ଭତ୍ତା ଅପେକ୍ଷାରେ ବହୁ ଅସହାୟ ବୃଦ୍ଧବୃଦ୍ଧା
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ସରକାର ଗରିବ ଅସହାୟ ଲୋକଙ୍କୁ ଭତ୍ତା ଦେଉଛନ୍ତି ।ଏହି ଭତ୍ତା ଅର୍ଥକୁ ଶହ ଶହ ହିତାଧିକାରୀ ଚାତକ ପରି ଅନେଇ ରହିଥାନ୍ତି ।ଏହି ଭତ୍ତା ଟଙ୍କାରୁ ଅନେକ ଗରିବ ଲୋକଙ୍କ ଘରେ ଚୁଲି ଜଳେ। ସରକାର ଙ୍କ ବ୍ୟବସ୍ଥା ଭିତରେ ଆଜି ବି ଅନେକ ଲୋକ ଯୋଗ୍ୟତା ଥାଇ ବି ଭତ୍ତା ପାଇବାରୁ ବଂଚିତ। ଶହ ଶହ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ, ବିଧବା, ଗରିବ ଅସହାୟ ମହିଳା ଭତ୍ତା ପାଇଁ ଆବେଦନ କରିଛନ୍ତି। କିନ୍ତୁ ସେମାନଙ୍କୁ ଆଦ୍ୟାବିଧି ଏହି ତାଲିକା ରେ ସାମିଲ କରାଯାଇ ନାହିଁ। ୬୦ବର୍ଷ ପରେ କୌଣସି ହିତାଧିକାରୀ ଭତ୍ତାରୁ ବଂଚିତ ହେବେ ନାହିଁ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଏହି ଘୋଷଣା କେବଳ ଘୋଷଣା ରେ ରହିଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ୧୫ଗୋଟି ପଂଚାୟତ ରୁ ଅନେକ ଲୋକ ଭତ୍ତା ପାଇଁ ଆବେଦନ କରିଛନ୍ତି। ହେଲେ ଟାର୍ଗେଟ ନଥିବାରୁ ତାଙ୍କୁ ଭତ୍ତା ମିଳିନାହିଁ। କେବେ ମିଳିବ ସେ କଥା ବି ଜଣା ନାହିଁ। ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ଗୋଟି ପଂଚାୟତ ରୁ ୨ହଜାର ୩ ସହ ୩୫ ଜଣ ଲୋକ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳୁନି। ଏଣୁ ସେମାନେ ଅପେକ୍ଷା କରି ରହିଛନ୍ତି। ଏମାନଙ୍କୁ ଭତ୍ତା ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭତ୍ତା ମିଳିପାରିନି, କିନ୍ତୁ ଗରିବ ଅସହାୟ ଲୋକଙ୍କ ଭତ୍ତା କରାଇ ଦେବା କହି କୁଜି ନେତା ଓ ଦଲାଲ ଗାଁ ଗାଁରେ ସକ୍ରିୟ ହୋଇ ରହିଛନ୍ତି। ସରକାରୀ ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ଗୋଟି ପଂଚାୟତ ରେ ୧୩ ହଜାର ୮ ସହ ୧୪ଜଣ ବାଦ୍ଧକ୍ୟ ଭତ୍ତା ପାଉଛନ୍ତି। ପାଖାପାଖି ୧୭୮୦ ଜଣ ହିତାଧିକାରୀ ଙ୍କ ବୟସ ୮୦ବର୍ଷ ଉପରେ। ବାକି ହିତାଧିକାରୀ ଙ୍କ ବୟସ ୬୦ରୁ ୭୯ବର୍ଷ ଭିତରେ ବୋଲି ଜଣା ପଡିଛି। ଏମିତି ଅସ୍ତରଙ୍ଗ ବ୍ଲକ ରେ ଶତାଧିକ ଲୋକ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଭତ୍ତା ପାଉଛନ୍ତି। ଏହା ସତ୍ୱେ ବହୁ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇଁ ଆବେଦନ କରି ମଧ୍ୟ ପାଉନାହାନ୍ତି। ପଂଚାୟତ ରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଦୌଡ଼ିଲେ ମଧ୍ୟ କିଛି ଫଳ ମିଳୁନି। ଟାର୍ଗେଟ ନଥିବାରୁ ଭତ୍ତା ମିଳୁ ନଥିବା ଅଧିକାରୀ, ଅଧିକାରିଣୀ କହୁଛନ୍ତି। ଏଥିପାଇଁ ବହୁ ଯୋଗ୍ୟ ବ୍ୟକ୍ତି ନିରାଶ ହେଉଛନ୍ତି। ଏପରିକି ଏବେ ଅସ୍ତରଙ୍ଗ ବ୍ଲକ ଅଂଚଳର ୨ ହଜାର ୩ ସହ ୩୫ ଜଣ ଲୋକ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ନାମ ନିଆଁ ଯାଇପାରୁନି। ଏଥିପାଇଁ ଗ୍ରାମାଞ୍ଚଳ ରେ ବଡ଼ ସମସ୍ୟା ଦେଖା ଦେଇଥିବା ବେଳେ ପଂଚାୟତ ପ୍ରତିନିଧି ମାନେ ଅସହାୟ ହୋଇପଡିଛନ୍ତି । କିନ୍ତୁ ବିଭିନ୍ନ ପଂଚାୟତ ରେ କିଛି କୁଜି ନେତା ଓ ଦଲାଲ ଗରିବ ଅସହାୟ ଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭତ୍ତା କରାଇଦେବୁ କହି ଲାଞ୍ଚ ଆଦାୟ କରୁଥିବା ଚର୍ଚ୍ଚା ହେଉଛି, ଯାହାକି କିଛି ଆବେଦନକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଏ ନେଇ ଅସ୍ତରଙ୍ଗ ସାମାଜିକ ସୁରକ୍ଷା ଅଧିକାରିଣୀ କହିଛନ୍ତି, ନୂଆ ଭତ୍ତା ପ୍ରଦାନ ପାଇଁ ଟାର୍ଗେଟ ଆସିନି। ଏହି ଟାର୍ଗେଟ ଆସିଲେ ନୂଆ ଲୋକଙ୍କୁ ଭତ୍ତା ମିଳିବ ବୋଲି ସେ କହିଛନ୍ତି। ସରକାରୀ ଉଦାସୀନତା ହେଉ ବା ପ୍ରଶାସନିକ ଅବହେଳା ପାଇଁ ବୟସର ଅପର୍ହାନ୍ନରେ ଉପନୀତ ହୋଇ ବି ଭତ୍ତା ପାଇବାରୁ ବଂଚିତ ହେଉଛନ୍ତି। ସରକାରୀ ବ୍ୟବସ୍ଥା କେଉଁଠି ଭୁଲ ରହିଛି, କାହିଁକି ଯୋଗ୍ୟଙ୍କୁ ମିଳୁନି ଭତ୍ତା ?ଏଥି ପାଇଁ ଦାୟୀ କିଏ?ଯାହା ଫଳରେ ଅନେକ ଗରିବ, ଅସହାୟ ଲୋକେ ନାନା ଅସୁବିଧାର ସାମ୍ନା କରୁଛନ୍ତି।


