଳ ବିଭାଗର ମୁନିଗୁଡ଼ା ବାସୀଙ୍କ ପ୍ରତି ଉଦାସୀନତା,ମନମୁଖୀ ଓ ମିଛ ପ୍ରତିଶୃତିକୁ ଘୋର ନିନ୍ଦା କରାଯିବା ସହ ଆଗାମୀ ଜୁଲାଇ ୫/୭/୨୦୨୬ ତାରିଖରେ ହେବକୁ ଥିବା ରେଳରୋକ କରିବା ପାଇଁ ଚରମ ନିଷ୍ପତି ନିଆଯାଇଥିବା ମଞ୍ଚ ସୂତ୍ରରୁ ଜଣାପଡିଛି। ମୁନିଗୁଡାର ତିନିକୋଣିଆ ଛକ ନିକଟସ୍ଥ ରେଳ ଗେଟ ପାଖରେ ଭୂତଳ ରାସ୍ତା ନିର୍ମାଣ ଓ ରାୟଗଡା ନୂତନ ରେଳ ଡିଭିଜନରେ ମୁନିଗୁଡ଼ାକୁ ସାମିଲ କରିବା ଦୁଇଟି ପ୍ରମୁଖ ଦାବିକୁ ନେଇ ରେଳରୋକ୍ ଆନ୍ଦୋଳନ ପାଇଁ ମଞ୍ଚ ତରଫରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରେଳରୋକରେ ପ୍ରାୟ ପାଞ୍ଚ ହଜାର ଜନସାଧାରଣ ସାମିଲ ହେବାର ଯୋଜନା ରହିଥିବା ବେଳେ ଏଥିପାଇଁ ମୁନିଗୁଡାର ବିଭିନ୍ନ ସଂଗଠନ, ଅନୁଷ୍ଠାନ ଓ କ୍ଳବ ସହ ରାଜନୌତିକ ଦଳ ଏବଂ ଅଞ୍ଚଳବାସୀଙ୍କୁ ଅବଗତ କରାଇବା ସହ ସେମାନଙ୍କ ସହ ଆଲୋଚନା କରାଯିବ ଓ ରେଳରୋକରେ ପୂର୍ଣ୍ଣ ସହଯୋଗ ନିମନ୍ତେ ଅନୁରୋଧ କରାଯିବ ଏବଂ ରେଳରୋକ୍ ସହ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଗତି ମଞ୍ଚ ଉପଦେଷ୍ଟା ଏମଡି. ଆୟୁବ, ଜଗନ୍ନାଥ ନୁଣ୍ଡ୍ରୁକ,ଉପ ସଭାପତି ରାଜୀବ ଲୋଚନ ଦାସ,ସହ ସମ୍ପାଦକ ମନୋରଞ୍ଜନ ଦଳାଇ, କୋଷାଧ୍ୟକ୍ଷ ନନ୍ଦକିଶୋର ପଟ୍ଟନାୟକ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ପରିଛା, ସୁଦାମ ଚରଣ ପଣ୍ଡା,ପ୍ରଭାତ ପାଣିଗ୍ରାହୀ, ସୁଧାକର ମହାରଣା,ବିଦ୍ୟାଧର ଦାସ,କେ. ସତ୍ୟନାରାୟଣ,ବାଲାଜୀ ପାତ୍ର, ଆନନ୍ଦ ରାଓ, ଲାଡ଼ି ଶଙ୍କର, କେ.ଶ୍ରୀନିବାସ, ଦୁଃଖିଶ୍ୟାମ ସୁବୁଦ୍ଧି,ଜାମି.ମହେଶ, ଜଗା ଶବର ପ୍ରମୁଖଙ୍କ ସହ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହି ପ୍ରସ୍ତାବକୁ ସ୍ବାଗତ କରିବା ସହ ଅସନ୍ତୋଷ ପ୍ରକାଶ କରି ଜଣାଇଛନ୍ତି। ସୂଚନା ଯେ ମୁନିଗୁଡାର ତିନି କୋଣିଆ ଛକ ନିକଟସ୍ଥ ଲେବଲ କର୍ସିଂ ଗେଟ୍ ନିକଟରେ ଏକ ଭୂତଳ ରାସ୍ତା ପାଇଁ ମୁନିଗୁଡ଼ା ବାସୀ ଦୀର୍ଘ ୧୪ବର୍ଷ ହେବ ଦାବି କରି ଆସୁଛନ୍ତି। ଏହି ମୁଖ୍ୟ ଦାବି ସହ ଅନ୍ୟାନ୍ୟ ଦାବିକୁ ନେଇ ମୁନିଗୁଡ଼ା ପ୍ରଗତି ମଞ୍ଚ ରେଳ ଷ୍ଟେସନ ସମ୍ମୁଖରେ ଗଣ ଧାରଣା ଦେବା ସହ ଜନ ଆନ୍ଦୋଳନକୁ ଉଗ୍ର ରୂପ ଦେଇଥିଲା।ଫଳରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମୁଖ୍ୟ ଦାବି ଭୂତଳ ରାସ୍ତାର କାର୍ଯ୍ୟ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇ ଯାଇଥିଲେ। ତାର ସପ୍ତାହ ପରେ ଭୂତଳ ରାସ୍ତା ସ୍ଥାନ ସର୍ଭେ କରି ଏହାର ଏଷ୍ଟିମେଟ ପ୍ଲାନ୍ ସହ ଡିଜାଇନ୍ ଭୁବନେଶ୍ୱର କାର୍ଯ୍ୟାଳୟକୁ ପଠାଇଥିବା ପ୍ରଗତି ମଞ୍ଚଳକୁ ଜଣାଇ ଦେଇଥିଲେ। ଏହାର କିଛି ଦିନ ପରେ ଟେଣ୍ଡର ହୋଇଯାଇଛି,ତୁରନ୍ତ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ମଧ୍ୟ ମୌଖିକ ଭାବେ ସୂଚନା ଦେଇଥିଲେ। ହେଲେ ଏହା ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଉନାହିଁ। ଦ୍ବିତୀୟତଃ ମୁନିଗୁଡ଼ା ଷ୍ଟେସନ ରାୟଗଡ଼ା ଜିଲ୍ଲାର ଏକ ବ୍ୟସ୍ତ ବହୁଳ ଓ ଆୟ ପ୍ରଦାନ କାରି ଷ୍ଟେସନ।ରାୟଗଡ଼ା ନୂଆ ରେଳ ଡିଭିଜନ ହେଲା ସମୟରେ ମୁନିଗୁଡ଼ା ଷ୍ଟେଶନକୁ ସବ ଡିଭିଜନ କାର୍ଯ୍ୟାଳୟ କରିବା ବିଭାଗୀୟ ଅଧିକାରି ମାନଙ୍କ ଠାରୁ ଶୁଣିବାକୁ ମିଳୁଥିଲା। ହେଲେ ସବ ଡିଭିଜନ କଥା ଦୁରେ ଥାଉ ମୁନିଗୁଡ଼ା ଷ୍ଟେଷନକୁ ରାୟଗଡ଼ା ଡିଭିଜନରେ ସ୍ଥାନ ନଦେବା ସମଗ୍ର ଜିଲ୍ଲା ତଥା ମୁନିଗୁଡ଼ା ଜନ ସାଧାରଣଙ୍କୁ ବିସ୍ମିତ କରିଛି। ରେଳ ବିଭାଗ ମୁନିଗୁଡ଼ାରୁ ପର୍ଯ୍ୟାପ୍ତ ରାଜସ୍ବ ପାଉଥିଲେ ମଧ୍ୟ ବିଭାଗୀୟ ବୈମାତୃକ ଭାବ ମୁନିଗୁଡ଼ା ଅଞ୍ଚଳ ପ୍ରତି ସର୍ବଦା ଦେଖାଇ ଆସୁଅଛି। ଏହି ଅଣଦେଖା ବିଷୟକୁ ନେଇ ମୁନିଗୁଡ଼ା ପ୍ରଗତି ମଞ୍ଚର ସଦସ୍ୟ ମାନଙ୍କ ସହିତ ରେଳ ବିଭାଗ ଡିଭିଯିନାଲ ଅଧିକାରୀ ମାନଙ୍କୁ ନେଇ ଅନେକ ବାର ସାକ୍ଷାତ ଆଲୋଚନା କରିଥିଲେ ମଧ୍ୟ ବିଭାଗ ଲୁଚକାଳି ଖେଳିବା ସହିତ କୌଣସି ପଦକ୍ଷେପ ନେଇନାହିଁ। ମଝିରେ ମଝିରେ ମିଛ ପ୍ରତିଶ୍ରୁତି ଓ ଫାଇଲ ମୁଭମେଣ୍ଟର ବାହାନା ଦେଖାଇ ମୁନିଗୁଡ଼ା ବାସୀଙ୍କୁ ରେଳ ବିଭାଗ ଠକି ଚାଲିଛି। ବର୍ତମାନ ରେଳ ବିଭାଗର ଏହି ଲୁଚକାଳୀ ଖେଳ ଓ ସମୟସୀମା ମଧ୍ୟ ସରି ଆସିଲାଣି ଅନ୍ୟପଟେ ମୁନିଗୁଡା ଅଞ୍ଚଳବାସୀ ରେଳ ବିଭାଗର ଏହି ଉଦାସୀନତାକୁ ଆଉ ସହ୍ୟ କରି ପାରୁନାହାନ୍ତି ଯାହାକୁ ନେଇ ଏବେ ରେଳରୋକ ହିଁ ଏହାର ଶେଷ ଉପାୟ ବୋଲି ଚେତାବନୀ ଦେବା ସହ ସଜବାଜ ହେଉଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ