ପ୍ରେସ ଛକରେ ଥିବା ମାଛ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ; ଜଳି ପୋଡ଼ି ପାଉଁଶ ଲକ୍ଷାଧିକ ଟଙ୍କାର ସମତ୍ତି

କଟକ, (ଓ୍ବାଇଏନଏସ): କଟକ ପ୍ରେସ୍ ଛକରେ ଥିବା ମାଛ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । କଟକ ପ୍ରେସ ଛକରେ ଥିବା ମାଛ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ନଗଦ ଟଙ୍କା ଏବଂ ସାମଗ୍ରୀ ପୋଡି ପାଉଁଶ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଅଗ୍ନିଶମ ବିଭାଗର ୫ ଟି ଗାଡି ତଥା ଅତ୍ୟାଧୁନିକ ସାମଗ୍ରୀ ସମେତ ୩୫ ଜଣ ଅଗ୍ନିଶମ କର୍ମଚାରୀ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମାଛ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ‘ଆଗେ ୫ ଟି ଦୋକାନ ଜଳିଗଲା । ଅଗ୍ନିଶମ ବିଭାଗକୁ ଜଣାଇବାର ୪୫ ମିନିଟ ପରେ ଦମକଳ ବିଳମ୍ବରେ ପହଞ୍ଚିଥିଲା । ରବିବାର ବ୍ୟାଙ୍କ ବନ୍ଦ ଥିବାରୁ ମାଛ ବିକ୍ରି ପଇସା ଗୋଦାମରେ ଥିଲା । ଏଭଳି ଅଗ୍ନିକାଣ୍ଡ ଯୋଗୁଁ ମୋର ୧୩ ଲକ୍ଷ ୮୫ ହଜାର ଟଙ୍କା ଜଳି ପୋଡି ପାଉଁଶ ହୋଇଯାଇଛି । ଦୋକାନରେ ଥିବା କାଗଜପତ୍ର, ମାଛ ଓ ଦଣ୍ଡି ସବୁ ପୋଡି ପାଉଁଶ ହୋଇଯାଇଛି । ଅନ୍ୟାନ୍ୟ ଦୋକାନରେ ମଧ୍ୟ ୮ ରୁ ୧୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥାଏ । ସେସବୁ ବି ପୋଡି ଯାଇଛି ’’। ନିଆଁର ପ୍ରଭାବ ଏତେମାତ୍ରାରେ ରହିଛି ଯେ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଖବର ଲେଖା ଯିବା ସୁଦ୍ଧା ନିଆଁ ଆୟତ୍ତ ହୋଇ ପାରିନାହିଁ । ନିଆଁ ବ୍ୟାପିବା ଯୋଗୁଁ ପାଖରେ ଥିବା ରଙ୍ଗ ଦୋକାନରେ ନିଆଁ ଲାଗି ଯାଇଥିଲା । ଫଳରେ ନିଆଁକୁ ଆୟତ୍ତ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇ ପଡିଛି । ସେପଟେ ଏହି ମାଛ ଗୋଦାମ ପାର୍ଶ୍ବରେ ଏକ ବ୍ୟାଙ୍କ ରହିଛି । ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ‘‘ରଙ୍ଗ ଦୋକାନରେ କେମିକାଲ ଯୋଗୁଁ ନିଆଁର ପ୍ରଭାବ ଅଧିକ ରହୁଛି । ସେହିପରି ଛାତ ଉପରକୁ ଯିବା ପାଇଁ ବାଟ ନଥିବାରୁ ନିଆଁକୁ ଆୟତ୍ତ କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଵେ କମ ସମୟ ମଧ୍ୟରେ ନିଆଁ ଆୟତ୍ତ ହେବ ’’। କଟକ ପ୍ରେସ ଛକରେ ମଣ୍ଟୁ ବେହେରାଙ୍କ ମାଛ ଗୋଦାମ ରହିଛି । ଗତକାଲି ରବିବାର ଥିବାରୁ ପ୍ରତ୍ୟେକ ଦିନ ଭଳି ସେ ମାଛ ବ୍ୟବସାୟ କରି ଘରକୁ ଫେରିଥିଲେ । ମାତ୍ର ବିଳମ୍ବିତ ରାତିରେ ତାଙ୍କ ଗୋଦାମରେ ନିଆଁ ଲାଗି ଯାଇଥିବା ସେ ଖବର ପାଇଥିଲେ । ସେ କହିଛନ୍ତି ‘‘ନିଆଁ ଲାଗିବା ଖବର ପାଇବା କ୍ଷଣି ତୁରନ୍ତ ଘରୁ ବାହାରି ଆସି ଦେଖିବା ବେଳକୁ ହୁତୁ ହୁତୁ ହୋଇ ଜଳୁଛି ଗୋଦାମ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ନିଆଁ ଲିଭା କାମ କରୁଥିଲେ । ମାତ୍ର ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଗୋଦାମ ଭିତରକୁ ଯାଇ ସାମଗ୍ରୀ କି ଟଙ୍କା କାଢିବା ସମ୍ଭବ ହୋଇ ନଥିଲା ’’।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ