ବାରବାଟୀ ଫୁଡ୍‌କୋର୍ଟରେ ଅବ୍ୟବସ୍ଥା, ଅଇଁଠା ଖାଉଛନ୍ତି କୁକୁର

କଟକ, (ଓ୍ବାଇଏନଏସ): ଖାଇବା ଟେବୁଲ୍‌ରେ କୁକୁରଙ୍କ ଉତ୍ପାତ, ପାର୍କିଂ ସ୍ଥାନରେ ଗୋରୁଙ୍କ ଆଡ୍ଡା। ଏଣେତେଣେ ପଡ଼ିରହୁଛି ଆବର୍ଜନା, ଦୁର୍ଗନ୍ଧରେ ଫାଟୁଛି ନାକ। ଏଭଳି ଅବ୍ୟବସ୍ଥା ଭିତରେ ଗତି କରୁଛି କଟକର ବାରବାଟୀ ଫୁଡ୍‌କୋର୍ଟ। ପ୍ରାୟ ସାଢ଼େ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫୁଡ୍‌କୋର୍ଟ କାର୍ଯ୍ୟକ୍ଷମ ହେବାର ଚାରି ମାସ ପରେ ବି ଏହାର ସୁପରିଚାଳନା ଓ ପରିମଳ ବ୍ୟବସ୍ଥାକୁ ନେଇ କଟକ ମହାନଗର ନିଗମ (କେଏମ୍‌ସି)ର ଭୂମିକା ଉପରେ ପ୍ରଶ୍ନ ଉଠିଛି।
କଟକବାସୀଙ୍କୁ ଏକ ସୁନ୍ଦର ଖାଦ୍ୟ ଓ ମନୋରଞ୍ଜନ ସ୍ଥଳ ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମିତ ଏହି ଫୁଡ୍‌କୋର୍ଟ ଗତ ମେ’ ମାସରେ କାର୍ଯ୍ୟକ୍ଷମ ହୋଇଥିଲା। ଆରମ୍ଭରେ ଏହା ପ୍ରତି ଲୋକଙ୍କ ଆକର୍ଷଣ ରହିଥିବାବେଳେ ରୁଫ୍‌ଟପ୍‌ କାଫେ ସହ କଲେଜ ଛାତ୍ରଛାତ୍ରୀଙ୍କ ଆଡ୍ଡାସ୍ଥଳ ପାଲଟିଥିଲା। ହେଲେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଚିତ୍ର ବଦଳିବାରେ ଲାଗିଛି। ଖାଇବା ପରେ ଲୋକେ ଟେବୁଲ୍‌ରେ ଛାଡ଼ିଯାଉଥିବା ଅଇଁଠା ଖାଦ୍ୟକୁ କୁକୁରମାନେ ଟେବୁଲ୍‌ ଉପରେ ଚଢ଼ି ଖାଉଛନ୍ତି। ଫଳରେ ଟେବୁଲ୍‌ ଓ ଚେୟାର ଥିଲେ ମଧ୍ୟ ଲୋକେ ସେଠାରେ ବସି ଖାଇବାକୁ ଅସହଜ ମଣୁଛନ୍ତି। ଅନ୍ୟପଟେ ବିଭିନ୍ନ ଦୋକାନରୁ ବାହାରୁଥିବା ଆବର୍ଜନା ଦୁଇରୁ ତିନି ଦିନ ଧରି ପଡ଼ିରହୁଥିବାରୁ ପରିବେଶ ଦୂଷିତ ହେବା ସହ ଦୁର୍ଗନ୍ଧ ବଢ଼ୁଛି। କେବଳ ପରିମଳ ସମସ୍ୟା ନୁହେଁ, ପାର୍କିଂ ସ୍ଥାନରେ ଗୋରୁପଲଙ୍କ ଅବାଧ ବିଚରଣ ମଧ୍ୟ ଗ୍ରାହକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଫୁଡ୍‌କୋର୍ଟ ପରିସରକୁ ଆବାରା କୁକୁର ଓ ଗୋରୁଙ୍କ କବଳରୁ ମୁକ୍ତ ରଖିବା ସହ ନିୟମିତ ସଫେଇ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି।
ଫୁଡ୍‌କୋର୍ଟ ପରିଚାଳନା ପାଇଁ ସ୍ୱତନ୍ତ୍ର ମାନକ କାର୍ଯ୍ୟପଦ୍ଧତି (ଏସ୍‌ଓପି) ଜାରି ହୋଇଥିବାବେଳେ ଦୋକାନୀମାନଙ୍କୁ ଡଷ୍ଟବିନ୍‌ ବ୍ୟବହାର ଓ ପରିଚ୍ଛନ୍ନତା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହାର ଠିକ୍‌ ଅନୁପାଳନ ହେଉଛି କି ନାହିଁ, ତାହା ଏବେ ପ୍ରଶ୍ନବାଚୀ। ନିୟମିତ ତଦାରଖ ଓ ଆବର୍ଜନା ଉଠାଣରେ ଅବହେଳା ଏହି ଅବ୍ୟବସ୍ଥାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି। ଏହି ଫୁଡ୍‌କୋର୍ଟରେ ୮୩ ଜଣଙ୍କୁ ଲଟେରି ମାଧ୍ୟମରେ ଦୋକାନ ଘର ଆବଣ୍ଟନ କରାଯାଇଥିଲା। ଆବଣ୍ଟନ ପ୍ରକ୍ରିୟାକୁ ନେଇ ପୂର୍ବରୁ ବିବାଦ ଓ ରାଜନୈତିକ ଚର୍ଚ୍ଚା ହୋଇଥିବାବେଳେ ଏବେ ଏହାର ପରିଚାଳନାକୁ ନେଇ ଅସନ୍ତୋଷ ବଢ଼ୁଛି। ଲୋକଙ୍କ ସୁବିଧା ପାଇଁ ନିର୍ମିତ ଏହି ପ୍ରକଳ୍ପରେ ସ୍ୱଚ୍ଛତା ଓ ଶୃଙ୍ଖଳା ରକ୍ଷା କରିବା କେଏମ୍‌ସି ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ଫୁଡ୍‌କୋର୍ଟର ଏଭଳି ଅବସ୍ଥା ଜାରି ରହିଲେ ଗ୍ରାହକଙ୍କ ଆଗମନ କମିବା ସହ ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ଏନେଇ କେଏମ୍‌ସି କମିସନର କିରନଦୀପ କୌର ସହୋତାଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ