ବାଳାଶ୍ରମରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହାଟଡିହି ବ୍ଲକର ବିଷ୍ଣୁ ପ୍ରିୟା ବାଳାଶ୍ରମ ଓ ବୃଦ୍ଧାଶ୍ରମ ଠାରେ ଯୁବକ, ଛାତ୍ର, ମହିଳା ମାନଙ୍କୁ ନେଇ ଭାରତର ଜନନାୟକ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାହୁଲ ଗାନ୍ଧୀ ତାଙ୍କ ଜୀବନ ବ୍ୟାପି ଦଳିତ, ନିଷ୍ପେସିତ, ଆଦିବାସୀ, ପଛୁଆ ବର୍ଗର ଲୋକଙ୍କ ପାଇଁ କାମ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଣିତ ସମ୍ବିଧାନରେ ଯେଉଁ ମାନେ ସବୁଠାରୁ ପଛରେ ରହିଛନ୍ତି ତାଙ୍କୁ ଆଗକୁ ଆଣି ତାଙ୍କର ହକ ସାବ୍ୟସ୍ତ କରିବା ପାଇଁ ସେ ସଂଗ୍ରାମ ଜାରି ରଖିଛନ୍ତି। ପ୍ରତି ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀଙ୍କର ହୃଦୟର ସ୍ପନ୍ଦନ ହୋଇଛନ୍ତି ରାହୁଲ ଗାନ୍ଧୀ। ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ଆସନ୍ତୁ ଆମେ ସମସ୍ତେ ଏଭଳି ନିରୀହ, ଅସହାୟ ନା ବାଳକ ପିଲା ମାନଙ୍କୁ ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ବ୍ୟବସ୍ଥାକୁ ଆଗକୁ ନେବାପାଇଁ ରାହୁଲ ଗାନ୍ଧୀଙ୍କ ପାଦରେ ପାଦ ମିଳାଇ ଓ ସ୍ୱରରେ ସ୍ୱର ମିଳାଇବା ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗଦେଇ ରାହୁଲ ଗାନ୍ଧୀ ଏଇଥି ପାଇଁ ଜନ ନାୟକ ଯେ ସେ ଭାରତବର୍ଷର କନ୍ୟା କୁମାରୀ ଠାରୁ କାଶ୍ମୀର ଯାଏଁ ଦୀର୍ଘ ୪୭୦୦ କିଲୋମିଟର ବାଟ ପାଦରେ ଚାଲି ଚାଲି ସବୁ ଶ୍ରେଣୀର ଲୋକଙ୍କ ସହିତ ହୃଦୟ ଖୋଲା ମିଶି ଭାରତ ବର୍ଷର ପ୍ରକୃତ ସମସ୍ୟା ବୁଝି ସେମାନଙ୍କର ସାମାଜିକ ନ୍ୟାୟ ପାଇଁ ଲଢେଇ ଅବିସ୍ମରଣୀୟ। ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନ କୁ ହାତରେ ଧରି ସମ୍ବିଧାନର ସୁରକ୍ଷା ପାଇଁ ଜୀବନ ବ୍ୟାପି ସଂଗ୍ରାମ ପାଇଁ ସେ ପ୍ରତିଶୃତି ବଦ୍ଧ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି ଚିତ୍ତ ରଞ୍ଜନ ପାତ୍ର ସଭାପତିତ୍ବ କରିଥିବା ବେଳେ ବାଳାଶ୍ରମର ପ୍ରତିଷ୍ଠାତା ସ୍ବର୍ଗତ ପ୍ରେମାନନ୍ଦ ଦାସଙ୍କ ଧର୍ମପତ୍ନୀ କନକ ଦେବୀ ଉପସ୍ଥିତ ଥିଲେ। ଏହି ଅବସରରେ ରାହୁଲଙ୍କ ନାମାନୁସାରେ ଅକ୍ଷର ଅନୁଯାଇ ପାଞ୍ଚୋଟି କେକ କଟାଯାଇଥିଲା। ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ଉଦାର ହୃଦୟରେ ଏହି ଅନୁଷ୍ଠାନଟିକୁ ଆଗକୁ ନେବା ପାଇଁ ସହଯୋଗ କରିବାକୁ ଶ୍ରୀଯୁକ୍ତ ଜେନା ତାଙ୍କୁ ଅନୁରୋଧ କରିଥିଲେ। କଂଗ୍ରେସ ମୁଖପାତ୍ର ବିଶ୍ୱ ରଞ୍ଜନ ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିବା ବେଳେ ଶ୍ରୀଧର ଦଳେଇ, ହାଡିବନ୍ଧୁ ଖୁଣ୍ଟିଆ, ସନ୍ତୋଷ ସାମଲ, ବିଜୟ ଜେନା, ନିତ୍ୟାନନ୍ଦ ସା, ରମେଶ ବାରିକ, ସୌମ୍ୟ ରଞ୍ଜନ ନାୟକଙ୍କ ସମେତ ଅନେକ କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇଥିଲେ। ଶେଷରେ ଉପସ୍ଥିତ ଛାତ୍ର, ଯୁବକ ଓ ମହିଳା ମାନଙ୍କୁ ମିଃଷ୍ଠାନ୍ନ ବଣ୍ଟନ କରାଯାଇ ଥିଲା।


