ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଫାର୍ମାସୀ ଅଫିସର ପୂରଣ ଦାବୀ
ଆସିକା (ୱାଇଏନ୍ଏସ୍): ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ପୌର ପରିଷଦ ଓ ଆସିକା ବ୍ଳକ ସମେତ ଧରାକୋଟ ବ୍ଳକ, କବିସୂର୍ଯ୍ୟନଗର ବ୍ଳକ, ଶେରଗଡ ବ୍ଳକ, ବୁଗୁଡା ବ୍ଳକ ସମେତ ଆଖପାଖ ଅଞ୍ଚଳର ଶହ ଶହ ରୋଗୀ ନିର୍ଭରଶୀଳ । ଆମ ହସ୍ପିଟାଲ୍ ଯୋଜନାରେ ଅତୀତରେ ଏହି ଡାକ୍ତରଖାନାର ରୂପାନ୍ତରୀକରଣ ହେବା ସାଙ୍ଗକୁ କୋଠାର ବି ଉନ୍ନତିକରଣ କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆର୍ଥିକ ଅନୁଦାନରେ ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ମେସିନ୍ ବି ଲଗାଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ମାର୍ଗଦର୍ଶନ ଏବଂ ସୁଚିନ୍ତିତ ପରାମର୍ଶରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇବା ଲାଗି ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି । ତେବେ ଏହି ପୁରାତନ ଡାକ୍ତରଖାନାରେ ଦୀର୍ଘ ଦିନ ହେଲା ଆବଶ୍ୟକତା ଅନୁଯାୟୀ ଖାଲି ପଡିଥିବା ଫାର୍ମାସୀ ଅଫିସର ପଦବୀ ପୂରଣ ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବିଭିନ୍ନ ସମୟରେ ରୋଗୀସେବା ବ୍ୟାହତ ହୋଇପଡୁଥିବା ଅଭିଯୋଗ ହେଉଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ମଂଜୁରୀପ୍ରାପ୍ତ ୯ଟି ଫାର୍ମାସୀ ଅଫିସର ପଦବୀ ମଧ୍ୟରୁ ଦୀର୍ଘ ଦିନ ହେଲା ୭ ଟି ଫାର୍ମାସୀ ଅଫିସର ପଦବୀ ଖାଲି ପଡିଥିଲା ବେଳେ ମାତ୍ର ୨ଜଣ ଫାର୍ମାସୀ ଅଫିସରଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଉଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆସୁଥିବା ରୋଗୀଙ୍କୁ ଡାକ୍ତରଙ୍କ ପରେ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାର୍ମାସୀ ଅଫିସରଙ୍କ ଅଭାବ ଜାରି ରହିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ୭ଟି ଫାର୍ମାସୀ ଅଫିସର ପଦବୀ ଖାଲି ପଡିଥିବା ଯୋଗୁଁ ମାତ୍ର ୨ ଜଣ ଫାର୍ମାସୀ ଅଫିସରଙ୍କ ଦ୍ୱାରା ରୋଗୀଙ୍କୁ ସେବା ଯୋଗାଇବା ସମ୍ଭବପର ହୋଇପାରୁ ନଥିଲେ ମଧ୍ୟ କାର୍ଯ୍ୟରତ ୨ ଜଣ ଫାର୍ମାସୀ ଅଫିସର ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ସଂପାଦନ କରୁଥିବା ଦେଖିବାକୁ ମିଳୁଛି । ୬୧ ଶଯ୍ୟା ବିଶିଷ୍ଟ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ଖାଲି ପଡିଥିବା ୭ଟି ଫାର୍ମାସୀ ଅଫିସର ପଦବୀ ପୂରଣ ଦିଗରେ ସ୍ୱାସ୍ଥ୍ୟ ବିଭାଗର କେବେ ନିଘୋଡ ନିଦ୍ରା ଭାଙ୍ଗିବ ତାହା ସଚେତନ ନାଗରିକ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ମାତ୍ର ୨ ଜଣ ଫାର୍ମାସୀ ଅଫିସର ରୋଗୀଙ୍କୁ ନିରାମୟ କେନ୍ଦ୍ରରେ ଉପଲବ୍ଧ ମାଗଣା ଔଷଧ ଯୋଗାଇବା ଠାରୁ ଆରମ୍ଭ କରି ରୋଗୀଙ୍କୁ ଔଷଧ ଖାଇବାର ବିଧି ସଂକ୍ରାନ୍ତରେ ସଠିକ୍ ଭାବେ ସୂଚନା ପ୍ରଦାନ କରିବା ଠାରୁ ଆରମ୍ଭ କରି ନିରାମୟ କେନ୍ଦ୍ରର ବିଭିନ୍ନ ରେକର୍ଡ ପରିଚାଳନା ଓ ସ୍ୱାସ୍ଥ୍ୟବିଭାଗ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକତା ସମୟରେ ତଥ୍ୟ ପ୍ରଦାନ, ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଔଷଧକୁ ଗୋଦାମ ଗୃହରେ ଗଚ୍ଛିତ ରଖିବା ସମେତ ଅନ୍ୟାନ୍ୟ କାର୍ଯ୍ୟ ସରକାରୀ ନୀତିନିୟମ ଅନୁଯାୟୀ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ଆସିକା ଉପଖଣ୍ଡ ଚିକିତ୍ସାଳୟରେ ନିରାମୟ କେନ୍ଦ୍ରରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ପ୍ରକାରର ବିଭିନ୍ନ କିସମର ଔଷଧ ରୋଗୀଙ୍କୁ ମାଗଣାରେ ପ୍ରଦାନ କରାଯିବାର ବ୍ୟବସ୍ଥା ବି କରାଯାଇଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ୭ଟି ଫାର୍ମାସୀ ଅଫିସର ପଦବୀକୁ ପୂରଣ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି ।


