ଜଙ୍ଗଲରୁ ମଦ ପୋଚ ଜବତ ; ୪ ଅଭିଯୁକ୍ତଙ୍କ ନାଁରେ ମାମଲା
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଚୋରା ମଦ ଧରପଗଡ ପାଇଁ ପାଟ୍ରୋଲିଂ କରୁଥିବା ବେଳେ ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ତେଲିଆପଲ୍ଲୀ ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲ ରେ ଚୋରା ଅପମିଶ୍ରିତ ଦେଶୀମଦ ପ୍ରସ୍ତୁତ ହେଉଥିବା ଖବର ପାଇଥିଲେ।ପୋଲିସ ଟିମ୍ ଅତର୍କିତ ଚଢାଉ ବେଳେ ମଦ ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତି ପୋଲିସ ଟିମ୍ କୁ ଦେଖି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ।ତାଙ୍କୁ ଧରିବା ପାଇଁ ପୋଲିସ କର୍ମଚାରୀ ମାନେ ଉଦ୍ୟମ କରିଥଲେ ମଧ୍ୟ ତାଙ୍କୁ ଧରି ପାରିନଥିଲେ।ପୋଲିସ ସେଠାରୁ ୨ ଟି ପ୍ଲାଷ୍ଟିକ ଡ୍ରମ ରେ ଥିବା ୪ ଶହ ଲିଟର ମଦ ପ୍ରସ୍ତୁତ ଥିବା ମହୁଆ ପୋଚ ଜବତ କରିଥିଲେ।ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯିବା ପରେ ସେଗୁଡିକୁ ନଷ୍ଟ କରାଯାଇଥିଲା। ତେଲିଆପଲ୍ଲୀ ଗ୍ରାମର ବଳରାମ ମଲ୍ଲିକ ଏବଂ ବୁଦ୍ଧିଆ ମଲ୍ଲିକ ବିନା ଲାଇସେନ୍ସ ରେ ମଦ କୁ ଅଧିକ ନିଶା ଯୁକ୍ତ କରିବା ନିମନ୍ତେ ରାଜ ପିଡ଼ିଆ,କେନ୍ଦୁପତ୍ର,ଜଙ୍ଗଲରୁ ସଂଗୃହିତ ବିଭିନ୍ନ ଗଛ ର ଚେରମୂଳି,ମହୁଲ ଗୁଡ଼ ପ୍ରଭୃତି ବ୍ୟବହାର କରି ଦେଶୀମଦ ପ୍ରସ୍ତୁତ କରୁଥିବା ଖବର ପାଇଥିଲେ।ଏନେଇ ଏସ.ଆଇ ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୨/୨୫ ଅନୁଯାୟୀ ଅଭିଯୁକ୍ତ ଦ୍ବୟ ଙ୍କ ନାଁ ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ସେହିପରି ଢେପାଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ପୋଲିସ ଟିମ୍ ଚଢ଼ାଉ କରି ୨ ଟି ପ୍ଲାଷ୍ଟିକ ଡ୍ରମ ରେ ମହଜୁଦ ଥିବା ୪ ଶହ ଲିଟର ଅପମିଶ୍ରିତ ମଦପୋଚ ଜବତ କରିଛନ୍ତି।ଏହି ମଦ ପ୍ରସ୍ତୁତି ରେ ସମ୍ପୃକ୍ତ ଥିବା ଢେପାଗୁଡ଼ା ଗ୍ରାମର ଦେବରାଜ ମଲ୍ଲିକ ଏବଂ ରଞ୍ଜନ ମଲ୍ଲିକ ଙ୍କ ନାଁ ରେ ଥାନା ମାମଲା ନଂ.୧୭୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି।ଖୁବ୍ ଶୀଘ୍ର ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଭାରପ୍ରାପ୍ତ ଆଇଆଇସି କହିଛନ୍ତି।


