ମହାନଦୀ ବନ୍ଧ ନିକଟ ହରିଣ ପାର୍କ ପରିଦର୍ଶନ କଲେ ମେୟର ସୁବାସ ସିଂହ
କଟକ (ଓ୍ବାଇଏନଏସ): କଟକ ମହାନଗର ନିଗମ ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ପଦ ଓ ଜୀବଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ମେୟର ଶ୍ରୀ ସୁବାସ ସିଂହ ମହାନଦୀ ବନ୍ଧ କଡ଼ରେ ଥିବା ହରିଣ ପାର୍କ ପରିଦର୍ଶନ କରିଛନ୍ତି। ଏହି ସମୟରେ କର୍ପୋରେଟର ଶ୍ରୀ ବିକାଶ ବେହେରା ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ମେୟର ହରିଣମାନଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ, ଆଶ୍ରୟସ୍ଥଳ ଓ ପାର୍କର ପରିବେଶ ଅନୁଧ୍ୟାନ କରିଥିଲେ। ଏଥିସହ ପାର୍କର ସୌନ୍ଦର୍ଯ୍ୟକରଣ, ପରିଷ୍କାର ପରିଚ୍ଛନ୍ନତା ଓ ଭିତ୍ତିଭୂମିର ଉନ୍ନତି ନେଇ ଆଲୋଚନା କରାଯାଇଥିଲା। ମେୟର କହିଥିଲେ, କଟକର ବିକାଶ କେବଳ ରାସ୍ତାଘାଟ ଓ ଭିତ୍ତିଭୂମି ନିର୍ମାଣରେ ସୀମିତ ନୁହେଁ। ସବୁଜିମା, ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ମଧ୍ୟ ସହର ବିକାଶର ଅଂଶ। ହରିଣ ପାର୍କକୁ ଅଧିକ ସୁନ୍ଦର, ସବୁଜ ଓ ପରିବେଶ ଅନୁକୂଳ କରିବା ସହ ହରିଣଙ୍କ ଯତ୍ନକୁ ପ୍ରାଥମିକତା ଦିଆଯିବ। ଏହି ପରିଦର୍ଶନ ମାଧ୍ୟମରେ କଟକକୁ ସ୍ୱଚ୍ଛ, ସବୁଜ ଓ ପରିବେଶ ଅନୁକୂଳ ସହର ଭାବେ ଗଢ଼ି ତୋଳିବା ଦିଗରେ କଟକ ମହାନଗର ନିଗମର ପ୍ରତିବଦ୍ଧତା ପ୍ରକାଶ ପାଇଛି।


