ପାଖେଇ ଆସୁଛି ମା ଦୁର୍ଗାଙ୍କ ପୂଜା: କେବେ ମରାମତି ହେବ ଆସିକା ଘରୋଇ ବସ୍‍ଷ୍ଟାଣ୍ଡର ଖାଲଖମା ରାସ୍ତା

ଆସିକା(ୱାଇଏନ୍‍ଏସ୍‍) : ପାଖେଇ ଆସୁଛି ଜଗତ୍‍ଜନନୀ ମା ଦୁର୍ଗାଙ୍କ ପୂଜା । ପାର୍ବଣ ପ୍ରସ୍ତୁତି ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ଘରୋଇ ବସ୍‍ମାଲିକ ସଂଘ ପକ୍ଷରୁ ଶାରଦୀୟ ଦୁର୍ଗାପୂଜାକୁ ମହାଆଡମ୍ବରରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ପାଳନ କରିବା ସକାଶେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ପାର୍ବଣ ସମୟରେ ଆସିକା ଘରୋଇ ବସ୍‍ଷ୍ଟାଣ୍ଡର ଖାଲଖମା ରାସ୍ତାକୁ ନେଇ ଶ୍ରଦ୍ଧାଳୁଙ୍କ ଦୁଃ୍ରଖ ବଢିଯିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଆଗାମୀ କିଛି ଦିନ ପରେ ଆସିକା ଘରୋଇ ବସ୍‍ମାଲିକ ସଂଘର ସ୍ଥାୟୀ ଦୁର୍ଗାପୂଜା ମଣ୍ଡପରେ ବିରାଜିବେ ମହାମାୟା । ଘରୋଇ ବସ୍‍ଷ୍ଟାଣ୍ଡରେ ଉତ୍ସବର ମାହୋଲ୍‍ ସୃଷ୍ଟି ହେବା ସାଙ୍ଗକୁ ଆଲୋକସଜ୍ଜାରେ ଝଲସିବ ପୂଜାମଣ୍ଡପ । ଆସିକା ଘରୋଇ ବସ୍‍ମାଲିକ ସଂଘର ପୂଜାମଣ୍ଡପକୁ ଛୁଟିବ ଶହ ଶହ ଶ୍ରଦ୍ଧାଳୁଙ୍କ ସୁଅ । ଦୁର୍ଗାପୂଜାକୁ ହାତରେ ଆଉମାତ୍ର କିଛି ଦିନ ବାକିଥିଲା ବେଳେ ଘରୋଇ ବସ୍‍ଷ୍ଟାଣ୍ଡର ଖାଲଖମା ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ବିଜୟୱାଡା-ରାଞ୍ଚି କରିଡର ଅଧିନସ୍ଥ ଜାତୀୟ ରାଜପଥରୁ ଘରୋଇ ବସ୍‍ଷ୍ଟାଣ୍ଡକୁ ସଂଯୋଗ କରୁଥିବା ମୁଖ୍ୟ ପ୍ରବେଶପଥଟି ଖାଲଖମାରେ ପରିଣତ ହୋଇରହିଥିଲେ ମଧ୍ୟ ତାହାକୁ ସ୍ଥାୟୀ ମରାମତି କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ କେଉଁ ସମୟରେ ଦୁର୍ଘଟଣା ଘଟି ଅକାଳରେ କାହାର ଜୀବନଦୀପ ଲିଭିବ ତାହା କିଏ କହିବ ବୋଲି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଆସିକା ଘରୋଇ ବସ୍‍ଷ୍ଟାଣ୍ଡର ବିଭିନ୍ନ ସ୍ଥାନ ଖାଲଖମାରେ ପରିଣତ ହୋଇରହିଥିଲା ବେଳେ ସାମାନ୍ୟ ବର୍ଷାରେ ବର୍ଷାପାଣି ବି ନିଷ୍କାସିତ ନହୋଇ ଲହୁଡି ମାରୁଥିବା ଅଭିଯୋଗ ହେଉଛି । ଦୀର୍ଘ ଦିନ ଧରି ଆସିକା ଘରୋଇ ବସ୍‍ଷ୍ଟାଣ୍ଡର କେତେକ ସ୍ଥାନ ଖାଲଖମାରେ ପରିଣତ ହୋଇରହିଥିଲେ ମଧ୍ୟ ମରାମତି କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ନୀରବତା ଓ ଉଦାସୀନ ମନୋବୃତ୍ତିକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଘରୋଇ ବସ୍‍ଷ୍ଟାଣ୍ଡର ଖାଲଖମା ରାସ୍ତାରେ ଯାତାୟତ ପାଇଁ ପାଦେ ପାଦେ ବିପଦ ବି ରହୁଛି । ଆସିକା ଘରୋଇ ବସ୍‍ଷ୍ଟାଣ୍ଡର ଦୂରାବସ୍ଥାକୁ ଦୁର କରିବା ଦିଗରେ ପ୍ରଶାସନର ନିଷ୍କ୍ରିୟତାକୁ ସାଧାରଣରେ ନାପସନ୍ଦ କରାଯାଉଥିବା ଦେଖିବାକୁ ମିଳିଛି । ଘରୋଇ ବସ୍‍ଷ୍ଟାଣ୍ଡର ରାସ୍ତାର ଶୋଚନୀୟ ଅବସ୍ଥାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ବର୍ଷ ବର୍ଷ ଧରି ନାନା ସମସ୍ୟାରେ ଜର୍ଜରିତ ହୋଇ ପଡିରହିଛି ଆସିକା ଘରୋଇ ବସଷ୍ଟାଣ୍ଡ । ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ କେନ୍ଦ୍ରସ୍ଥଳୀ ରୂପେ ପରିଚିତ ଥିବା ଆସିକା ଅଞ୍ଚଳର ସାଧାରଣଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଭଞ୍ଜନଗରର ଆର୍ଥୀକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଘରୋଇ ବସ୍‌ଷ୍ଟାଣ୍ଡକୁ ଗତ ୨୦୧୧ ମସିହା ଅକ୍ଟୋବର ମାସ ୨୭ ତାରିଖରେ ତତ୍କାଳୀନ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ । ଆସିକା ଘରୋଇ ବସ୍‌ଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ହଜାର ହଜାର ଜନତାଙ୍କ ଆଶା ଥିଲା ଏହି ବସ୍‌ଷ୍ଟାଣ୍ଡରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବେ କିନ୍ତୁ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନର ଦୀର୍ଘ ୧୪ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଯାତ୍ରୀ ମାନେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ରାତି ପାହିଲେ ଆସିକା ଘରୋଇ ବସ୍‌ଷ୍ଟାଣ୍ଡକୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଦୈନିକ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ୱ ଜନତା ସୌଦାଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କାର୍ଯ୍ୟରେ ଆସିଥାନ୍ତି । ଆସିକା ଘରୋଇ ବସ୍‌ଷ୍ଟାଣ୍ଡରୁ ଦୈନିକ ଭୂବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ଦୁର୍ଗାପୁର, ରାୟପୁର ସମେତ ରାଜ୍ୟର ବହୁ ଅଞ୍ଚଳକୁ ଦୈନିକ ଶତାଧିକ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରୁଥିଲା ବେଳେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମିନିବସ୍ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଘରୋଇ ବସ୍‌ଷ୍ଟାଣ୍ଡରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ଘରୋଇ ମାଲିକ ସଂଘର ସଭାପତି ସୂର୍ଯ୍ୟକାନ୍ତ ପରିଡା ଏବଂ ବସ୍‍ଷ୍ଟାଣ୍ଡ ସଂପାଦକ ସନ୍ତୋଷ କୁମାର ପୋଲାଇ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ରବିନ୍ଦ୍ରନାଥ ପୋଲାଇ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ