ଚାଉଳିଆଗଞ୍ଜ ସରକାରୀ ମେଡିକାଲରେ ମୋବାଇଲ୍ ଲାଇଟ୍ରେ ରୋଗୀଙ୍କ ଡ୍ରେସିଂ
କଟକ, (ଓ୍ବାଇଏନଏସ): ବାତ୍ୟା ମୁକାବିଲା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ କଟକ ଚାଉଳିଆଗଞ୍ଜ ସରକାରୀ ମେଡିକାଲରୁ ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟସେବାର ଏକ ଚିନ୍ତାଜନକ ଚିତ୍ର। ମେଡିକାଲରେ ବିଦ୍ୟୁତ୍ ନଥିବାରୁ ମୋବାଇଲ୍ ଫୋନ୍ର ଲାଇଟ୍ ଜଳାଇ ରୋଗୀଙ୍କ ଡ୍ରେସିଂ କରାଯାଉଥିବା ଦୃଶ୍ୟ ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବାତ୍ୟା ‘ଆକଭାନ’ର ପ୍ରଭାବରେ ଆଜି କଟକରେ ଲଗାତାର ବର୍ଷା ଜାରି ରହିଥିବାବେଳେ ଚାଉଳିଆଗଞ୍ଜ ସରକାରୀ ମେଡିକାଲରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ଫଳରେ ମେଡିକାଲରେ ରୋଗୀଙ୍କ ଚିକିତ୍ସା ସମୟରେ ଆଲୋକର ଅଭାବ ଦେଖାଦେଇଥିଲା। ଏପରି ସ୍ଥିତିରେ ଜଣେ ରୋଗୀଙ୍କ ଡ୍ରେସିଂ କାର୍ଯ୍ୟ ମୋବାଇଲ୍ ଫୋନ୍ର ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ କରାଯାଉଥିବା ଦୃଶ୍ୟ ଫଟୋରେ କଏଦ ହୋଇଛି। ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ମେଡିକାଲରେ ଜରୁରୀକାଳୀନ ବିଦ୍ୟୁତ୍ ବ୍ୟବସ୍ଥା ଥିବା ସତ୍ତ୍ୱେ ମୋବାଇଲ୍ ଲାଇଟ୍ରେ ରୋଗୀଙ୍କ ଡ୍ରେସିଂ କରିବାକୁ କାହିଁକି ପଡ଼ିଲା? ମେଡିକାଲରେ ଥିବା ଜେନେରେଟର (ଡିଜି) କେଉଁ କାର୍ଯ୍ୟରେ ବ୍ୟବହାର ହେଉଛି? ବିଦ୍ୟୁତ୍ ବିଭ୍ରାଟ ସମୟରେ ଏହା କାର୍ଯ୍ୟକ୍ଷମ ଥିଲା କି ନାହିଁ? ଯଦି ଡିଜି ଥିଲା, ତେବେ ତାହାର ବ୍ୟବହାର କରାଗଲା ନାହିଁ କାହିଁକି? ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ କ୍ଷେତ୍ରରେ ବିଦ୍ୟୁତ୍ ସରବରାହ ବନ୍ଦ ହେବା ସମୟରେ ବିକଳ୍ପ ବ୍ୟବସ୍ଥା ସଜାଗ ରହିବା ଜରୁରୀ। ବିଶେଷକରି ରୋଗୀଙ୍କ ଡ୍ରେସିଂ ଓ ଅନ୍ୟାନ୍ୟ ଚିକିତ୍ସା କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଆଲୋକ ଏବଂ ଆବଶ୍ୟକୀୟ ଉପକରଣର ବ୍ୟବସ୍ଥା ରହିବା ଆବଶ୍ୟକ। ମୋବାଇଲ୍ ଟର୍ଚ୍ଚ ଆଲୋକରେ ଚିକିତ୍ସା କରିବା କେତେଦୂର ଉପଯୁକ୍ତ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ମେଡିକାଲ କର୍ତ୍ତୃପକ୍ଷ ଏହି ଘଟଣାର ଉତ୍ତର ରଖିବା ସହ ଡିଜିର କାର୍ଯ୍ୟକ୍ଷମତା ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ସେହିପରି ସରକାରଙ୍କ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଭିତ୍ତିଭୂମି ଓ ଜରୁରୀକାଳୀନ ପ୍ରସ୍ତୁତି କେତେ ସୁଦୃଢ଼, ତାହା ମଧ୍ୟ ଏହି ଘଟଣା ପୁଣିଥରେ ଚର୍ଚ୍ଚାକୁ ଆଣିଛି। ଚାଉଳିଆଗଞ୍ଜ ମେଡିକାଲର ଏହି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନିଆଯିବ କି ନାହିଁ, ତାହା ଏବେ ଦେଖିବାର କଥା।


