ଆବାସ ତାଲିକାରେ ଗରିବଙ୍କ ସ୍ଥାନରେ ଗାଡି-କୋଠା ମାଲିକ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବଙ୍କ ସ୍ୱପ୍ନ। ମୁଣ୍ଡ ଉପରେ ଛାତ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଏହି ପବିତ୍ର ଯୋଜନା ବି ଦୁର୍ନୀତିର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବା ବେଳେ ଅଯୋଗ୍ୟ ମାନେ ଲାଭ ଉଠାଉଥିବା ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ କାକଟପୁର ବ୍ଲକର ୧୬ ଟି ପଞ୍ଚାୟତରେ ସର୍ଭେ ପରେ ୭ହଜାର ୩ଜଣ ଯୋଗ୍ୟ ଚିହ୍ନଟ ହୋଇଥିଲେ। ସ୍ୱତନ୍ତ୍ର କମିଟି ଯାଞ୍ଚ କରି ୫ହଜାର ୪୩ଜଣଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତ କରି ପଞ୍ଚାୟତରେ ଲଗାଇଛନ୍ତି । କିନ୍ତୁ କାଦୁଆନୂଆଗାଁ ପଞ୍ଚାୟତର ତାଲିକା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ। ସେଠାରେ ୯୪ ଜଣଙ୍କ ନାମ ଥିବା ବେଳେ ସ୍ଥାନୀୟ ଲୋକେ କହୁଛନ୍ତି ପ୍ରକୃତରେ ମାତ୍ର ୩୪ଜଣ ହିଁ ଯୋଗ୍ୟ। ତେବେ ବାକି ୬୦ଜଣ କିପରି ଆସିଲେ? ଅଭିଯୋଗ ହେଉଛି କିଛି କୁଜି ନେତା ଏବଂ ସରକାରୀ କର୍ମଚାରୀଙ୍କ ମିଳିତ ସହଯୋଗରେ ଲାଞ୍ଚ ନେଇ ଅଯୋଗ୍ୟ ଲୋକଙ୍କ ନାମ ତାଲିକାରେ ପୁରାଇ ଦିଆଯାଇଛି। ଆହୁରି ଲଜ୍ଜାର କଥା ହେଲା ଯେଉଁମାନଙ୍କ ନାମ ଅଛି ସେମାନଙ୍କ ଘରେ ପକ୍କା କୋଠାଘର, ଚାରି ଚକିଆ ଗାଡି ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ସରକାରୀ ନିୟମ ଅନୁସାରେ ଏମାନେ ଆବାସ ପାଇବାର ହକଦାର ନୁହଁନ୍ତି। ତଥାପି ସେମାନଙ୍କ ନାମ କିପରି ତାଲିକାରେ ରହିଲା ତାହା ବଡ ପ୍ରଶ୍ନ। ଏନେଇ ସ୍ଥାନୀୟ ବାସିନ୍ଦା କୈଳାଶ ଲେଙ୍କା କହିଛନ୍ତି, ଆମ ଗାଁରେ ବହୁ ଗରିବ ପରିବାର ଆଜି ବି ଜରି ପାଲ ପକାଇ ଚାଳ ଘରେ ରହୁଛନ୍ତି। ସେମାନଙ୍କ ନାମ ନାହିଁ। ଆଉ ଯେଉଁମାନଙ୍କର ସବୁକିଛି ଅଛି ସେମାନେ ତାଲିକାରେ। ଏହାର ଉଚ୍ଚସ୍ତରୀୟ ଯାଞ୍ଚ ହେବା ଦରକାର। ଏ ନେଇ ଗାଁ ଲୋକେ ଏକାଠି ହୋଇ କାକଟପୁର ବିଡ଼ିଓ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତିଙ୍କୁ ଲିଖିତ ଅଭିଯୋଗ ମଧ୍ୟ ଦେଇସାରିଛନ୍ତି। ଅଭିଯୋଗ ପାଇବା ପରେ ବିଡ଼ିଓ କହିଛନ୍ତି, ପ୍ରମାଣ ମିଳିଲେ ଅଯୋଗ୍ୟଙ୍କ ନାମ କାଟି ଦିଆଯିବ। କିନ୍ତୁ ପ୍ରଶ୍ନ ଉଠୁଛି, ପ୍ରମାଣ ଯୋଗାଡ କରିବା କାହାର କାମ? ପ୍ରଶାସନ ନିଜେ ଗାଁ କୁ ଯାଇ ଯାଞ୍ଚ କରିବ ନାଁ “ନାହିଁ କି? ବିଶେଷ ସୂତ୍ରରୁ ଜଣାପଡିଛି ଯେ କେବଳ କାକଟପୁର ନୁହେଁ, ଅସ୍ତରଙ୍ଗ ବ୍ଲକରେ ମଧ୍ୟ ସମାନ ଚିତ୍ର। କିଛି କର୍ମଚାରୀ ଓ ନେତା ମିଳିତ ଭାବେ ଅଯୋଗ୍ୟଙ୍କୁ ତାଲିକାରେ ପୁରାଇବା ପାଇଁ ଚାପ ପକାଉଛନ୍ତି। ସରକାର ଗୋଟେ ପଟେ “ପିସି ମୁକ୍ତ ଓଡିଶା” କହୁଥିବା ବେଳେ ତୃଣମୂଳରେ ଏପରି କାରବାର ସରକାରୀ ଯୋଜନାର ଉଦ୍ଦେଶ୍ୟକୁ ହିଁ ପ୍ରଶ୍ନ କରୁଛି। ତେଣୁ ଜିଲ୍ଲାପାଳ, ପୁରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ତୁରନ୍ତ ଏହି ତାଲିକାର ସ୍ୱତନ୍ତ୍ର ଭିଜିଲାନ୍ସ ତଦନ୍ତ କରନ୍ତୁ। ଯୋଗ୍ୟଙ୍କୁ ନ୍ୟାୟ ମିଳୁ ଆଉ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। ନଚେତ ଗରିବଙ୍କ ସ୍ୱପ୍ନ ସବୁ କାଗଜରେ ହିଁ ରହିଯିବ।


