କାନପୁର ଗ୍ରାମରେ ଭୁସ୍ଖଳନ ଘଟଣା , ଅନୁଧ୍ୟାନ କଲେ ନିରଞ୍ଜନ
ହାଟଡିହି (ଓ୍ବାଇଏନଏସ): ସାଳନ୍ଦୀ ନଦୀ ତାର ଗତିପଥ ବଦଳାଇ ଗାଁ ପାଖକୁ ମାଡି ମାଡ଼ି ଆସୁଥିବାରୁ ଓ ଗ୍ରାମରେ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା ହେଉ ନଥିବାରୁ ନଦୀରେ ଲିନ ହେବାକୁ ବସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଗ୍ରାମ। ଏ ସମ୍ପର୍କ ରେ ଆଜି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାନପୁର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରିକି ଗତ ଦୁଇଦିନ ତଳେ ପ୍ରହ୍ଲାଦ ବେହେରାଙ୍କ ଭୁଶୁଡି ପଡ଼ିଥିବା ଘରକୁ ବୁଲି ଦେଖିବା ସହିତ ଗ୍ରାମବାସୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରେ ଉପଜିଲ୍ଲାପାଳଙ୍କୁ ଟେଲିଫୋନ ଯୋଗେ ଅବଗତ କରାଇ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି। ବିଶ୍ୱରଂଜନ ପାଣିଗ୍ରାହୀ, ହରମୋହନ ପଣ୍ଡା, ଗୌରାଙ୍ଗ ରାଉତ, ଶତ୍ରୁଘ୍ନ ରାଉତ, ସନ୍ତୋଷ ଜେନା, ଗଗନ ସାମଲ, ନରହରି ଖମାରି, ମଧୁଆ ବେହେରା, ଅପୂର୍ଵ ମହାପାତ୍ର, ଧର୍ମପଦ ବେହେରା, ମୁକ୍ତିକାନ୍ତ ରାଉତ ପ୍ରମୁଖ ଗ୍ରାମବାସୀ ମାନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ସଳନ୍ଦୀ ନଦୀ ତଟର କ୍ଷତିଗ୍ରସ୍ଥ ଅଞ୍ଚଳ ଦେଖାଇଥିଲେ। ଏଠାରେ ସ୍ଥାୟୀ କଂକ୍ରିଟ ଆଡିବନ୍ଧ ଓ ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସୂଚନା ଯୋଗ୍ୟ ଯେ ସାଳନ୍ଦୀ ନଦୀ ପ୍ରତି ବର୍ଷ ୨/୩ ଫୁଟ କୁଳ ଖାଉଥିବା ବେଳେ ଭୂସ୍ଖଳନ ଘଟି ଅନେକ କ୍ଷୟ କ୍ଷତି ହେଉଛି। ଗତ ୨୦୧୪/୧୫ରୁ ଏହି ଭୁସ୍ଖଳନ ଆରମ୍ଭ ହୋଇ ଅନେକ ଲୋକଙ୍କ ଘର ଭାଙ୍ଗି ପଡିଥିବା ବେଳେ ଅନେକ ଲୋକଙ୍କ ଘରବାଡ଼ିରୁ ଗଛ ସବୁ ଉପୁଡ଼ି ମାଟି ସବୁ ନଦୀ ମଧ୍ୟକୁ ଖସି ପଡ଼ିଛି। ଅନେକ ଲୋକଙ୍କ ପକ୍କା ଘରରେ ମଧ୍ଯ ଫାଟ ସୃଷ୍ଟି ହୋଇଛି। ଗତ ଦୁଇଦିନ ତଳେ ପ୍ରହଲ୍ଲାଦ ବେହେରାଙ୍କ ଆବାସ ଘରର ଗ୍ରେଟ ଵିମ ସହିତ ୨/୩ ଫୁଟ ତଳକୁ ଧସି ଯାଇ ବିପଦ ସଂକୁଳ ହୋଇ ପଡିଥିବାରୁ ବିପଦ ଶଂକୁଳ ଅବସ୍ଥାରେ ପରିବାର ଲୋକେ କାଳାତି ପାତ କରୁଛନ୍ତି। ପୂର୍ବରୁ ମଧ୍ୟ ଗାଁର ହରିହର ବେହେରା, ବିଶ୍ଵନାଥ ବେହେରା, ପଦ୍ମନାଭ ବେହେରା, କହ୍ନେଇ ଚରଣ ଜେନା, ସୁଦାମ ଜେନା, ଶଶଧର ବେହେରା, ସର୍ବେଶ୍ଵର ବେହେରା, ଅମୂଲ୍ୟ ଜେନା, ନରହରି ଖମାରୀ, ନରେନ୍ଦ୍ର ସେଣ, ଉପେନ୍ଦ୍ର ସେଣ , ଜୟୀରାମ ସେଣ, ପ୍ରସାନ୍ତ ସେଣ, ରାମ ସେଣ, ଭାସ୍କର ସେଣ, ବାବାଜୀ ବେହେରା, ଜଗବନ୍ଧୁ ଜେନା ପ୍ରମୁଖ ଅନେକ ଲୋକଙ୍କ କ୍ଷୟ କ୍ଷତି ହୋଇଛି। କାହାର ପାଇଖାନା ନଦୀ ଗର୍ଭକୁ ଯାଇଛି ତ କାହାର ଗୁହାଳ ଘର ମାଟିରେ ମିଶିଛି। ଆଉ କାହାର କୋଠା ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଛି। ଅନେକ ଲୋକଙ୍କ ବାଡ଼ିରେ ଥିବା ବିରାଟ ବିରାଟ ଗଛ ସବୁ ନଦୀ ଗର୍ଭକୁ ଚାଲି ଯାଇଛି। ଯଦି ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନନିଏ ତେବେ ଅତିଶୀଘ୍ର ଗାଁ ଟି ସାଳନ୍ଦୀ ନଦୀରେ ବିଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।


