ହାଟଡିହି (ଓ୍ବାଇଏନଏସ) : କଚ୍ଚା ଘରେ କେହି ରହିବେ ନାହିଁ, ସମସ୍ତଙ୍କ ମୁଣ୍ଡ ଉପରେ ଛାତ ରହିବ ବୋଲି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା। ପର୍ଯ୍ୟାୟ କ୍ରମେ ଗୃହ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇଥିଲା। କିଛି ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଗୃହ ଆରମ୍ଭ କରିନଥିବା ବେଳେ ଆଉ କିଛି ହିତାଧିକାରୀ ଆବାସ ଗୃହକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦେଇଛନ୍ତି। ପ୍ରଥମରୁ ଘର ଖଣ୍ଡିଏ ପାଇବା ପାଇଁ ନିୟମିତ ଅଧିକାରୀଙ୍କ ପାଖକୁ ଦୌଡୁଥିବା ଆଶାୟୀ ମାନେ ଘର ପାଇବା ପରେ ପାଇଥିବା ଟଙ୍କାକୁ ଖର୍ଚ କରିଦେଇ ଆଉ ଧରାଛୁଆଁ ଦେଉ ନାହାନ୍ତି। ହାଟଡିହି ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜନ ପରିଡା ଓ ବ୍ଲକ କର୍ମଚାରୀମାନେ ବାରମ୍ବାର ହିତାଧିକାରୀଙ୍କ ଘରକୁ ଯାଇ ସଚେତନ କରିବା ସହ ତାଗିଦ କରବା ପରେ ମଧ୍ୟ କୌଣସି ପ୍ରଭାବ ପଡୁନଥିବା ଅନୁମାନ କରାଯାଉଛି। ହିତାଧିକାରୀମାନେ ଆବାସ ଗୃହ ପାଇଁ ପର୍ଯ୍ୟାୟ କ୍ରମେ ଟଙ୍କା ନେବା ପରେ ମଧ୍ୟ ଆବାସ ଗୃହ ସମ୍ପୂର୍ଣ୍ଣ କରୁନଥିବା ଜଣାପଡ଼ିଛି। ୨୦୧୬ ମସିହା ଠାରୁ ୨୦୨୫ ମସିହା ମଧ୍ୟରେ ହାଟଡିହି ବ୍ଲକରେ ୨୦୫୬୫ ଜଣ ହିତାଧିକାରୀଙ୍କୁ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ୧୭୫୬୫ ଜଣ ହିତାଧିକାରୀ ଆବାସ ଗୃହ ସମ୍ପର୍ଣ୍ଣ କରିଛନ୍ତି। ୩ହଜାର ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଜଣାପଡ଼ିଛି। ଏଥି ମଧ୍ୟରୁ ୨ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଆବାସ ଗୃହ ଆରମ୍ଭ କରିନଥିବା ସୂଚନା ମିଳିଛି। ହାଟଡିହି ବ୍ଲକରେ ୨୦୧୬/୧୭ ରୁ ୨୦ /୨୧ ଆର୍ଥିକ ବର୍ଷରେ ମୋଟ ୧୧୨୩୬ ଆବାସ ଯୋଜନା ଘର ଯୋଗାଇ ଦିଆ ଯାଇଥିବା ବେଳେ ୧୦୫୨୮ ଜଣ ଘର ନିର୍ମାଣ ଶେଷ କରିଥିବା ବେଳେ ୨୦୬ ଜଣ ହିତାଧିକାରୀ ଆଦୌ ଘର କାମ ଆରମ୍ଭ କରି ନାହାନ୍ତି। ୧୪୨ ଟି ଘର ଅସମ୍ପୁର୍ଣ୍ଣ ହୋଇ ପଡି ରହିଛି । ବିଶେଷକରି ଆମ୍ବୋ ପଞ୍ଚାୟତରେ ୩୩ଟି, ଢେଙ୍କାରେ ୨୮ଟି ଘର ଆରମ୍ଭ ହେଇ ନଥିବା ବେଳେ ୩୬ଟି ଘର ଅଧାପନ୍ତରିଆ ପଡି ରହିଛି । ସମଣାରେ ୨୫, ପଞ୍ଚୁଗୋଛିଆରେ ୨୫, ଶାସଙ୍ଗରେ ୨୪, ଶାଳଣିଆଁରେ ୨୧, ବଞ୍ଚୋରେ ୨୦ ଘର ଆରମ୍ଭ ହୋଇନଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି। ସେହିପରି ୨୦୨୧ ରୁ ୨୦୨୫ ମଧ୍ୟରେ ୯୩୨୬ ଜଣ ହିତାଧିକାରୀ ଙ୍କୁ ଆବାସ ଗୁହ ଯୋଗାଇ ଦିଆ ଯାଇଥିବା ବେଳେ ୨୮୨୮ ଗୃହ ସମ୍ପୂର୍ଣ୍ଣ ହୋଇସାରିଛି। ତନ୍ମଧ୍ୟରୁ ୧୮୪୮ ହିତାଧିକାରୀ ଘର କାମ ଆଦୌ ଆରମ୍ଭ କରି ନଥିବା ବେଳେ କିଏ ପ୍ଲିନ୍ଥ ଢ଼ଳେଇ ପକାଇ ଛାଡିଦେଇଛି। ବିଶେଷ କରି ଅକରୁଆ, ଆମ୍ବୋ, ଷଡ଼ଙ୍ଗ, ବାଲିବରେଇ ପଞ୍ଚାୟତରେ ଅଧିକ ଲୋକ ଘର ଆରମ୍ଭ କରିନଥିବା ଜଣା ଯାଇଛି। ଅକରୁଆ ପଞ୍ଚାୟତରେ ୭୨୯ ଘର ଯାଇଥିବା ବେଳେ ୨୯୩ ଜଣ ଘରକାମ ଆରମ୍ଭ କରି ନାହାନ୍ତି। ଆମ୍ୱୋ ପଞ୍ଚାୟତରେ ୪୮୬ଟି ଘର ମଧ୍ୟରୁ ୧୦୧, ଷଡ଼ଙ୍ଗରେ ୩୭୧ ରୁ ୧୨୯,ବାଲିବରେଇରେ ୩୫୭ ରୁ ୧୩୫ ଘର ଆରମ୍ଭ ହୋଇନି। ସେହିପରି ଅନ୍ୟ କେଉଁ ପଞ୍ଚାୟତରେ ୮୦ତ ଆଉ କେଉଁ ପଞ୍ଚାୟତରେ ୭୦ ଘର ଆରମ୍ଭ ହୋଇ ପାରିନି । ଘର ଖଣ୍ଡିଏ ପାଇବାପାଇଁ ବାରମ୍ଵାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁ ଥିବା ହିତାଧିକାରୀ ଏବେ ପ୍ରଥମ କିସ୍ତି ପାଇବା ପରେ ଆଉ ଧାରା ଛୁଆଁ ଦେଉନି। ପିଇଓ, ଏଡିଓ, ବିଡ଼ିଓ ଙ୍କ ପର୍ଯ୍ୟନ୍ତ ଅଧିକାରୀ ମାନେ ବାରମ୍ବାର ସେମାନଙ୍କୁ ଭେଟି ବୁଝାଉ ଥିଲେ ବି କିଛି ହିତାଧିକାରୀ ଘର କରିବାର ନାଁ ଧରୁ ନାହାନ୍ତି। ସୁଲଣ ପଞ୍ଚାୟତ ର ଜଣେ ହିତାଧିକାରୀ ପ୍ରଥମ କିସ୍ତି ଉଠାଇ ପୁଅ ପାଇଁ କେଟିଏମ ବାଇକ କିଣି ଦେଇଥିବା ବେଳେ ଷଡ଼ଙ୍ଗ ପଞ୍ଚାୟତ ର ଜଣେ ହିତାଧିକାରୀ ପୁଅ ପାଇଁ ଆବାସ ଯୋଜନା ଟଙ୍କାରେ ବୁଲେଟ କିଣି ପକାଇଲେ। ସେହିପରି ଅନ୍ୟ ଦୁଇଜଣ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇବା ପରେ ଟଙ୍କା ଉଠାଇ ବିବାହ କରି ପତ୍ନୀଙ୍କୁ ଧରି ଘର ଛାଡି ରାଜ୍ୟ ବାହାରକୁ ପଳାଇଛନ୍ତି ବୋଲି ତାଗିଡା କରିବାକୁ ଯିବା ସମୟରେ ବିଡ଼ିଓ ଜାଣିବାକୁ ପାଇଥିବା କହିଛନ୍ତି। ଏପରି ହେଲେ ସରକାରଙ୍କ ଯୋଜନାର କିପରି ସୁଫଳ ମିଳିବ ବୋଲି ସେ କହିଛନ୍ତି। ତଥାପି ଗାଁ ଗାଁ ବୁଲି ବୁଝାଇବା ପରେ ଏବେ କିଛି ଲୋକ ଘରକାମ ସମ୍ପୂର୍ଣ୍ଣ କରିବାକୁ ଅଣ୍ଟା ଭିଡିଛନ୍ତି ବୋଲି ବିଡ଼ିଓ ସୂଚନା ଦେଇଛନ୍ତି।