କରୋନେସନ୍ ପାର୍କ ଉଦ୍ଘାଟନୀ ସମାରୋହକୁ ପୁରିଲା ଏକ ସପ୍ତାହ: ସଂଶୋଧିତ ସୂଚନା ଫଳକ ଲେଖା ହେବ କେବେ?
ଆସିକା (ୱାଇଏନ୍ଏସ୍) : ଓଡିଆ ଅସ୍ମିତା ପାଇଁ ରାଜ୍ୟ ସରକାର ବଜେଟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ଆସିକା ଅଞ୍ଚଳରେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଆସିକା ପୌର ପରିଷଦ କର୍ତ୍ତୃପକ୍ଷଙ୍କ ମାତୃଭାଷା ପ୍ରତି ଥିବା ଗଭୀର ଜ୍ଞାନ ଓ ଆନ୍ତରିକତାକୁ ପଦାରେ ପକାଇ ଦେଇଛି ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଯେଉଁ ସରକାର ଓଡିଆ ଅସ୍ମିତାକୁ ନିଜର ମୁଖ୍ୟ ଆୟୁଧ କରୁଛନ୍ତି ସେହି ସରକାରଙ୍କ କେତେକ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ଅତି ସାଧାରଣ ଓଡିଆ ଶବ୍ଦ ମଧ୍ୟ ଭଲ ଭାବରେ ଲେଖିବା ଦିଗରେ ପଦକ୍ଷେପ ନେଉନଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ସଂପର୍କରେ ମିଳିଥିିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ହାଟପଦା ଛକ ନିକଟରେ ମୁଖ୍ୟମନ୍ତ୍ରୀ ସହରୀବିକାଶ ଯୋଜନାରେ କୋରୋନେସନ୍ ପାର୍କରେ ଥିବା ଉପକରଣ ଗୁଡିକର ନବୀକରଣ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ଉଦ୍ଘାଟନୀ ସମାରୋହ ଗତ ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । କରୋନେସନ୍ ପାର୍ଟର ଉଦ୍ଘାଟନୀ ସମାରୋହ ପାଇଁ ପୌର ପରିଷଦ ପକ୍ଷରୁ ସ୍ଥାପିତ ହୋଇଥିବା ସୂଚନା ଫଳକରେ “ରକ୍ଷଣାବେକ୍ଷଣ” ବନାନ ଲେଖାରେ ଭୂଲ ଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର୍ ଧରିବା ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପରାମର୍ଶକ୍ରମେ ଅତି ତରବରିଆ ଭାବେ ବନାନକୁ ସଂଶୋଧନ କରିବା ପାଇଁ ପ୍ରୟାସ କରାଯାଇଥିଲେ ବି ସେଥିରେ ବି ଭୂଲ ଥିବା ଘଟଣାକୁ ନେଇ ସାଧାରଣରେ ଅଧିକାରୀଙ୍କ ଭାଷାଜ୍ଞାନ ପ୍ରୀତି ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ସୂଚନା ଫଳକୁ ପୂର୍ଣ୍ଣମାତ୍ରାରେ ସଠିକ୍ ଭାବେ ସଂଶୋଧନ ନକରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଏପରିକି କରୋନେସନ୍ ପାର୍କର ଉଦ୍ଘାଟନୀ ସମାରୋହ ପାଇଁ ଉଦ୍ଦିଷ୍ଟ ସୂଚନା ଫଳକକୁ ଖୋଦେଇ କରି ଅତି ସୁନ୍ଦର ଡିଜାଇନ୍ରେ ସ୍ଥାପନ କରାଯାଇଥିଲେ ବେଳେ ବ୍ୟାୟ ଅଟକଳ ତଥ୍ୟ କିନ୍ତୁ ପାଚେରୀରେ କଲର୍ ମାରି ଲେଖାଯିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ସହରର ସର୍ବାଙ୍ଗୀନ ବିକାଶ ପାଇଁ ପୌର ପରିଷଦ ପକ୍ଷରୁ ନିଆଯାଉଥିବା ବହୁବିଧ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ସୂଚନା ଫଳକରେ ବାରମ୍ବାର ଭୂଲ ବନାନ ଲେଖିବା ଘଟଣା ଆମ ମାତୃଭାଷା ଓଡିଆ ପ୍ରତି ଏକ ଚରମ ଅବହେଳା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ହାଟପଦା ଛକ ସ୍ଥିତ କୋରୋନେସନ୍ ପାର୍କରେ ଥିବା ଉପକରଣ ଗୁଡିକର ନବୀକରଣ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଦୁଇ ଥର ଭୂଲ ବନାନ ଲେଖା ଥିବା ସୂଚନା ଫଳକକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦର କେଉଁ ଅଧିକାରୀ ଆମ ମାତୃଭାଷା ଓଡିଆକୁ ହେୟଜ୍ଞାନ କରି “ରକ୍ଷଣାବେକ୍ଷଣ” ଲେଖାକୁ ଏଭଳି ଦୁଇ ଥର ଭୂଲ ବନାନରେ ଲେଖି ସୂଚନା ଫଳକ ସର୍ବସମ୍ମୁଖରେ ଲଗାଇବା ପାଇଁ ସାହସ କଲେ ତାହାର ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି । ଯେତେବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଡିଣ୍ଡିମ ପିଟାଯାଉଛି ସେତେବେଳେ ଆସିକା ପୌର ପରିଷଦର ଅଧିକାରୀ ମୌଳିକ ବ୍ୟାକରଣ ଭୁଲି ଭୂଲ ବନାନରେ ସୂଚନା ଫଳର ଦୁଇ ଥର ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ ବୋଲି ଚର୍ଚ୍ଚା ହେଉଛି । ଓଡିଶାକୁ ଆମେ ଯେମିତି ଭଲ ପାଉଛେ ସେଭଳି ଆମ ମାତୃଭାଷା ଓଡିଆକୁ ଯଦି ଭଲ ପାଇବା ତେବେ ଭାଷାର ପ୍ରସାର ଓ ପ୍ରଚାର ଆହୁରି ରୁଦ୍ଧିମନ୍ତ ହୋଇପାରିବ ବୋଲି ଆଲୋଚିତ ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟ ଲାଗି ଦୁଇ ଥର ଭୂଲ ବନାନରେ ସୂଚନା ଫଳକ କିଏ ପ୍ରସ୍ତୁତ କରୁଛି ଓ ସେଥିପାଇଁ ଦାୟୀ କିଏ ତାହାର ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଙ୍ଗକୁ ଓଡିଆ ଭାଷାର ମହତ୍ୱକୁ ଗୁରୁତ୍ୱ ଦେଇ ଭୂଲ ବନାନକୁ ସଂଶୋଧନ କରି ନୁଆଁ ସୂଚନା ଫଳକ ଲଗାଇବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।


