ନୂଆ ରମ୍ପାସ ହତ୍ୟାକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ରୋକ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଡ଼ରମ୍ପାସ ପଞ୍ଚାୟତ ନୂଆରମ୍ପାସ ଗ୍ରାମରେ ବନ୍ଧକସୁନା ଫେରସ୍ତକୁ ନେଇ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦାବିରେ ଗ୍ରାମବାସୀ ମାନେ ମୃତଦେହ ରଖି ଗତକାଲି ରାତିରେ ରାସ୍ତା ରୋକ କରିଥିଲେ। ମୃତଦେହ କଟକରୁ ଆସିବା ପରେ ହାଟଡିହି – ସମଣା ରାସ୍ତାର ବଡ ରମ୍ପାସ ନିକଟରେ ରାସ୍ତା ରୋକ କରିବାରୁ ରାତି ୯ଟା ବେଳୁ ସେହି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା। ଗତକାଲି ବିବାହ ଲଗ୍ନ ଥିବାରୁ ଅନେକ ବର ଓ ବରଯାତ୍ରୀ ନାନା ଅସୁବିଧା ଭୋଗିଥିଲେ। ସେମାନଙ୍କ ଦାବି ଅନୁଯାଇ ଏହି ହତ୍ୟା ଘଟଣାରେ ୫ଜଣ ସମ୍ପୃକ୍ତ ଥିବା ବେଳେ ପୋଲିସ କେବଳ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନେ ଆଖ ପାଖରେ ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରୁନି। ସେହିପରି ମୃତ ଓଝା ଜଣେ ଗରିବ ପରିବାରର ହୋଇଥିବା ବେଳେ ସେ କେବଳ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାରଟି ଅସହାୟ ହୋଇ ପଡିଛି। ତେଣୁ ମୃତକଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଥିଲେ। ରାସ୍ତାରୋକ ଚାଲିଥିବା ଖବର ପାଇ ଏସଡିପିଓ ପ୍ରଶାନ୍ତ ବେହେରା, ନନ୍ଦିପଦା ଥାନା ଆଇଆଇ ସି ଧର୍ମେନ୍ଦ୍ର ଶାନ୍ତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ବୁଝା ଶୁଝା କରିଥିଲେ ବି ଆନ୍ଦୋଳନ କାରୀ ମାନେ ନିଜ ଜିଦରେ ଅଟଳ ରହିଥିଲେ। ସେହି ରାସ୍ତା ଦେଇ ଫେରୁଥିବା ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ଏସଡିପିଓ ପ୍ରଶାନ୍ତ ବେହେରା ଆନ୍ଦୋଳନ କାରୀଙ୍କ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବା ପରେ ସତ୍କାର ପାଇଁ ଆର୍ଥିକ ସହାୟତା ପାଇଁ ପ୍ରତିଶୃତି ଦେବା ସହିତ ୧୫ଦିନ ଭିତରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାର ପ୍ରତିଶୃତି ଦେବା ପରେ ଲୋକମାନେ ଆନ୍ଦୋଳନରୁ ହଟିବା ସହିତ ବିଶ୍ୱନାଥଙ୍କ ମୃତଦେହକୁ ନେଇ ସଂସ୍କାର କରିଥିଲେ। ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ନୂଆରମ୍ପାସ ଗ୍ରାମର ବିଶ୍ୱନାଥ ଓଝା ଗତ ୩ବର୍ଷ ତଳେ ସେହି ଗ୍ରାମର ବାବୁଲି ପହିଙ୍କ ପତ୍ନୀ ରମାମଣିଙ୍କ ନିକଟରେ ୩ ଭରି ଓଜନର ସୁନା ଅଳଙ୍କାର ବନ୍ଧା ଦେଇ ୧୫ ହଜାର ଟଙ୍କା କରଜ ସୂତ୍ରରେ ଆଣିଥିଲେ। ପରବର୍ତ୍ତୀ ସମୟରେ ଆଣିଥିବା ଟଙ୍କାର ସୁଧ ମୂଳ ସହ ଫେରସ୍ତ କରି ସୁନା ଫେରାଇବାକୁ କହିବାରୁ ବାବୁଲି ସାହୁ ଆଉ ବନ୍ଧକ ସୁନା ଫେରସ୍ତ କରି ନଥିଲା। ଯାହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏନେଇ ବିଶ୍ୱନାଥ ଥାନାରେ ଅଭିଯୋଗ କରିବାରୁ ବାବୁଲି ପହିଙ୍କ ପରିବାର ଲୋକେ ସଙ୍ଘ ବଦ୍ଧ ହୋଇ ଆକ୍ରମଣ କରି ଥିଲେ। ଫଳରେ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିଲା।


