କେନ୍ଦ୍ରାପଡା ବ୍ଲକ କଂଗ୍ରେସର ବିଶାଳ ସାଂଗଠନିକ ସମାବେଶ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବାରଙ୍ଗଠାରେ ଏକ ବ୍ଲକସ୍ତରୀୟ ସାଙ୍ଗଠନିକ ସମାବେଶ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦଳକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନରେ କଂଗ୍ରେସର ବିଜୟ ଲକ୍ଷ୍ୟ ନେଇ ଏହି ସମାବେଶ ଆୟୋଜିତ ହୋଇଥିଲା। ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ଯୋଗଦେଇ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ପଞ୍ଚାୟତସ୍ତରରେ ଦଳୀୟ ଭିତ୍ତିଭୂମିକୁ ମଜବୁତ କରିବା, କର୍ମୀଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ରକ୍ଷା କରି ଲୋକଙ୍କ ସମସ୍ୟା ସହ ଯୋଡ଼ିହେବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରୁ ଆସିଥିବା କଂଗ୍ରେସ ସଭାପତିମାନଙ୍କୁ ଡ. ମଲ୍ଲିକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ରାପଡ଼ା ବ୍ଲକ କଂଗ୍ରେସ ସଭାପତି ହରିଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବହୁ ବରିଷ୍ଠ ନେତୃବୃନ୍ଦ ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ପ୍ରଦେଶ କଂଗ୍ରେସ ସମ୍ପାଦକ ସତ୍ୟବ୍ରତ ନାୟକ, ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଚୌଧୁରୀ ସ୍ନେହଲତା ରାଏ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଶୁଭ୍ରାଂଶୁ ଲେଙ୍କା, କେନ୍ଦ୍ରାପଡ଼ା କିଷାନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହିମାଂଶୁ ଭୂଷଣ ନନ୍ଦ, ବରିଷ୍ଠ ନେତା ମହେନ୍ଦ୍ର କୁମାର ପରିଡ଼ା, ଅମର ପ୍ରସାଦ ରାଉତ, ପ୍ରଫୁଲ୍ଲ ଦାସ, ଫକୀର ଚରଣ ଖଟୁଆ ଏବଂ ରଶ୍ମିରଞ୍ଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନକୁ ଆଗକୁ ନେବା ଏବଂ କୃଷକ ତଥା ସାଧାରଣ ଜନତାଙ୍କ ହକ୍ ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁ ଯୋଗଦେଇଥିଲେ।


