ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପୁରାଣ ପ୍ରସିଦ୍ଧ ଅତି ପ୍ରାଚୀନ ଶୈବପୀଠ ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଶୁଭାରମ୍ଭ ହୋଇଯାଇଛି। 10 ହଜାରରୁ ଉର୍ଧ୍ଵ ମହିଳା ପବିତ୍ର ପର୍ଶୁରାମ କୁଣ୍ଡରୁ ଜଳ ଗ୍ରହଣ କରି ପୁର୍ଣ କଳସକୁ ଧରି 7 କିମି ପାହାଡିଆ ରାସ୍ତାରେ ପାଦ ଚଲାରେ ଯାଇ ପହଞ୍ଚି ଥିଲେ. ମହେନ୍ଦ୍ରମେଳା ପ୍ରାରମ୍ଭରେ ବେଦ ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖଧ୍ୱନିରେ ମହେନ୍ଦ୍ରଗିରି ପର୍ବତରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ମହେନ୍ଦ୍ର ଶିଖରରେ ବୃହତ୍ ଓ ଭବ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା. ମେଳାର ପ୍ରଥମ ଦିନରେ ଜଳଯାତ୍ରା, ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ ଭଳି ବିଭିନ୍ନ ରୀତିନୀତି ସମ୍ପନ୍ନ ହୋଇଥିଲା | ମହାଯଜ୍ଞରେ ବ୍ରାହ୍ମଣମାନଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ ପର୍ବତମାଳା ପ୍ରକମ୍ପିତ ହୋଇଉଠିଥିଲା. ସେହିପରି ଯଜ୍ଞଶାଳାରେ ପୂର୍ବରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା, ବେଦପାଠ, ହୋମ ଓ ଯଜ୍ଞ ସମ୍ପର୍କିତ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ସାଧୁସନ୍ଥ ଓ ଧର୍ମଗୁରୁ ପ୍ରବଚନ ପ୍ରଦାନ କରିଥିଲେ. ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ମହେନ୍ଦ୍ରମେଳାରେ ଆଜି ବିଧିବଦ୍ଧ ଭାବେ ମହାଯଜ୍ଞ ଆରମ୍ଭ ହୋଇଛି. ୯ ଦିନ ବ୍ୟାପୀ ପ୍ରବଚନ, ଧାର୍ମିକ ସଭା ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମହେନ୍ଦ୍ରମେଳା ଅନୁଷ୍ଠିତ ହେବ | ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା ଓ ଯାତାୟାତ ପରିଚାଳନା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।


