ବେନିୟମ ଶିକ୍ଷକ ନିଯୁକ୍ତି ଓ ବଦଳି ପ୍ରତିବାଦରେ ମିଠିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ହାଟଡିହି (ଓ୍ବାଇଏନଏସ): ବେନିୟମ ଶିକ୍ଷକ ବଦଳିକୁ ନେଇ ହାଟଡିହି ବ୍ଲକ ସଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମରେ  ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବିଇଓ ଙ୍କ ମନମାନି ବିରୁଦ୍ଧରେ ଗ୍ରାମବାସୀ ମାନେ ଏକଜୁଟ ହୋଇ  ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଫଳରେ ସ୍କୁଲ ଯାଇଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରି ନପାରି ନିରାଶରେ ଘରକୁ ଫେରିଛନ୍ତି। ଏପରିକି ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରସ୍ତୁତ ହୋଇ ନପାରିବାରୁ ପିଲା ମାନଙ୍କୁ ବିସ୍କୁଟ ଖାଇବାକୁ ଦିଆ ଯାଇଛି। ଅଭିଭାବକ ଓ ଗ୍ରାମବାସୀଙ୍କ ଅଭିଯୋଗ ଯେ ଏହି ବିଦ୍ୟାଳୟରେ ତିନୋଟି ଶ୍ରେଣୀ ରେ ୫୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ନିଯୁକ୍ତି ଥିଲେ। ଗତ କିଛିମାସ ତଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ ରେ ପଠାଇ ବାରୁ ଗ୍ରାମବାସୀ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ଶିକ୍ଷକ ବଦଳି ନ କରିବାକୁ ଅନୁରୋଧ କରିବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ଡେପୁଟେସନ କ୍ୟାନସଲ କରିଥିଲେ। ଗତ ଜୁନମାସରେ ହାଟଡିହି ବ୍ଲକର ବିଇଓ ଅନାବଶ୍ୟକ ଭାବେ ଚମ୍ପୁଆ ବ୍ଲକରୁ ଆସିଥିବା ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ଏଠାରେ ନିଯୁକ୍ତି ଦେଲେ। ଏତେ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବେଳେ କାହିଁକି ଆଉ ଜଣେ ଶିକ୍ଷୟତ୍ରୀ ନିଯୁକ୍ତି ଦେଲେ ତାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା। ୧୫ଦିନ ତଳେ ସେହି ଶିକ୍ଷୟିତ୍ରୀଙ୍କୁ ପୁନର୍ବାର ଗାଁ ରେ ଥିବା ପ୍ରଥମିକ ବିଦ୍ୟାଳୟକୁ ଡେପୁଟେସନ ପଠାଇ ଦେଲେ। ଯାହାକୁ ନେଇ ଶିକ୍ଷୟତ୍ରୀ ଜଣକ ପ୍ରତିବାଦ କରିବା ସହିତ ସେ ସ୍କୁଲକୁ ନଯାଇ ବିଇଓଙ୍କ କାର୍ଯ୍ୟାଳୟରେ ବସି ରହିଲେ। ଗତ ଶୁକ୍ରବାର ଦିନ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କ ଡେପୁଟେସନ କୁ କ୍ୟାନସଲ କରି ପୁନର୍ବାର ପାଟଜାଗୁଳାଇ ସ୍କୁଲକୁ ଫେରାଇ ଦେଲେ। କିନ୍ତୁ ସ୍କୁଲ ପରିଚାଳନା କମିଟି ତାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବାରଣ କରିଥିଲେ। କିନ୍ତୁ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦେବେନ୍ଦ୍ର ଗିରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ କାର୍ଯ୍ୟରେ ଯୋଗଦାନ କରାଇବାରୁ ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାରମ୍ବାର ବାରମ୍ବାର ଶିକ୍ଷକ ବଦଳି ଓ ନିଯୁକ୍ତି ଯୋଗୁଁ ଉପଯୁକ୍ତ ଶିକ୍ଷାଦାନ ହୋଇ ପାରୁ ନଥିବା ଅଭିଯୋଗ କରି ଶତାଧିକ ଅଭିଭାବକ ଓ ଗ୍ରାମବାସୀ ଆଜି ସକାଳୁ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ସେମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଦେଖା କରିବାକୁ ଯାଇ ସେଠାରେ ଅଧିକାରୀଙ୍କୁ ନପାଇ ନିରାଶରେ ଫେରିବା ଓ ଶିକ୍ଷା ଅଧିକାରୀ ଅଭିଭାବକଙ୍କ ଫୋନ ନ ଉଠାଇବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିଲେ। ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଓ ବ୍ଲକ ଶିକ୍ଷା ଅଧିକାରୀ ଏଠାକୁ ଆସି ଶିକ୍ଷକ ବଦଳି ନ କରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ଯାଇ ଫାଟକରୁ ତାଲା ଫିଟିବ ବୋଲି  ମାୟଧର ଜେନା, ନିତ୍ୟାନନ୍ଦ ଜେନା , ରମାକାନ୍ତ ରାଉତ, ରବୀନ୍ଦ୍ର ରାଉତ, ଶଶିକାନ୍ତ ସେଠୀ, ରଙ୍କନିଧି ଜେନା, ଗଦାଧର ଭୋଇ, ସନ୍ତୋଷ କୁମାର ଜେନା, ଗୋବିନ୍ଦ ବେହେରା , ବିଜୟ ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ଶୁକଦେବ ସେଠୀ, ଚିନ୍ତାମଣି ବେହେରା, ନିରାକର ପରିଡ଼ା, ପବନା ସେଠୀ , ରମେଶ ନାୟକ, ବାମନ ପଲତା, କାଙ୍ଗାଳି ନାୟକ, ଭଗବାନ ଜେନା, ବିରଞ୍ଜି ରାଉତ ପ୍ରମୁଖ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବିଦ୍ୟାଳୟ ରେ ତାଲା ପକାଇବା ଠିକ ନୁହେଁ, ବିଇଓ ଙ୍କୁ ଭେଟି ଆଲୋଚନା କଲେ ସମାଧାନର ବାଟ ବାହାରିବ ବୋଲି କହିଛନ୍ତି। କିନ୍ତୁ ଗତ କିଛିଦିନ ହେଲା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ନ ଆସିବା, କାହାର ଫୋନ କଲ ରିସିଭ ନକରିବା ଦ୍ୱାରା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅରାଜକତା ବୃଦ୍ଧି ପାଇଛି। ଜିଲ୍ଲପାଳ ଏ ଦିଗରେ ଦୃଷ୍ଟି ଦେବାକୁ ହାଟଡିହି ବ୍ଲକର ସଚେତନ ନାଗରିକ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ