ଓଏମଭିଡ଼ି କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ, (ଓ୍ବାଇଏନଏସ): ଓଏମଭିଡ଼ି କନଷ୍ଟେବଳ ବ୍ରହ୍ମପୁରର ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଓଡ଼ିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି (ସୋମବାର) ଏହି ମାମଲର ଶୁଣାଣି ସମୟରେ ହାଇକୋର୍ଟ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ମାମଲାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ, କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରହ୍ମପୁର ପୋଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଶୁତୋଷଙ୍କ ଭଉଣୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଶୁତୋଷଙ୍କର ଦୁଇ ଥର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହୋଇଥିଲା । ପତ୍ନୀ ସନ୍ଧ୍ୟା ନାୟକ ଓ ଶଳା ମିଶି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସେ ଅଭିଯୋଗ କରିଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ସାନ ଭଉଣୀ ନିବେଦିତା ଦେବୁ । ସେ ଘଟଣାକୁ ତିନି ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ନିବେଦିତା କହିଛନ୍ତି, ‘ମୃତ୍ୟୁ କାଳୀନ ଜମାନବନ୍ଦୀରେ ପତ୍ନୀ ଏବଂ ଶଳା ହତ୍ୟା କରିଥିବା ଭାଇ କହିଥିଲେ ମଧ୍ୟ ତଦନ୍ତକାରୀ ପୋଲିସ ଅଧିକାରୀ କାହାରିକୁ ଗିରଫ କରିନଥିଲା । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦିଆଯିବା ପରେ ଆଶା ଅଛି ନ୍ୟାୟ ମିଳିବ ।’ ଆଶୁତୋଷ ମୃଦଙ୍ଗିଆଙ୍କର ଗତ ଜୁନ ୧୨ ତାରିଖରେ ମୃତ୍ୟୁ ଘଟିଥିଲା । ପୋଡ଼ି ହୋଇ ୭ ଦିନ ଧରି ଭୁବନେଶ୍ୱର AIIMSରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଆଶୁତୋଷଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ଭାଗ ନିଆଁରେ ପୋଡ଼ି ଯାଇଥିଲା । ଯାହାକୁ ନେଇ ପ୍ରଥମେ ତାଙ୍କୁ ବ୍ରହ୍ମପୁର ଏମକେସିଜି ଏବଂ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର AIIMSକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷ ଆଖି ବୁଜିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୨୦୨୬ ଜୁନ ୫ ତାରିଖ ସନ୍ଧ୍ୟାରେ ଆଶୁତୋଷ, କନେଷ୍ଟବଳ ପତ୍ନୀ ସନ୍ଧ୍ୟା ନାୟକଙ୍କ ବ୍ରହ୍ମପୁର ବିଜିପୁର କ୍ୱାର୍ଟରକୁ ଯାଇଥିଲେ । ସେଠାରେ ତାଙ୍କୁ ପତ୍ନୀ ଓ ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଆଶୁତୋଷ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିଲେ । ସୂଚନାଯୋଗ୍ୟ; ଆଶୁତୋଷଙ୍କର ଦୁଇ ଥର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହୋଇଥିଲା । ପରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ନାୟକ ଓ ତାଙ୍କ ଭାଇ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ