ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବା ସମ୍ଭାବନା
ଆସିକା (ୱାଇଏନ୍ଏସ୍): ନୁଆଁ ସରକାର କ୍ଷମତାକୁ ଆସିବା ପରେ ପ୍ରତି ପଞ୍ଚାୟତରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୋଟାଏ ଲେଖାଏଁ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଜାନୁୟାରୀ ମାସ ୭ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଏବଂ ଗତ ଜନ୍ ମାସ ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର କାର୍ଯ୍ୟକ୍ରମ ଶେଷ ହୋଇସାରିଛିି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ବିଭିନ୍ନ ଅଞ୍ଚଳରେ ୧୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇସାରିଛି । ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଞ୍ଚାୟତରେ ଆଗାମୀ ଦିନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବା ସମ୍ଭାବନା ଥିବାରୁ ପ୍ରଶାସନର ନିର୍ଦ୍ଦେଶକ୍ରମେ ଶିକ୍ଷାବିଭାଗ ପକ୍ଷରୁ ଜାଗା ଚିହ୍ନଟ ପ୍ରକ୍ରିୟା ପାଇଁ ତତ୍ପରତା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ପରାମର୍ଶକ୍ରମେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଏବଂ ଶିିବରାମ ବେହେରାଙ୍କ ସମେତ ବିଭାଗୀୟ ପଦାଧିକାରୀମାନଙ୍କ ବ୍ଳକ ପରିସରଭୁକ୍ତ ଅଲିପୁର, ବାବନପୁର, ବଡଖୋଲି, ବାଲିଛାଇ, ବାଲିସିରା, ବାଙ୍ଗରଡା, ବରଗାଁ, ବେଣାପାଟ, ଭେଟନଇ, ଚଢେୟାପଲ୍ଲୀ, ଦେବଭୂମୀ, ଗହଙ୍ଗୁ, ଗଙ୍ଗାପୁର, ଗୁଣ୍ଠପଡା, ହରିଡାପଦର, ଜୟପୁର, କାଳଷଣ୍ଢପୁର, କମାଗଡ, କେନ୍ଦୁପଦର, ଖଣ୍ଡଦେଉଳୀ, ଖାରିଆ, ମଙ୍ଗଳପୁର, ମୁନିଗାଡି, ନଳବଣ୍ଟା, ନିମିନା, ପାଣ୍ଡିଆପଥର, ସିଦ୍ଧନଇ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ପ୍ରସ୍ତାବିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବା ସକାଶେ ଜାଗା ଚିହ୍ନଟ ପାଇଁ ପ୍ରୟାସ ଜାରି ରଖିଥିିବା ଦେଖିବାକୁ ମିଳୁଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏହି ଯୋଜନାରେ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସ୍ମାର୍ଟ ହେବା ସହିତ ଉନ୍ନତ ମାନର ଜ୍ଞାନ ଆହରଣ କରିପାରିବେ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇଦେବା ସାଙ୍ଗକୁ ଶିକ୍ଷାକ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସର୍ବାଧିକ ପ୍ରାଥମିକତା ଦେଇ ଏହି ମହତ୍ୱାକାଂକ୍ଷ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ଜଣାପଡିଛି । ଆସିକା ବ୍ଳକ ପରିସରଭୁକ୍ତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଆଗାମୀ ଦିନରେ ନିର୍ମାଣ ହେବାକୁ ସମ୍ଭାବନା ଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମୀର ବିକାଶ, ସ୍ମାର୍ଟ କ୍ଳାସରୁମ୍, ଗୁଣାତ୍ମକ ଶିକ୍ଷା, ବିଜ୍ଞାନ ଓ ଗବେଷଣା ପରୀକ୍ଷାଗାର, ଖେଳପଡିଆ ଓ ଖେଳ ଉପକରଣ, ପାର୍କ, ସବୁଜ ପରିବେଶ, ପାଚେରୀ ନିର୍ମାଣ, ଅଡିଟୋରିୟମ୍ ନିର୍ମ୍ୟାଣ, ୪ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକ ନିର୍ମାଣ, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ, ରୋଷେଇ ଘର ସହ ସାମୂହିକ ଡାଇନିଂ ହଲ୍ ନିର୍ମାଣ, ପେଭର୍ଯୁକ୍ତ ଆପ୍ରୋଚ୍ ରାସ୍ତା ନିର୍ମାଣ, ପ୍ରଧାନଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ସହ ଅନ୍ୟ ଶିକ୍ଷକଙ୍କ ପାଇଁ କମନ୍ ରୁମ୍ ନିର୍ମାଣ, ବୋର୍ୱେଲ୍ ଓ ଓଭର୍ହେଡ୍ ଟାଙ୍କି ନିର୍ମାଣ ସମେତ ଅନ୍ୟାନ୍ୟ ଭିତ୍ତିଭୂମୀକୁ ସୁଦୃଢ କରାଯିବାର ପରିକଳ୍ପନା କରାଯାଇଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସରକାରଙ୍କ ଏହି ଶିକ୍ଷା କଲ୍ୟାଣକାରୀ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ଏହିି ପ୍ରୟାସ ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି ।


